Latest Odisha News

BREAKING NEWS

ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀକୁ ଗଡିଲା ସ୍ବତନ୍ତ୍ର ଟ୍ରେନ

ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ଅଯୋଧ୍ୟା ଓ ବାରଣସୀ ଅଭିମୁଖେ ଗଡିଲା ସ୍ବତନ୍ତ୍ର ଟ୍ରେନ । ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାର ମୋଟ ୮୦୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ରେଳଷ୍ଟେସନ ୪ ନମ୍ବର ପ୍ଲାଟଫର୍ମରୁ ବାହାରିଲା ଏହି ଟ୍ରେନ୍ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଥିଲେ । ଆସନ୍ତା ୧୩ ତାରିଖରେ ଏହି ଟ୍ରେନ୍ ବ୍ରହ୍ମପୁରକୁ ପ୍ରତ୍ୟାବର୍ତ୍ତନ କରିବ ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ” ବ୍ରହ୍ମପୁର ରେଳଷ୍ଟେସନରୁ ବାହାରିଥିବା ଏହି ସ୍ୱତନ୍ତ୍ର ଟ୍ରେନ ମୋଟ ୮୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯାତ୍ରା କରିଛି । ସମାଜରେ ଯେଉଁ ମାନେ ଅର୍ଥନୈତିକ ସ୍ତରରେ ଅନଗ୍ରସର ସେମାନଙ୍କ ଅଧ୍ୟାତ୍ମିକ ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ଏହି ପ୍ରଥମ ଟ୍ରେନ ଅଯୋଧ୍ୟା ଓ ବାରଣସୀ ଯାଉଛି । ଆଗକୁ ଆହୁରି ଚାରି ହଜାର ଲୋକଙ୍କୁ ପ୍ରଭୁ ରାମଲାଲାଙ୍କ ଦର୍ଶନ ପାଇଁ ପଠେଇବୁ । ଭଗବାନ ଶ୍ରୀରାମ ସମସ୍ତଙ୍କୁ ଆର୍ଶୀବାଦ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ସ୍ୱତନ୍ତର ଟ୍ରେନରେ ଗଞ୍ଜାମ ଜିଲ୍ଲାରୁ ୪୩୮, ଗଜପତିରୁ ୭୨ ଜଣ, କନ୍ଧମାଳରୁ ୯୧ ଜଣ, ବୌଦ୍ଧରୁ ୫୫ ଜଣ, ନୟାଗଡ଼ରୁ ୧୧୯ ଜଣ ବରିଷ୍ଠ ନାଗରିକ ରହିଛନ୍ତି । ସେମାନଙ୍କ ସହଯୋଗ ପାଇଁ ୨୫ ଜଣ ଏସକର୍ଟ ଭାବେ ବିଭିନ୍ନ ଜିଲ୍ଲାରୁ ଏହି ଟ୍ରେନ୍‌ରେ ମୋଟ ୮୦୦ ଜଣ ଯାତ୍ରା କରିଛନ୍ତି ।

ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ପାଇଁ ମଧ୍ୟାହ୍ନ, ରାତ୍ର ଭୋଜନ ସମେତ ଜଳପାନ ପାଇଁ ସମସ୍ତ ସୁବ୍ୟବସ୍ଥା ଜାରି ରଖିଛି ଜିଲ୍ଲା ପ୍ରଶାସନ । ତେବେ ବାହାର ରାଜ୍ୟର ତୀର୍ଥସ୍ଥାନ ବୁଲିବାକୁ ଯାଉଥିବାରୁ ବେଶ ଉତ୍ସାହିତ ରହିଥିବା କହିଛନ୍ତି ବରିଷ୍ଠ ନାଗରିକ ମାନେ ।

Comments are closed.