Latest Odisha News

କୋଚିଂ ସେଣ୍ଟର ପାଇଁ ଆସିବ ସ୍ଵତନ୍ତ୍ର ଗାଇଡ୍‌ଲାଇନ୍‌, ୨୦ ରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟରେ କୋଚିଂ ସେଣ୍ଟର ଚାଲିବା ପାଇଁ ଆସିବ ସ୍ଵତନ୍ତ୍ର ନିୟମ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦେଖା ଦେଇଛି ତତ୍ପରତା। ଏ ସଂକ୍ରାନ୍ତରେ ଆସନ୍ତା ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।

ସୂଚନା ଅନୁଯାୟୀ, ପୁସ୍ତକ ଭବନସ୍ଥିତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ରାଜ୍ୟର ପ୍ରମୁଖ ଘେରୋଇ କୋଚିଂ ସେଣ୍ଟର ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେବେ। ବିଶେଷ କରି ଖୋର୍ଦ୍ଧା, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ ଓ ବାଲେଶ୍ୱର ଆଦି ଜିଲାର ୨୫ ଅନୁଷ୍ଠାନରୁ ପ୍ରତିନିଧି ଯୋଗଦେବେ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱରର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦିଅଯାଇଛି।

ରାଜ୍ୟରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ କୋଚିଂ ସେଣ୍ଟର ଖୋଲାଯାଉଛି। ଦିନକୁ ଦିନ ଏପରି କୋଚିଂସେଣ୍ଟର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏସବୁର ପରିଚାଳନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ନ ଥିବାରୁ ବିଭିନ୍ନ ସମୟରେ ଅନେକ ଅଭିଯୋଗ ଆସୁଛି। ତେଣୁ ସ୍ଵତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିବା ପାଇଁ ଛାତ୍ରୀଛାତ୍ର ଓ ଅଭିଭାବକ ଦାବିକରି ଆସୁଛନ୍ତି।

Comments are closed.