Latest Odisha News

BREAKING NEWS

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀରେ ପାରମ୍ପରିକ ନୀତି

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ

ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ରାଜରାଜେଶ୍ୱର ଭାବରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରାଯାଏ । ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହୁଅନ୍ତି । ଏହାପରେ ଭିତର ଶୋଧ ସହ ଜୟ ବିଜୟ ଦ୍ୱାର ବାନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ ଅନ୍ଧାର କରାଦିଆଯାଏ ।

ଏହି ସମୟରେ ଗର୍ଭ ଗୃହ ରେ ମହାପ୍ରଭୁଙ୍କ ଆଲଟ ସେବା ହୋଇଥାଏ । ଏଥି ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇବେ ଓ ସ୍ୱୟଂ ପ୍ରଭୁ ରାଜେନ୍ଦ୍ରଭିଷେକ ହେବା ନିମନ୍ତେ କହିବେ। ଶ୍ରୀ ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟ ମୂଳ ଥିବା ଏକ ସୁସଜିତ ରଥରେ ଆରୋହଣ କରିଥାନ୍ତି ।

ଘଣ୍ଟ, ଛତା, କାହାଳି ବାଜି ବିମାନବଡୁମାନେ ଉକ୍ତ ରଥକୁ ବଡ଼ ଦେଉଳର ବେଢା଼ ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି । ଜନୈକ ସେବକ କୁତ କୌତୁକ ଋଷି ଭାବେ ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ ଜଣାଇ ମାଳି ଦେଇଥିବା ଶୁକ୍ଳ ଫୁଲ ପାଳିଆ ଖୁଣ୍ଟିଆଙ୍କ ଠୁ ନେଇ ଆଞ୍ଜୁଳି କରି ବିଜେ ରାସ୍ତାରେ ପକାଇବା ସହିତ ଶ୍ରୀ ମଦନମୋହନଙ୍କୁ ଥରକୁ ଥର ଦଣ୍ଡ ପ୍ରଣାମ କରି ତାହାଙ୍କୁ ଦକ୍ଷିଣୀ ଘରକୁ ନେବେ ।

ଏଠାରେ ଖଟ ଉପରେ ବିଜେ ହେବା ପରେ ଶ୍ରୀ ମଦନମୋହନଙ୍କୁ ପଞ୍ଚାମୃତ ରେ ସ୍ନାନ କରାଯାଇଥାଏ। ତତ୍ପରେ ଫୁଲ, ଚନ୍ଦନ ଲାଗି ହୋଇ ବେଶ ବଢିଥାଏ ଓ ଶୀତଳ ଭୋଗ ହୋଇ ବନ୍ଦାପନା ବଢିବା ପରେ ଦକ୍ଷିଣୀ ଘରସ୍ଥ ସ୍ବ ଆସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

ବ୍ରାହ୍ମଣ ହସ୍ତରେ ଶ୍ରୀକୃଷ୍ଣଙ୍କ ନିକଟକୁ ରୁକ୍ମିଣୀଙ୍କ ସନ୍ଦେଶ

ଶ୍ରୀଶୁକ ଉବାଚ –

“ ଶିଶୁପାଳକୁ ବିଭା ଶୁଣି। ଚକିତେ ଭାଳଇ ରୁକ୍ମିଣୀ।।
ବିକଳଚିତ୍ତେ ବିଚାରିଲା। ବୃଦ୍ଧ ବ୍ରାହ୍ମଣ ଅଣାଇଲା।।
ସୁହୃଦ ବାକ୍ୟ ତାଙ୍କୁ କହି। ଚରଣେ ବେନି କର ଦେଇ।।
ବୋଲଇ ଶୁଣ ବିପ୍ରମଣି। ଦ୍ୱାରକା ଯାଅ ଏହି କ୍ଷଣି।।
ଯେବେ ଆସିବେ ଚକ୍ରଧର। ତେବେ ସେ ଜୀବନ ମୋହର।।
ଅଧିକ କହିବଇଁ କେତେ। କୃଷ୍ଣ ଜାଣନ୍ତି ଏହା ଚିତ୍ତେ।।
କନ୍ୟା ବଚନେ ବିପ୍ର ଗଲା। ଦ୍ୱାରକା ଭୁବନେ ମିଳିଲା।।
ଦ୍ୱାରେ ଯେ ଦ୍ୱାରପାଳ ଥିଲେ। କୃଷ୍ଣଙ୍କୁ ନେଇ ଭେଟାଇଲେ।।
ସୁବର୍ଣ୍ଣ ସିଂହାସନେ ହରି। ଯାଦବେ ଅଛନ୍ତି ଆବୋରି।।
ଖଟନ୍ତି ଦଶଦିଗପାଳେ। ବିପ୍ର ଦେଖିଲେ ଚର୍ମ ଡୋଳେ।। “

ବ୍ରହ୍ମୋବାଚ –

“ରାଜରାଜେନ୍ଦ୍ର ସଂଖ୍ୟାତାଭିଷେକାୟ ମହାପ୍ରଭୋ।
କୃଷ୍ଣମାଜ୍ଞାପୟ କ୍ଷିପ୍ରମପରାଧାନ୍ କ୍ଷମସ୍ୱ ମେ।।
ଇତ୍ୟୁକ୍ତ୍ୟା ଦେବଦେବାଙ୍ଗାନ୍ମାଲ୍ୟଂ କୃଷ୍ଣଗଳେ ନ୍ୟସେତ୍।
ଛତ୍ରଚାମରଘଣ୍ଟାଦି ସ୍ଫୁରଦୁତ୍ସବସଂଯୁତମ୍।।
କୃଷ୍ଣଂ ପୁନଃ ସମାନୀୟ କୁତ୍ରଚିଦ୍ଽବାସୟେତ୍ପଦେ।
ଦକ୍ଷିଣାଶାଂ ଜବତୟା ତତୋ ଦୂତଃ ସମାଗତଃ।।

ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ସମୟରେ ଛତି ଟେକା ଯାଇଥାଏ । ଘଣ୍ଟା, କାହାଳୀ, ମହୁରୀ ବାଜୁଥାଏ । ଅଭିଷେକ ବଢିବା ପରେ ଭିତରେ ପଣା ଭୋଗ ଓ ଅନ୍ୟାନ୍ୟ ନୀତି ହୋଇଥାଏ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.