Latest Odisha News

ଦିଅଁକୁ ଜ୍ୱର !

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୌରାଣିକ କାହାଣୀ ଓ କଥାବସ୍ତୁ: ଶ୍ରୀଜଗନ୍ନାଥ କଥାମୃତ

ଆମେ ଜାଣିଛେ ସବୁବେଳେ ମଣିଷମାନଙ୍କୁ ହିଁ ଜର, ରୋଗ, ବ୍ୟାଧି ହୁଏ ବୋଲି, ହେଲେ ଦିଅଁଦେବତା ମାନେ ଯେ କେବେ ଜରରେ ପଡନ୍ତି ଏକଥା ଆମେ ଜାଣୁନା । ଲୋକେ କୁହନ୍ତି, ଦେବତାମାନଙ୍କର ଗୋଡ଼ ତଳେ ଲାଗେନା, ସେ କେବେ ଆଖି ବୁଜନ୍ତିନି, ତାଙ୍କୁ ଜର ହୁଏନି, ରୋଗ ହୁଏନି କିମ୍ବା ତାଙ୍କର ମୃତୁ୍ୟ ନାହିଁ ଇତ୍ୟାଦି ।
ମୁଁ ଯାହାଙ୍କ କଥା କହିବାକୁ ଯାଉଛି ସେ ହେଉଛନ୍ତି ଦେବତା । ବଡ଼ ଦେଉଳର ବଡ଼ ଦିଅଁ । ବଡ଼ ବଡ଼ ଆଖ, ବଡ଼ ବଡ଼ ବାହୁ, ବଡ଼ ନେତ, ବଡ଼ ଦାଣ୍ଡ ସବୁ କଥାରେ ବଡ଼ ଥିବା କାଠର ଦିଅଁ । ଡାକିଦେଲ ଡାକଶୁଣି ଉତ୍ତର ଦେଉଥିବା ଠାକୁର । ଆମ ଓଡ଼ିଆର ପ୍ରାଣ, କୋଟି ଓଡ଼ିଆର ମଉଡମଣି ଶ୍ରୀ ଜଗନ୍ନାଥ । ତାଙ୍କର ନୀତୀ, ତାଙ୍କର ଚଳଣୀ, ତାଙ୍କର ସେବା ସବୁଠୁ ଅଲଗା । ତାଙ୍କୁ ବର୍ଷକୁ ଥରେ ଜର ହୁଏ । ସେ ଜର ପୁଣି ଦିନ କି ଦୁଇଦିନ ନୁହେଁ ପୁରା ୧୫ ଦିନକାଳ । ଜରରୁ ଉଠିଲେ ସେ ମାଉଷୀ ଘର ଯାଆନ୍ତି ବୁଲିବାକୁ ପୋଡ଼ପିଠା ଖାଇ । ସେ ଦିଅଁ ନା ମଣିଷ! ସବୁ ଆଶ୍ଚର୍ଯ୍ୟ ଠୁ ସେ ଉଦ୍ଧ୍ୱର୍ ରହି ଓଡ଼ିଆଙ୍କ ହୃଦୟରେ ରହି କରନ୍ତି ଲିଳାଖେଳା । ଲୀଳାମୟ ଠାକୁର ସେ, ତାଙ୍କର ଲୀଳା ଅପୂର୍ବ, ଅପୂର୍ବ ତାଙ୍କର ମହିମା ।
ତେଣୁ ଜଗନ୍ନାଥ ଦାଶ ଭାଗବତରେ ଲେଖିଛନ୍ତି:
ଅଶେଷ ତୋହର ମହିମା । କେ ଜାଣିପାରେ ଗୁଣସୀମା ।।
ତୋ ନାମ କରୁଥିଲେ ଲୟ । କୋଟିଏ ଜନ୍ମ ପାପ କ୍ଷୟ ।।
ଆରତ ଭଞ୍ଜନ ତୋ ବାନା । ଆତଙ୍ଗ କାଳେ ବଜ୍ର ସେହ୍ନା ।।
ତୁ ଅଟୁ ଦରିଦ୍ରର ଧନ । ତୋ ପାଦେ ରହୁ ମୋର ମନ ।।
ସେ ରାଜା, ପ୍ରଜା, ଧନୀ, ଦରିଦ୍ର, ପିଲା, ବୁଢ଼ା, ଧର୍ମୀ, ଅଧର୍ମୀ ଆଦି ସମସ୍ତଙ୍କର ପ୍ରାଣ ପ୍ରିୟ । ତାଙ୍କୁ ସମସ୍ତେ ସ୍ମରଣ କରନ୍ତି । କଥାରେ ଅଛି ଜଗନ୍ନାଥ ନାମ ସ୍ମରଣ ମାତ୍ରେ ପାତକ କ୍ଷୟ ହୁଏ । ତାଙ୍କୁ ମନୁଆ ଠାକୁର ବୋଲି ଲୋକେ କୁହନ୍ତି । ତାଙ୍କୁ ଯିଏ ଯେମିତି ଭାବରେ ଡାକେ, ସେ ସେଭଳି ଭାବରେ ପାଏ; ସେଥିପାଇଁ ଭାବବିନୋଦିଆ ଭାବର ଠାକୁର ବୋଲି ତାଙ୍କୁ କୁହାଯାଏ । ମହାପ୍ରଭୁଙ୍କୁ ଓଡ଼ିଆମାନେ ହସରେ, କାନ୍ଦରେ, ଦୁଃଖରେ, ସୁଖରେ, ବିବାହରେ, ବ୍ରତରେ ଆଦି ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମେ ନିମନ୍ତ୍ରଣ ଦେଇ କାର୍ଯ୍ୟ ଆରମ୍ଭ କରାଯାଏ । ନହେଲେ ସେ କାର୍ଯ୍ୟ ଅଂସପୂର୍ଣ୍ଣ ବୋଲି ମନେହୁଏ । ଅନେକ ସମୟରେ ଅନେକ କାର୍ଯ୍ୟ ମଧ୍ୟ ସର୍ବମଙ୍ଗଳେ ଜଗନ୍ନାଥ କରି କାର୍ଯ୍ୟ ସଂପାଦନ କରାଯାଏ । ସେ ଅଗତିର ଗତି, ଅନାଥର ନାଥ । ସେ ସଭିଁଙ୍କର ଲୋଡ଼ା, ସେ ସଭିଙ୍କର ମିତ୍ର । ସାଠିଏ ପଉଟି ଅନ୍ନ ବଞ୍ଜନ, ଛପନ ଭୋଗ ଖାଉଥିଲା ବେଳେ ସାଧାରଣ ମଣିଷର ଖାଦ୍ୟ ପରି ଦହି, ଶାଗ, ପଖାଳରେ ବି ତାଙ୍କର ମନ । ସେହି କାଳିଆ ସାଆନ୍ତ କେତେବେଳେ ରାଜାମହାରାଜାର ଚଳଣୀରେ ଚଳନ୍ତି ତ କେତେବେଳେ ସାଧାରଣ ମଣିଷର ଚଳଣୀରେ ବି ଚଳନ୍ତି ।

ଅଧିକ ପଢନ୍ତୁ: କରୋନା ମହାମାରୀ ଓ ଶ୍ରୀଜୀଉଙ୍କ ରଥଯାତ୍ରା…

ଏଇ ସାଧାରଣ ମଣିଷଟିର ମନକୁ ବୁଝିବା ପାଇଁ ସେ ମନ୍ଦିରରୁ ବାହାରି ଆସି ରଥ ଉପରେ ବଡ଼ ଦାଣ୍ଡରେ ବୁଲି ବୁଲି ପତିତ ମାନଙ୍କ ଦର୍ଶନ ଦିଅନ୍ତି । ପତିତପାବନ ନାମକୁ ବହନ କରି ପତିତମାନଙ୍କୁ ଉଦ୍ଧାର କରୁଛନ୍ତି । ତାଙ୍କ ପାଖରେ ଜାତି ନାହିଁ, ଅଜାତି ନାହିଁ, ଛୁଆଁ ନାହିଁ, ଅଛୁଆଁ ନାହିଁ । ଠାକୁର ଯେତେବେଳେ ବଡ଼ଦାଣ୍ଡକୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ୯ ଦିନ ପାଇଁ ରଥରେ ବସି ଯାତ୍ରା କରନ୍ତି ଏହି ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କୁହାଯାଏ । ମହାପ୍ରଭୁ ଗୁଣ୍ଡିଚା ଯାତ୍ରାକୁ ଯିବା ପୂର୍ବରୁ ୧୫ ଦିନ ପାଇଁ ଜରରେ ପଡ଼ିଥାନ୍ତି । ଜର ଭଲ ହେବା ପରେ ନୀତିକାନ୍ତି ସାରି ସେ ସଜବାଜ ହୁଅନ୍ତି ଗୁଣ୍ଡିଚା ଘରକୁ ମାଉଷୀମାଙ୍କର ହାତ ତିଆରି ପୋଡ଼ ପିଠା ଖାଇବାକୁ ।

ଅଧିକ ପଢନ୍ତୁ – ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; ଚୂଡ଼ାନ୍ତ ପର୍ଯ୍ୟାୟରେ ରୂପକାର ସେବକଙ୍କ ଖୋଦେଇ କାର୍ଯ୍ୟ

ଉକ୍ତ ସମୟରେ ଯଦି କେହିଜଣେ ଭକ୍ତ/ଯାତ୍ରୀ ଠାକୁରଙ୍କୁ ଦର୍ଶନ କରିବା ଲାଗି ପୁରୀକୁ ବାହାରେ ତେବେ ତାକୁ ବାରଣ କରି କୁହାଯାଏ ଯେ ବଡ଼ଠାକୁର ଏବେ ଦେଉଳରେ ନାହାନ୍ତି, ଶ୍ରୀକ୍ଷେତ୍ର ଯାଇ କି ଲାଭ । ଦିଅଁକୁ ପରା ଜର ହେଇଛି । ସେ ଅଣସରରେ ଅଛନ୍ତି । ଏବେ ସେ କାହାକୁ ଦେଖା ଦେଇ ପାରିବେ ନାହିଁ । ଯଦି ଦେଖିବାର କଥା ତେବେ ବ୍ରହ୍ମଗିରୀ ଯାଇ ଅଲାରନାଥଙ୍କୁ ଦର୍ଶନ କଲେ ତାହା ଜଗନ୍ନାଥ ଦର୍ଶନ ସମ ହୋଇଥାଏ ।

ଅଧିକ ପଢନ୍ତୁ: ଆଜି ବି ଜୀବନ୍ତ ଭିକାରୀ ବଳଙ୍କ ସେଇ ଜଣାଣ…

ନ ଅବସର ଅର୍ଥାତ ଅନବସର ବା ଅଣସର । ଯେଉଁ ସମୟରେ ଯାତ୍ରୀ/ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅବସରେ ନଥାଏ ସେହି ସମୟକୁ ଅନବସର ବା ଅଣସର କୁହାଯାଏ । ଦେବସ୍ନାନ ପୂର୍ଣ୍ଣମା ଠାରୁ ଅମାବାସ୍ୟ ଯାଏଁ ବା ନେତ୍ରୋତ୍ସବ ମଧ୍ୟରେ ୧୫ ଦିନ ଅବା ଆଷାଢ଼ କୃଷ୍ଣପକ୍ଷ ପ୍ରତିପଦ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନେ ଅଣସରରେ ରହିଥାନ୍ତି । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି ଦେବସ୍ନାନ ମଣ୍ଡପକୁ ବିଜେ କରନ୍ତି । ପ୍ରଥମେ ସୁଦର୍ଶନ, ତାଙ୍କ ପରେ ବଳଭଦ୍ର, ତାଙ୍କ ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ସ୍ନାନ ମଣ୍ଡପକୁ ବିଜେ କରନ୍ତି । ସୁନାକୁଅ (ଶୀତଳାଙ୍କ କୂଅ)ରୁ ଆସିଥିବା ୧୦୮ ଗରା ଜଳରେ ଚନ୍ଦନ, କର୍ପୁର ଓ କେଶର ଆଦି ମିଶ୍ରିତ କରାଯାଇ ଠାକୁରମାନଙ୍କୁ ସ୍ନାନମଣ୍ଡପରେ ସ୍ନାନ କରାଯାଏ । ସ୍ନାନ କରିବା କାରଣରୁ ଠାକୁରଙ୍କୁ ଶରଦ ଧରିଛି ବା ଜର ହୋଇଛି ବୋଲି ଯାତ୍ରୀ/ଭକ୍ତମାନଙ୍କୁ କୁହାଯାଏ । ଉକ୍ତ ସମୟରେ ଯାତ୍ରୀମାନେ ଶ୍ରୀଜୀଉଙ୍କୁ ସାକ୍ଷାତ ଦର୍ଶନ ନକରି ଅଣସର ତାଟିକୁ ଦର୍ଶନ କରିଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥ ଦର୍ଶନ କଲେ ସର୍ବପାପ କ୍ଷୟ ହେବା ସହିତ ମୋକ୍ଷ ପ୍ରାପ୍ତି ହୁଏ ବୋଲି କଥା ଅଛି । ଏହି ଅଣସୟରେ ସମୟରେ ଅଲାରନାଥଙ୍କ ଠାରେ ଭକ୍ତଙ୍କର ପ୍ରବଳ ଭିଡ଼ ହୁଏ ।
ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କ ସମେତ ସ୍ନାନ ସାରି ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରନ୍ତି ଓ ସେଠାରେ ଠାକୁର ଅଣସର ବିଧି ହୁଅନ୍ତି । ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ଦିଆଯାଇ ତିନି ଦିଅଁଙ୍କୁ ପଟି ପୂଜା କରାଯାଇଥାଏ । ଏହି ସମୟରେ ଶ୍ରୀବିଗ୍ରହମାନେ ଅଣସର ନୀତିରେ ରହୁଥିବାରୁ ଠାକୁରଙ୍କର ରଙ୍ଗନୀତି କାର୍ଯ୍ୟ ହୋଇଥାଏ । ଉକ୍ତ ପଟିରେ ଠାକୁରଙ୍କର ଚିତ୍ରହୋଇଥିବା ପ୍ରତିମା ପୂଜା ପାଆନ୍ତି । ଏହାକୁ ଅଣସର ପଟି କୁହାଯାଏ । ପଟିର ବଡ଼ ବାଡରେ ଅନନ୍ତ ବାସୁଦେବ, ମଝି ବାଡ଼ରେ ଭୁବନେଶ୍ୱର ଓ ମହାପ୍ରଭୁଙ୍କ ବାଡ଼ରେ ନାରାୟଣ ପୂଜାପାଆନ୍ତି । ଦକ୍ଷୀଣ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ ଆଣି ଖଟ ଉପରେ ବିଜେ କରାନ୍ତି । ଏହି ମୋଟ ଦଶ ଦେବଦେବୀଙ୍କୁ ଦଶ ଅବତାର ଠାକୁର ବୋଲି କୁହାଯାଏ ।
ଜାରା ଶବରର ବଂଶଧର ଶବରରାଜ ବିଶ୍ୱାବସୁ ଥିଲେ ଜଣେ ପରମ ବିଷ୍ଣୁ ଭକ୍ତ । ସେ ଗହନବନ ମଧ୍ୟରେ ଏକ ନିଭୃତ ଗୁପ୍ତ ଗୁମ୍ଫା ମଧ୍ୟରେ ନୀଳମାଧବଙ୍କୁ ଥାପନା କରି ବିଷ୍ଣୁ ରୂପରେ ପୂଜା କରୁଥିଲେ । ଯେଉଁଠିକି ଶବରରାଜ ବ୍ୟତୀତ ଅନ୍ୟ କେହି ଯାଇ ପାରନ୍ତି ନାହିଁ । ସେ ଠାକୁରଙ୍କୁ ଫଳମୁଳ ଆଦି ଦେଇ ଏକାନ୍ତ ଭାବରେ ଗୁପ୍ତରେ ପୂଜା କରେ । ଉକ୍ତ ଧାରଣାକୁ ପାଥେୟ କରି ଶ୍ରୀଜୀଉଙ୍କର ଅଣସର ପୂଜାବିଧି ସେହି ପରି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ମହାପ୍ରଭୁ ଶ୍ରୀମନ୍ଦିରର ରତ୍ନବେଦୀ ଉପରେ ଛପନ ପଉଟି ସୁସ୍ୱାଦୁ ମଣୋହି କରୁଥିଲେ ମଧ୍ୟ ଅଣସର ଘରେ ଶବର ସେବାୟତ ଦଇତାମାନେ ଠାକୁରଙ୍କୁ କେବଳ ଫଳମୂଳ ଓ ପଣାପାଣି ଦେଇ ସେବା କରିଥାନ୍ତି । ଏହି ସମୟରେ ଠାକୁରଙ୍କ ପୂଜା ପାଇଁ କୌଣସି ମନ୍ତ୍ରର ଆବଶ୍ୟକ ପଡ଼ିନଥାଏ । ଠାକୁରଙ୍କୁ ଏହି ସମୟରେ ଲାଗି କରାଯାଉଥିବା ଅଣସର ପଣା ଏକ ପ୍ରସିଦ୍ଧ ପଣା । ଏହି ପଣା ଭୋଗ ପତି ମହାପାତ୍ରମାନେ କରିଥାନ୍ତି ।
ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କାହାରିକୁ ପ୍ରବେଶ ନାହିଁ । ଅଣସର ଘରେ ଠାକୁର ଏକବସ୍ତ୍ର ପରିଧାନ କରିଥିବାରୁ ଦଇତାମାନେ ମଧ୍ୟ ଏକବସ୍ତ୍ର ପରିଧାନ କରି ଠାକୁରଙ୍କ ସେବା କରନ୍ତି । ଠାକୁରଙ୍କ ପାଖରେ ଶୁକ୍ଳଫୁଲ ଛଡ଼ା ଅନ୍ୟ କୌଣସି ଫୁଲ ଏହି ସମୟରେ ଲାଗି ହୁଏ ନାହିଁ । ଅଣସରର ଦ୍ୱିତୀୟ ଦିନରେ ଠାକୁରମାନଙ୍କ ଠାରୁ ସ୍ନାନଯାତ୍ରା ପହଣ୍ଡିରେ ପିନ୍ଧିଥିବା ବସ୍ତ୍ରକୁ ବାହାର କରାଯାଏ । ଚତୁର୍ଥ ଦିନ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ । ପଞ୍ଚମୀ ଦିନ ଦଇତାମାନଙ୍କ ଦ୍ୱାରା ରାଶିତେଲ, ଚୁଆ, କର୍ପୁର, ପିଙ୍ଗଣ ଓ ପରଖରେ ଫୁଲୁରି ଲାଗି କରାଯାଏ । ଷଷ୍ଠୀ ଠାରୁ ନବମୀ ଯାଏଁ ଠାକୁରଙ୍କୁ ଓଷୁଅ ଲାଗି ହୁଏ । ଅଣସର ସୁଧ ସୁଆର ରାଶିତେଲ, ଝୁଣ, ପଞ୍ଚମୂଳ, କର୍ପୁର, କସ୍ତୁରୀ ଓ ଅନ୍ୟାନ୍ୟ ସୁଗନ୍ଧ ଦ୍ରବ୍ୟ ବାଟି ଓଷ ପ୍ରସ୍ତୁତ କରିଥାନ୍ତି । ଦଶମୀ ଦିନ ଚକାବିଜେ ନୀତି ହୁଏ । ଏକାଦଶୀ ଦିନ ଚନ୍ଦନରେ ସମପରିମାଣରେ କସ୍ତୁରୀ, କେଶର ଓ କର୍ପୁର ଏକତ୍ର ମିଶାଇ ଠାକୁରଙ୍କୁ ଲାଗି ହୋଇଥାଏ । ଏହାକୁ ଚନ୍ଦନଲାଗି କୁହାଯାଏ । ଏହି ଦିନ ଘଣ୍ଟା ଓ କାହାଳି ବାଜେ । ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ । ଦ୍ୱାଦଶୀ ଦିନ ରାଜପ୍ରସାଦ ନୀତି ସଂପନ୍ନ ହୁଏ । ତ୍ରୟଦଶୀ ଦିନ ଘଣାଲାଗି ବା ଶ୍ରୀପୟର ପୂଜା ଲାଗି ହୋଇଥାଏ । ଘଣାଲାଗି ପରେ ଖଳିଲାଗି ଓ ତାପରେ ଖଡ଼ିଲାଗି ହୋଇଥାଏ । ଖଡ଼ି ଲାଗି ପରେ ଦଇତାପତି ମାନେ ଖଡ଼ି ଧରି ଶ୍ରୀନଅରକୁ ଯାଆନ୍ତି । ସେଦିନ ମଧ୍ୟ ଶ୍ରୀମୁଖ ଓତା ନୀତି ହୋଇଥାଏ । ଚତୁର୍ଦ୍ଦଶୀ ଦିନ କନକଲାଗି ନୀତି ହୋଇଥାଏ ଓ ପରେ ଅବକାଶ ନୀତି ହୋଇଥାଏ । ଅବକାଶ ନୀତି ପରେ ମହାଜନମାନେ ଦଶାବତାରରୁ ପାଞ୍ଚମୂର୍ତ୍ତି ଦକ୍ଷିଣ ଘରକୁ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରକୁ ଓ ୩ ପଟିଦିଅଁଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାନ୍ତି । ଏହା ପରେ ଅଣସର ଘରୁ ତାଟି ଓ ଖଟ ବାହାର କରାଯାଏ ।
ଅଣସର ପିଣ୍ଡିରେ ଶ୍ରୀଜୀଉ ବିଜେ ହେଲା ପରେ ଠାକୁରଙ୍କ ଶରୀରରୁ ପୂର୍ବପରିଧାନ ପଟ୍ଟବସ୍ତ୍ର ସବୁ ଓଲାଗି କରିଦିଆଯାଇଥାଏ । ଠାକୁରଙ୍କ ଉକ୍ତ ଅନାବୃତ୍ତ ଦାରୁରୂପ ମୁଖ୍ୟତଃ ଦର୍ଶନୀୟ ହୋଇନଥାଏ । ତେଣୁ ଦିଅଁଙ୍କୁ ଜର ହୋଇଛି ବୋଲି ଦଇତାମାନେ ଏକ ଧାରଣା ତିଆରି କରିଥାନ୍ତି । କେବଳ ଦଇତାପତିମାନେ ଶ୍ରୀବିଗ୍ରହଙ୍କୁ ମାନବ ରୂପେ କଳ୍ପନା କରି ଠାକୁରଙ୍କର ସେବାନୀତି କାର୍ଯ୍ୟ ବହୁ ପୁରାତନ କାଳରୁ ସେବାପୂଜା କରିଆସୁଛନ୍ତି ।
ତଥ୍ୟ: ଶ୍ରୀଜଗନ୍ନାଥ (ମହୀମୋହନ ତ୍ରୀପାଠୀ), ଶ୍ରୀମନ୍ଦିର ଶବ୍ଦକୋଷ, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଆମ ଜଗନ୍ନାଥ (ନରସିଂହମିଶ୍ର)
ବ୍ୟକ୍ତିଗତ ସହାୟକ, ରାଜ୍ୟପାଳ ଆନ୍ଧ୍ରପ୍ରଦେଶ
Email : sushir86@gmail.com Mob-୯୧+୯୦୪୦୮୯୪୪୦୦
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.