Latest Odisha News

BREAKING NEWS

ଆଜି ବି ଜୀବନ୍ତ ସେହି ଜଣାଣ; ଜନ୍ମ ଦିନରେ ଭଜନ ସମ୍ରାଟଙ୍କୁ ସ୍ମୃତିଚାରଣ

ଭୁବନେଶ୍ୱର: ଓଡ଼ିଶାର ପୂରପଲ୍ଲୀରେ ଘରେ ଘରେ ଭିକାରୀ ବଳଙ୍କୁ ସମସ୍ତେ ଜାଣନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭିକାରୀ ବଳ ମଧ୍ୟ ‘ଭଜନ ସମ୍ରାଟ୍ ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ଶ୍ରୀଜଗନ୍ନାଥଙ୍କର ଏହି ପରମ ଭକ୍ତ ତାଙ୍କର ଆବର୍ତ୍ତମାନରେ ମଧ୍ୟ ତାଙ୍କ କଣ୍ଠରେ ବୋଲାଯାଇଥିବା ପ୍ରାୟ ସମସ୍ତ ଭଜନ ଓ ଜଣାଣ ଗୁଡ଼ିକୁ ସାଧାରଣ ଓଡ଼ିଆ ମାନେ ଗୁଣୁଗୁଣୁ ହୋଇଥାଆନ୍ତି । ସେ ମହାପ୍ରଭୁଙ୍କର ଜଣେ ସରଳ ତଥା ନିଷ୍କପଟ ଭକ୍ତ ହୋଇଥିବା ଯୋଗୁଁ ତାଙ୍କର ଗୀତରେ ତାଙ୍କ କଣ୍ଠରେ ମହାପ୍ରଭୁଙ୍କ ଲାଗି ଭକ୍ତିଭାବନା ସମ୍ପୂର୍ଣ୍ଣ ଭାବେ ଉଦ୍ରେକ ହୋଇଥାଏ । ଭିକାରୀ ବଳଙ୍କ କଣ୍ଠରୁ ଶ୍ରୀଜଗନ୍ନାଥଙ୍କ ଭଜନ ଶୁଣିଲେ ସ୍ୱତଃପ୍ରବୃତ ଭାବେ ସେହି ସ୍ଥାନ ବା ପରିବେଶରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ ।

ଭିକାରୀ ବଳଙ୍କ ଅଧିକାଂଶ ଗୀତରେ ଥାଏ ଚମ୍ପୁ, ଛାନ୍ଦ, ଓଡ଼ିଶୀ ଏବଂ ଜଣାଣ ଏବଂ ଭଜନ । ପୁରାତନ କବି ଓ ଗୀତିକାର ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳୀ ଏବଂ ସାଲବେଗଙ୍କ ରଚିତ ଭଜନ ଓ ଜଣାଣ ଗୁଡ଼ିକୁ ଗାଇ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଓ ଶ୍ରୀଗୀତଗୋବିନ୍ଦ ଗାଇ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଥିଲେ ।

ତାଙ୍କର ଯେଉଁ ପ୍ରସିଦ୍ଧ ଭଜନ ଓ ଜଣାଣ ଗୁଡ଼ିକ ଆଜି ମଧ୍ୟ ଘରେ ଘରେ ପ୍ରତିଦିନ ଶୁଣିଥାଆନ୍ତି ସେହି ଗୀତ ଗୁଡ଼ିକ ହେଉଛି ‘କୋଠ ଭୋଗ ଖିଆ ମୋ ଚକା ଆଖିଆ’, ‘ହାତରେ ମୋ ମୁଠା ମୁଠା ଶରଧାବାଲି’, ‘ହଟିଆ ଠାକୁର ଆଉ’, ‘ଦାସିଆ ନଡ଼ିଆ ସିନା ତୋତେ ବଢିଆ’, ‘ମିଛେ ସିନା ମଲି ଡାକି ଡାକି’ ଏବଂ ‘ଜଗବନ୍ଧୁ ହେ ଗୋସାଇଁ’ । ଏହିପରି ଆହୁରି ଅନେକ ଭଜନ ଓ ଜଣାଣ ଯେଉଁ ଗୁଡ଼ିକକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବୋଲିଛନ୍ତି ଭଜନ ସମ୍ରାଟ ସେଗୁଡ଼ିକ ବେଶ୍ ଜନପ୍ରିୟତା ହାସଲ କରିଛି ଏବଂ ଭିକାରୀ ବଳଙ୍କୁ ଜଣେ କିମ୍ବଦନ୍ତୀ ଗାୟକ ଭାବେ ପରିଚୟ ଦେଇ ପାରିଛି ।

ଖାଲି ସେତିକି ନୁହେଁ, ସେ ମଧ୍ୟ ଅନେକ ଓଡ଼ିଆ ଫିଲ୍ମରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟ ଗୀତ ବୋଲିଛନ୍ତି । ସେହି ଚଳଚ୍ଚିତ୍ର ଗୁଡ଼ିକ ହେଲା – ‘ଭକ୍ତ ସାଲବେଗ’, ‘ଅଗ୍ନି ପରୀକ୍ଷା’, ‘ମଥୁରା ବିଜୟ’, ‘ଅଭିଳାଷ’, ‘ଅମର ପ୍ରେମ’, ‘କିଏ କାହାର’ ଏବଂ ‘ଶ୍ରୀକୃଷ୍ଣ ରାସ ଲୀଳା’ ।

ଏହି ମହାନ ସଂଗୀତଜ୍ଞ କେନ୍ଦ୍ରାପଡ଼ା ଜିଲ୍ଲା ସୋବଳା ଗ୍ରାମରେ ମାତା ଗେହ୍ଲାରାଣୀ ଏବଂ ପିତା ରାମଚନ୍ଦ୍ର ବଳଙ୍କଠାରୁ ୧୯୨୯ ମସିହା ମେ ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ସ୍ଥାନୀୟ କଦଳୀବଣ ହାଇସ୍କୁଲରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପରେ ପାଠରେ ଡ଼ୋରି ଲାଗିଥିଲା । ସେ ସବୁ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଭାବନାରେ ଡୁବି ରହୁଥିଲେ ।

ଏହି ମହାନ କଣ୍ଠଶିଳ୍ପୀ ଦୀର୍ଘଦିନ ଧରି ଅସୁସ୍ଥ ହୋଇଯିବା ପରେ ୨୦୦୫ ମସିହା ନଭେମ୍ବର ୨ ତାରିଖରେ ପରଲୋକ ଗମନ କରିଥିଲେ ।

Leave A Reply

Your email address will not be published.