Latest Odisha News

ବିଶ୍ୱକପରେ ବିଜୟ ଖାତା ଖୋଲିଲା ଶ୍ରୀଲଙ୍କା

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶେଷରେ ବିଜୟର ଖାତା ଖୋଲିଛି ଶ୍ରୀଲଙ୍କା । କ୍ରମାଗତ ୩ଟି ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୪୯.୪ ଓଭରରେ ୨୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ୯୧ ରନରେ ୬ଟି ୱିକେଟ ହରାଇ ବିପଦରେ ପଡିଥିବା ନେଦରଲାଣ୍ଡର ଇନିଂସ ସାଇବ୍ରାଣ୍ଡ ଇଙ୍ଗେଲବ୍ରେଚେଟ ଓ ଲୋଗାନ ଭାନ ୱିକ ସମ୍ଭାଳିଥିଲେ । ଉଭୟ ଯଥାକ୍ରମେ ୭୦ ଓ ୫୯ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଶାନ ମଧୂଶଙ୍କା ଓ କାସୁନ ରଜିଥା ୪ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଶ୍ରୀଲଙ୍କା ଟିମ ୨୬୩ ରନର ବିଜୟ ଲକ୍ଷ୍ୟକୁ ୪୮.୨ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା ।

ପାଥୁମ ନିଶାଙ୍କା ୫୪, ସଦୀରା ସମରବିକ୍ରମ ୯୧(ନଟଆଉଟ) ରନର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚାରିଥ ଅସଲଙ୍କା ୪୪ ଓ ଧନଞ୍ଜୟ ଡିସିଲଭା ୩୦ ରନ କରିଥିଲେ । ଆର୍ଯ୍ୟନ ଦତ ନେଦରଲାଣ୍ଡ ପକ୍ଷରୁ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ପଲ ଭାନ ମୀକରନ ଓ ବାସ ଡିଲେଡେ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ବିଜୟ ସହ ଶ୍ରୀଲଙ୍କା ୪ଟି ମ୍ୟାଚରେ ୨ ପଂଏଟ ହାସଲ କରି ୯ମ ସ୍ଥାନରେ ରହିଛି । ଆଫଗାନିସ୍ତାନ ସମାନ ମ୍ୟାଚରେ ୨ ପଂଏଟ ହାସଲ କରି ଶେଷ ସ୍ଥାନରେ ରହିଛି ।

Comments are closed.