Latest Odisha News

କିମ୍ବଦନ୍ତୀରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ – ଯେଉଁ ନାମଟିକୁ ଉଚ୍ଚାରଣ କଲେ ହିଁ ପ୍ରତ୍ୟେକ ପ୍ରାଣ ସ୍ପନ୍ଦନ ସ୍ୱତଃ ଉଦ୍ବେଳିତ ହୋଇଉଠେ । ଜୟ ଜଗନ୍ନାଥ – ଏହି ନାମଟିକୁ ମନନ କରିବା ମାତ୍ରେ ହିଁ ଭକ୍ତର ହୃଦୟ ତନ୍ତ୍ରୀ ଅପୂର୍ବ ଭକ୍ତି ଭାବନାରେ ମନ୍ତ୍ରମୁଗ୍ଧ ହୋଇଉଠେ । ସେହି ଦାରୁବ୍ରହ୍ମ ରୂପୀ ନିଳାଚଳ ନିବାସୀ ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି କୋଟି ଭକ୍ତଙ୍କୁ ତାଙ୍କର ଅପୂର୍ବ ଲୀଳାର କରୁଣାର ବାରିଧିରେ ପ୍ଳାବିତ କରି ପୁରୀଧାମ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଛନ୍ତି । ପ୍ରତ୍ୟେକ ଓଡ଼ିଆଙ୍କର ନିଜ ପ୍ରାଣ ଠାରୁ ଅତି ପ୍ରିୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଥିବାର ଅସଂଖ୍ୟ କିମ୍ବଦନ୍ତୀ ଯୁଗେ ଯୁଗେ ଭକ୍ତି ଭାବନାର ପରମ୍ପରାକୁ ଉଜ୍ଜୀବିତ କରିଆସୁଛି । ଶ୍ରୀକ୍ଷେତ୍ରର ସରଧାବାଲିରେ ପାଦ ଦେଉ ଦେଉ ଭକ୍ତ ଶିରୋମଣି ଦାସିଆ ବାଉରୀଙ୍କ ଭଜନକୁ କି ଭକ୍ତ ସାଲବେଗଙ୍କ ଜଣାଣକୁ ଭକ୍ତ ଭିକାରୀ ବଳଙ୍କ ସୃତିମଧୁର କଣ୍ଠରୁ ଶୁଣିବାପରେ ଆପଣାଛାଏଁ ମନ ଚାଲିଯାଏ ବାଇସି ପାହାଚ ଆଡ଼େ ଅଗ୍ରସର ହେବାକୁ । ସରଳ ଓଡ଼ିଆଟିଏ ତାର ଅତି ପ୍ରିୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେବେ ନିଜ ପରିବାରର ସଦସ୍ୟଟିଏ ଭାବିଥାଏ ତ କେବେ ବନ୍ଧୁ ଭାବି ଆକୁଳ ହୋଇ ଡ଼ାକ ପକାଇଥାଏ ।

ସମଗ୍ର ବିଶ୍ୱରେ ଏମିତି କୌଣସି ଦିଅଁ ନାହାଁନ୍ତି ଯାହାଙ୍କୁ ସରଳ ଧର୍ମପ୍ରାଣ ଓଡ଼ିଆଟିଏ ଭକ୍ତିରେ, ଶ୍ରଦ୍ଧାରେ, ଅଭିମାନରେ, ପ୍ରେମରେ ତଥା ସ୍ନେହାସିକ୍ତ ହୋଇ ସମ୍ବୋଧନ କରିଥାଏ ଜଗା, କାଳିଆ, ପରଂବ୍ରହ୍ମ, ଜଗାକାଳିଆ, ଚକାଡ଼ୋଳା, ଚକାନୟନ, ଚକାଆଖିଆ, ଦାରୁଦେବତା, ଚକାଡ଼ୋଳିଅ, ନିଳାଚଳିଆ, ଦାରୁବ୍ରହ୍ମ, ତଥା ଜଗନ୍ନାଥିଆ ଏହିପରି ଅନେକ ଡ଼ାକ । ଗୋଟିଏ କଥା କିନ୍ତୁ କେବଳ ଏହି ସଂସ୍କୃତିର ପ୍ରାଣକେନ୍ଦ୍ରରେ ଦେଖିବାକୁ ମିଳିଥାଏ, ଏଠି ଭକ୍ତଟିଏ ଭଗବାନଙ୍କୁ ଅଭିମାନ କରି ଗାଳିଦେଇ ତୁ ତା ପରି ସମ୍ବୋଧନ କରିଥାଏ ତ ବେଳେବେଳେ ଭକ୍ତିଭାବନାର ଚରମ ସୀମାରେ ପହଞ୍ôଚ ସର୍ବମଙ୍ଗଳ ଶ୍ରୀଜଗନ୍ନାଥ ପରି ପବିତ୍ର ଶବ୍ଦ ଉଚ୍ଚାରଣ କରି ନିଜକୁ ଭକ୍ତି ଓ ବିଶ୍ୱାସର ରଜ୍ଜୁରେ ବାନ୍ଧି ପକାଇଥାଏ ।

ଶ୍ରୀଜଗନ୍ନାଥ ଧାମ ବା ଶ୍ରୀକ୍ଷେତ୍ର ମହାତ୍ମ୍ୟ

ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ ବେଢି ଶତାଧିକ ଛୋଟବଡ଼ ମନ୍ଦିର ରହିଛି । ଶ୍ରୀମନ୍ଦିର ସିଂହଦ୍ୱାରରୁ ଆରମ୍ଭ କରି ପବିତ୍ର କୋଇଲି ବୈକୁଣ୍ଠ ଯାଏ ମହାପ୍ରଭୁଙ୍କୁ କେନ୍ଦ୍ରକରି ରହିଥାଏ ଅସଂଖ୍ୟ କିମ୍ବଦନ୍ତୀ ସମ୍ବଳିତ ରୋଚକ କଥା ଓ କାହାଣୀ । ଆନନ୍ଦବଜାରରେ ଅବଢା ଅନ୍ନର ମହମହ ବାସ୍ନାରେ ମହକି ଉଠେ ଶ୍ରୀମନ୍ଦିରର ଚୌହଦୀ । ଭାରତରେ ଯେଉଁ ଚାରିଧାମ ରହିଛି ସେଥିମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ବା ଶ୍ରୀଜଗନ୍ନାଥ ଧାମ ଅନ୍ୟତମ । କୁହାଯାଏ ପ୍ରତ୍ୟେକ ଦିନ ଭଗବାନ ବିଷ୍ଣୁ ବଦ୍ରିନାଥରେ ତପସ୍ୟା କରନ୍ତି, ରାମେଶ୍ୱରମ୍ରେ ସ୍ନାନ କରନ୍ତି, ପୁରୀ ଶ୍ରୀକ୍ଷେତ୍ର ଧାମରେ ଭୋଜନ କରନ୍ତି ଏବଂ ଦ୍ୱାରକାରେ ଅନନ୍ତ ଶୟନରେ ନିଦ୍ରା ଯାଆନ୍ତି । ତେଣୁ କୁହାଯାଏ ଭଗବାନ ବିଷ୍ଣୁଙ୍କ ଦାରୁବ୍ରହ୍ମ ଅବତାରରେ ପୂଜିତ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ମହାପ୍ରସାଦ ଟିକେ ପାଇବାକୁ ସ୍ୱର୍ଗରୁ ପ୍ରତ୍ୟେକ ଦିନ ସମସ୍ତ ଦେବାଦେବୀମାନେ ସ୍ୱର୍ଗଦ୍ୱାର ବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ପ୍ରସାଦ ସେବନ କରିବା ପୂର୍ବକ ସେହି ସ୍ୱର୍ଗଦାର ବାଟେ ହିଁ ସ୍ୱର୍ଗକୁ ଗମନ କରିଥାନ୍ତି ।

ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାରମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ । ତନ୍ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା, ଘୋଷଯାତ୍ରା ବା ରଥଯାତ୍ରା ପୃଥିବୀ ପ୍ରସିଦ୍ଧ । ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାନ ଭଉଣୀ ଦେବୀ ସୁଭଦ୍ରା ଓ ବଡ଼ଭାଇ ଶ୍ରୀ ବଳଭଦ୍ର ଦେବ ତିନି ରଥରେ ବିଜେ ହୋଇ ମାଉସୀ ଘରକୁ ବୁଲି ବାହାରନ୍ତି ।
ବିଶ୍ୱର ବିଭିନ୍ନ ଦେଶରୁ ଲକ୍ଷ-ଲକ୍ଷ ଭକ୍ତମାନଙ୍କର ସମାଗମ ହୋଇଥାଏ ଏବଂ ଏହି ପବିତ୍ର ରଥଯାତ୍ରାରେ ଜାତି, ଧର୍ମ, ଭାଷା ଓ ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ତାଙ୍କର ପ୍ରିୟ ଭଗବାନଙ୍କ ତିନି ରଥକୁ ଟାଣି ନିଅନ୍ତି ଶ୍ରଗୁଣ୍ଡିଚା ମନ୍ଦିର ଆଡ଼କୁ ।
ରଥେ ତ୍ୱଂ ବାମନଂ ଦୃଷ୍ଟା ପୁନର୍ଜନ୍ମଂ ନ ବିଦ୍ୟତେ, ଅର୍ଥାତ୍ ହେ ଦାରୁବ୍ରହ୍ମ ରୂପୀ ଭଗବାନ ଆପଣ ରଥ ଉପରେ ବାମନ ପରି ଦୃଶ୍ୟ ହେଉଛନ୍ତି ଏବଂ ଏହି ବାମନ ରୂପୀ ଦାରୁବ୍ରହ୍ମଙ୍କୁ ଟିକେ ଦର୍ଶନ କରିଦେଲେ ଆଉ ପୁନର୍ଜନ୍ମ ନ ହୋଇ ଏହି ପ୍ରାଣର ଆତ୍ମାଟି ସେହି ପରମପ୍ରେମମୟ ଭଗବାନଙ୍କ ଜ୍ୟୋତିରେ ଲୀନ ହୋଇଯାଇଥାଏ ।

କିମ୍ବଦନ୍ତୀରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରଟି ଶ୍ରୀକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିପାରିଛି । ଶ୍ରୀମନ୍ଦିରସ୍ଥ ରତ୍ନବେଦୀରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ମା ସୁଭଦ୍ରା ଏବଂ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଉଛନ୍ତି । ପୁରୀ ଶ୍ରୀକ୍ଷେତ୍ରରେ ଥିବା ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ସଂପର୍କରେ ଅନେକ ପୂରାଣରେ ଏକାଧିକ କିମ୍ବଦନ୍ତୀ ରହିଛି । ପୁରାଣ ଶାସ୍ତ୍ରାନୁଯାୟୀ ଜଣାପଡ଼େ ଦ୍ୱାପର ଯୁଗରେ ଜାରା ଶବର ଶରରେ ତାଙ୍କର ଶରୀର ତ୍ୟାଗ କରିଥିଲେ ଦ୍ୱାରୀକାଧିପତି ଭଗବାନ ଶ୍ରୀକୃଷ୍ଣ । ଭଗବାନ ଶ୍ରୀକୃଷ୍ଣଙ୍କ ମନୁଷ୍ୟ ଶରୀରକୁ ପାଣ୍ଡବମାନେ ଅଗ୍ନିରେ ଦାହ କରି ଅନ୍ତିମ ସଂସ୍କାର କରିବାକୁ ଶତଚେଷ୍ଟା କରିଥିଲେ ମଧ୍ୟ ପୂର୍ଣ୍ଣବ୍ରହ୍ମ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାକୁ ଏକପ୍ରକାର ବିଫଳ ହୋଇଥିଲେ । ଏହି ସମୟରେ ଶୂନ୍ୟବାଣୀ ହେଲା – ଶ୍ରୀକୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଆଦୌ ଭସ୍ମିଭୂତ ହେବନାହିଁ, ତୁମେମାନେ ଏହି ନାଭିକମଳ ସମେତ ସମଗ୍ର ଶରୀରକୁ ମହୋଦଧିରେ ବିସର୍ଜନ କରିଦିଅ ।

ପାଣ୍ଡବମାନେ ଆଉ କାଳବିଳମ୍ବ ନକରି ମହୋଦଧିରେ ଶ୍ରୀକୃଷ୍ଣଙ୍କ ଶରୀରକୁ ମହୋଦଧିରେ ଭସାଇଦେଲେ । ଏହାପରେ ଶ୍ରୀକୃଷ୍ଣଙ୍କ ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । କୁହାଯାଏ ସ୍ୱର୍ଗର ଦେବ-ବିନ୍ଧାଣୀ ବିଶ୍ୱକର୍ମା ନିଜେ ଆସି ସେହି ଦାରୁରେ ମୂର୍ତ୍ତି ନିର୍ମାଣ କଲେ । ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଦେଶ ଥିଲା, ମୂର୍ତ୍ତି ନିର୍ମାଣ ସମୟରେ କୋଠରୀ ସଂପୂର୍ଣ୍ଣ ବନ୍ଦ ରହିବ ଏବଂ ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ନହେବା ଯାଏ କବାଟ ନ ଖୋଲିବାକୁ ଆଦେଶ ରହିଥିଲା । ଦୀର୍ଘ ପନ୍ଦରଦିନ ଅତିକ୍ରାନ୍ତ ପରେ ଭିତରୁ ବୃଦ୍ଧ କାରିଗରଙ୍କ ନିହାଣ ଶବ୍ଦ ନ ଶୁଭିବାରୁ ରାଣୀ ଗୁଣ୍ଡିଚା କୌତୁହଳ ବଶତଃ କବାଟ ଖୋଲିଦେଲେ ।

ଫଳରେ ଦେଖିଲେ ଭିତରେ ତିନି ଠାକୁରଙ୍କ ଅଧାଗଢା ଦିଅଁ ରହିଛି ଏବଂ ମୂର୍ତ୍ତି ନିର୍ମାଣରେ ନିୟୋଜିତ ଥିବା ବୃଦ୍ଧ ବ୍ରାହ୍ମଣ ଜଣକ ନାହାନ୍ତି । ଶ୍ରୀମନ୍ଦିରରେ ଏହି ଅଧାଗଢା ଚତୁର୍ଦ୍ଧା ମୂର୍ତ୍ତିକୁ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇ ପୂଜା ଆରାଧନା କରାଗଲା । ସେହି ସମୟରେ ମହାପ୍ରଭୁ କହିଥିଲେ – ହେ ରାଜନ୍ ! ମୁଁ ବର୍ଷକୁ ଥରେ ମୋ ବଡ଼ଭାଇ ଓ ସାନ ଭଉଣୀ ସହିତ ଜନ୍ମଭୂମିକୁ ବୁଲିବାକୁ ଯିବି । ତେଣୁ ମହାପ୍ରଭୁଙ୍କ ଆଦେଶ ପାଳନ କରିବା ପୂର୍ବକ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜୀଉମାନଙ୍କୁ ପ୍ରତ୍ୟେକ ବର୍ଷ ତିନୋଟି ରଥରେ ବସାଇ ଗୁଣ୍ଡିଚା ମନ୍ଦିର ବୁଲାଇ ନିଅନ୍ତି, ଏବଂ ସେଠାରେ କିଛିଦିନ ରହିବା ପରେ ପୁନଃ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି ।

କିମ୍ବଦନ୍ତୀରେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପର୍କରେ ଅନେକ ବର୍ଣ୍ଣନା ରହିଛି ନୀଳାଦ୍ରୀ ମହୋଦୟ ଗ୍ରନ୍ଥରେ । ଏହି ଗ୍ରନ୍ଥାନୁଯାୟୀ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ରରେ ଆବିର୍ଭାବ ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ନିର୍ମାଣ କଲେ । ସେହି ମନ୍ଦିରକୁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ଲାଗି ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକ ଯାଇଥିଲେ । ସେ ସେଠାରୁ ବ୍ରହ୍ମାଙ୍କୁ ଶ୍ରୀମନ୍ଦିର ଆଣିଲେ । ଶ୍ରୀମନ୍ଦିରର ରତ୍ନବେଦୀରେ ବିଭିନ୍ନ ଶାସ୍ତ୍ରାନୁମୋଦିତ ବିଧି ଅନୁସାରେ ମହାପ୍ରଭୁଙ୍କର ମୂର୍ତ୍ତି ପ୍ରତିଷ୍ଠା କରାଗଲା । ବ୍ରହ୍ମର୍ଷି ନାରଦ ମୁନୀ ସଙ୍ଗରେ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ନେଇ ଯାଇଥିଲେ । ସେମାନେ ମହାପ୍ରଭୁଙ୍କ ଲାଗି ରଥ ନିର୍ମାଣ କଲେ । ସେହିବର୍ଷ ଠାରୁ ହିଁ ଆଷାଢ ମାସ ଶୁକ୍ଳ ତୃତୀୟାଠାରୁ ଆଷାଢ ମାସ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ପୂଜା ପାଆନ୍ତି ଏବଂ ଆଷାଢ ଶୁକ୍ଳ ଦଶମୀ ତିଥିରେ ପହଣ୍ଡି ହୋଇ ରଥରେ ଶ୍ରୀମନ୍ଦିରକୁ ପତ୍ତ୍ୟାବର୍ତ୍ତନ କରିଥାନ୍ତି ।

 

Leave A Reply

Your email address will not be published.