Latest Odisha News

BREAKING NEWS

ସୁଧୁରୁଛି ଶ୍ରୀଜିଉଙ୍କ ସ୍ବାସ୍ଥ୍ୟ; ସେପଟେ ରଥରେ ସଂଯୋଗ ହେଲା ଜଂଘା କଣ୍ଟା

ପୁରୀ: ସ୍ନାନଯାତ୍ରା ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଶାସ୍ତ୍ରାନୁମୋଦିତ ଚିକିତ୍ସା ଚାଲିଛି । ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧର (ଦଇତାପତି)ମାନେ ଏହି ଗୁପ୍ତସେବାରେ ଲାଗିଛନ୍ତି । ପଞ୍ଚମୀରେ ଶଯ୍ୟାଶାୟୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜଡିବୁଟିଯୁକ୍ତ ଫୁଲୁରି ତେଲ ଲାଗି କରାଯାଇଥିବା ବେଳେ ମଙ୍ଗଲବାର ଠାରୁ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଶ୍ରୀଅଙ୍ଗରେ ଓଷ ଲାଗି ହୋଇଛି । ଏହି ଓଷ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ । ତିନିଦିନ ଧରି ମହାପ୍ରଭୁଙ୍କ ଏହି ଓଷ ଉପଚାର ଚାଲିବ ।

ମଙ୍ଗଳବାର ପ୍ରଥମ ଦିନରେ ଓଷ ଉପଚାର ଜାରି ରହିଛି । ପ୍ରତିଦିନ ଭଳି ଆଜି ପଟିଦିଅଁଙ୍କ ଠାରେ ମଧ୍ୟାହ୍ନ ଧୂପ ସରିବା ପରେ ଅଣସର ଦ୍ୱାର ଫିଟାଯାଇ ଏହି ଗୁପ୍ତ ସେବା ଆରମ୍ଭ ହୁଏ । ଅଣସର ଘରେ ଗୁପ୍ତ ସେବା ସରିବା ପରେ ପୁଣି ଅଣସର ଦ୍ୱାର ବନ୍ଦ ହୁଏ । ପରେ ପଟିଦିଅଁଙ୍କ ଅନ୍ୟାନ୍ୟ ନୀତି ଆରମ୍ଭ ହୁଏ । ସ୍ନାନଯାତ୍ରା ପରଠାରୁ ଅଣସର ଘରେ ଥିବା ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ପ୍ରତିଦିନ ଏଭଳି ଚାଲିଆସେ ।

ସେପଟେ ୪୮ ଦିନରେ ଚଳଚଞ୍ଚଳ ହୋଇଛି ରଥଖଳା । ପୋଟଳ, ପାରାଭାଡ଼ି ସଂଯୋଗ ହୋଇ, ରଥ ଉପରକୁ ଖପୁରୀ ଉଠିବା ସହ ଭୋଇ ସେବକ ଦେଇଛନ୍ତି ଷଷ୍ଠ ହରିବୋଲ୍ । ପୋଟଳ ସହ ପାରାଭାଡ଼ି ସହ ସଂଯୋଗ ହୋଇ ଲାଗିଛି ଜଙ୍ଘା କଣ୍ଟା । ଜଂଘା କଣ୍ଟା ହେଉଛି ରଥରେ ବ୍ୟବହୃତ ସବୁଠାରୁ ବଡ଼ କଣ୍ଟା । ୧ ଇଞ୍ଚ ଗୋଲେଇର ଏହି କଣ୍ଟା ର ଉଚ୍ଚତା ପ୍ରାୟ ସାଢେ଼ ଚାରି ଫୁଟ । ୬ ନମ୍ବର୍ ଓ ୭ ନମ୍ବର୍ ପୋଟଳ ରେ ପାରାଭାଡି ରହିଥାଏ । ଏବଂ ଏହି କଣ୍ଟା ପାରଭାଡ଼ିରୁ ଏକ ନମ୍ବର୍ କଣ୍ଟା ପର୍ଯ୍ୟନ୍ତ ସଂଯୋଗ ହୋଇଥାଏ । ଆଜି ପାରା ଭାଡ଼ି ସଂଯୋଗ ପରେ ଖପୁରୀ ଉଠିବା ସହ ଭୋଇ ସେବକ ମାନେ ଷଷ୍ଠ ହରିବୋଲ ଦେଇଛନ୍ତି ଏବଂ ୩ଟି ହରିବୋଲ ବାକି ରହିଛି ।

ସେପଟେ ଚିତ୍ରକାର ସେବକ ମାନେ ହଂସପଟା, କନ୍ଦର୍ପ ରୂପ, ଋଷି ପଟା, କଳସ, ଶୁଆ ଆଦିର ଚିତ୍ର କାର୍ଯ୍ୟ ଜାରି ରହିଛି । ଅନ୍ୟପଟରେ ଦରଜୀ ସେବକ ମାନେ କନା ପକା କାର୍ଯ୍ୟ ଜାରି ରଖିଛନ୍ତି ।

Comments are closed.