Latest Odisha News

BREAKING NEWS

ବଡ଼ ଦେଉଳରେ ଚାଲିଛି ଦେବ ଦୀପାବଳୀ; ଶ୍ରାଦ୍ଧ ବେଶରେ ବିଦ୍ୟମାନ ଶ୍ରୀଜୀଉ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଆମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି। ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ ।

ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ । ନିର୍ବଂଶ ହୋଇଯିବା ପାଇଁ ବରମାଗିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଜଗନ୍ନାଥ ନିଜେ ଶ୍ରାଦ୍ଧ ଦେଉଥିବା ମତ ରହିଛି।

ଏହି ବେଶରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇଥାନ୍ତି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ । ଏଥିରେ ଠାକୁରମାନେ ଧଳା ବସ୍ତ୍ର ପରିହିତ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡ଼ି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ ।

ଶ୍ରୀଜଗନ୍ନାଥ : ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ନାଲି ।

ଶ୍ରୀବଳଭଦ୍ର: ଲମ୍ବା ୧୪ ହାତ , ଓସାର ୪ ହାତ ,ଧଡ଼ି ଓସାର ୧ ଫୁଟ ,ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା ।

ଶ୍ରୀସୁଭଦ୍ରା :ଲମ୍ବା ୧୨ ହାତ , ଓସାର ସାଢେ ୩ ଫୁଟ,ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ହଳଦିଆ ।

ଏତଦବ୍ୟତିତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିର ଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ । ଚାଦରିଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଈ ଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ । ଶ୍ରାଦ୍ଧବେଶରେ ଠାକୁରମାନଙ୍କୁ ଲାଗି କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ତଡ଼ଗୀ,ନଳିଭୁଜ,ଚନ୍ଦ୍ର,ସୂର୍ଯ୍ୟ,କୁଣ୍ଡଳ,ଆଡ଼କାନି, ହରିଡା ମାଳି, ଅଣ୍ଟାକମରପଟୃଇ ପ୍ରଭୂତି ଅନ୍ୟତମ ।

Comments are closed.