Latest Odisha News

BREAKING NEWS

ପୁରୀ ପରିକ୍ରମା ପ୍ରକଳ୍ପ: ଆଜି ଆସିବ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାୟ ସଂରକ୍ଷିତ ରହିଛି । ଆଜି ଏହାର ରାୟ ଆସିବ ବୋଲି ସୂଚନା ରହିଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ବେଳେ ବେଆଇନ କାମ ହୋଇଛି କହି ଦୁଇ ଜଣ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଜଷ୍ଟିସ ବି. ଆର୍. ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀମନ୍ଦିରରେ ଓଡ଼ିଶା ସରକାରଙ୍କ ବେଆଇନ ଖନନ ଓ ନିର୍ମାଣ କାମକୁ ନେଇ ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇ ଦୁଇଟି ପୃଥକ ପୃଥକ ଲିଭ୍ ପିଟିସନ୍ ବା ଆବେଦନ କରିଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଶୁକ୍ରବାର ଯାଏ ରାୟ ସଂରକ୍ଷିତ ରଖିଛନ୍ତି।

ଜଗନ୍ନାଥ ମନ୍ଦିରର 100 ମିଟର ନିଷିଦ୍ଧାଞ୍ଚଳ । ହେଲେ ଏଠାରେ କିଭଳି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ସ୍ମାରକୀ ପ୍ରାଧିକରଣର ବିନା ଅନୁମତିରେ ନିର୍ମାଣ କାମ ହେଉଛି କହି ଆବେଦନକାରୀ କୋର୍ଟଙ୍କୁ ଅବଗତ କରାଇଥିଲେ । ସେହିପରି ସରକାରଙ୍କ ପକ୍ଷ ରଖିଛନ୍ତି ଆଡଭୋକେଟ ଜେନେରାଲ ଅଶୋକ ପରିଜା, ପୁରୀ ସାଂସଦ ତଥା ଆଇନଜୀବୀ ପିନାକୀ ମିଶ୍ର, କପିଲ ସିବଲ ପକ୍ଷ ରଖିଥିଲେ।

ଆବେଦନକାରୀଙ୍କ ଓକିଲ କହିଛନ୍ତି, “ପ୍ରାଚୀନ ସ୍ମାରକୀ ଓ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଓ ଅବଶେଷ ଆଇନ 1958ର ଧାରା 20ଏକୁ ଉଲ୍ଲଂଘନ କରି ନିଷିଦ୍ଧ ଅଞ୍ଚଳରେ ଖନନ କରାଯାଇଥିବାରୁ ସମ୍ପୂର୍ଣ୍ଣ ଐତିହ୍ୟ ଢାଞ୍ଚା ପ୍ରତି ବିପଦ ରହିଛି। ଏହା ବ୍ୟତୀତ ସମାନ ଦାବି କରି ଏଏସଆଇ କୋର୍ଟରେ ରିପୋର୍ଟ ଦାଖଲ କରିଛି। ରାଜ୍ୟ ସରକାର ବେଆଇନ ନିର୍ମାଣ କାମ କରୁଛନ୍ତି। ଏହା ପ୍ରାଚୀନ ମନ୍ଦିରର ଗଠନ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିଛି । ପରେ ସରକାରୀ ଓକିଲମାନେ ଦାବି କରିଛନ୍ତି ଯେ ଏବେ କୌଣସି ନିର୍ମାଣ କାମ ହେଉନି।

ସେହିପରି ଅନ୍ୟତମ ଓକିଲ ମହାଲକ୍ଷ୍ମୀ ପବନୀ କହିଥିଲେ ଯେ ନିଷିଦ୍ଧ ଅଞ୍ଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ବାରଣ ରହିଛି। ଏହି ଅଞ୍ଚଳରେ ନିର୍ମାଣ କରିବାକୁ ଅନୁମତି ଦିଆଯାଇନି ବୋଲି ସେ କହିଛନ୍ତି।

ତେବେ ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ ଅଶୋକ କୁମାର ପରିଜା କହିଥିଲେ ଯେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ପ୍ରକଳ୍ପର ମୂଳ ଲକ୍ଷ୍ୟ। ଯାହା ନିର୍ମାଣ ହେଉଛି ତାହା ପରିକ୍ରମା ଅଞ୍ଚଳର ତାହା ମାତ୍ର ୧%। ଶୌଚାଳୟ, ଇଲେକ୍ଟ୍ରି ରୁମ୍‌ ପାଇଁ ଅନୁମତି ମିଳିଛି। ଏନଏମଏ ଅନୁମତି ଦେଇଛି। ପୁରୀକୁ ଅନେକ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ ଜରୁରୀ। ଏଥିପାଇଁ ଆମିକସକ୍ୟୁରୀ କହିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.