Latest Odisha News

BREAKING NEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ: ଶ୍ରୀନଅରରେ ଗଜପତି ମହାରାଜା କରିବେ ଆଚାର୍ଯ୍ୟ ବରଣ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ । ଆଜି (ଶୁକ୍ରବାର) ସନ୍ଧ୍ୟାରୁ ଆରମ୍ଭ ହୋଇଛି ପ୍ରକଳ୍ପ କାର୍ଯ୍ୟକ୍ରମ । ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ । ଗୁଆଟେକା କାର୍ଯ୍ୟ ପରେ ଅଙ୍କୁରରୋପଣ ହେବ । ଆସନ୍ତାକାଲି (ଶନିବାର) ଦିନ ୧୧ ଟା ସମୟରୁ ରୁ ରାତି ୮ ଟା ଯାଏଁ ଅଙ୍କୁରପୂଜନ ହେବ ।

ଆସନ୍ତା ୧୪ ତାରିଖରେ ଯଜ୍ଞ, ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜା ସ୍ଥାପନ ଓ ତୋରଣ ସ୍ଥାପନ କରାଯିବ । ୧୫ ତାରିଖରେ ଅଖଣ୍ଡଦୀପ ସ୍ଥାପନ ସହ ସନ୍ଧ୍ୟା ୬ ଟା ମଧ୍ୟରେ ପଞ୍ଚକର୍ମ ଶେଷ ହେବ । ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦପାରାୟଣ, ନାମ ସଂକୀର୍ତ୍ତନ, ଆରତୀ ଓ ପୁଷ୍ପାଞ୍ଜଳି ହେବ । ଏହାପରେ ୧୬ ତାରିଖରେ ନିର୍ଦ୍ଧାରିତ ହୋଇଥିବା ଅନ୍ୟାନ୍ୟ ପୂଜା ଯେପରି, ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ଶାଳା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ କାର୍ଯ୍ୟ ସମ୍ପନ୍ନ କରାଯିବ ।

ସୂଚନା ଅନୁସାରେ, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ନିଳାଦ୍ରୀ ଭକ୍ତ ନିବାସରେ ହୋଇଥିବା ବୈଠକ ପରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୭ ତାରିଖ ଦିନ ୧ ଟା ୧୫ ମିନିଟ୍‌‌ ରୁ ୧ ଟା ୩୦ ମିନିଟ୍‌‌ ମଧ୍ୟରେ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଟା ୩୦ ରୁ ୨ ଟା ମଧ୍ୟରେ ଯଜ୍ଞ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ଏହାପରେ ଦିନ ୨ ଟାରୁ ୨ ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦିନ ୨ ଟା ୩୦ ରୁ ୩ ଟା ମଧ୍ୟରେ ସଭାସ୍ଥଳରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦିନ ୩ ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.