Latest Odisha News

BREAKING NEWS

ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେଲା ଖାଲି ସିନ୍ଦୁକ ଓ ଆଲମାରୀ

ପୁରୀ: ଆଜି ପୁଣି ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରାଗୁଡ଼ିକୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ସେବାୟତଙ୍କ ସହାୟତରେ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ।
ଏଥିପାଇଁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଥିଲେ ।

ସ୍ଥାନାନ୍ତର ସରିବା ଯାଏ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାବେଳେ ଏବେ ଏହି ପ୍ରକ୍ରିୟା ଶେଷ ହେବା ପରେ ସାଧାରଣ ଦର୍ଶନ ସ୍ବାଭାବିକ ହୋଇଛି ।

ସେହିପରି ରତ୍ନଭଣ୍ଡରାରେ ଥିବା ଏକ ଲୁହା ସିନ୍ଦୁକ ସ୍ଥାନାନ୍ତରଣ ବେଳେ ବାହାରକୁ ବାହାରିବା ସମ୍ଭବ ନ ହେବାରୁ ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଏହାକୁ ବାହାର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହା ପରେ ବର୍ତ୍ତମାନ ଏସଆଇକୁ ଚିଠି ଲେଖାଯିବ । ଏଏସଆଇ ଆବଶ୍ୟକ ସ୍କାନିଂ କରି କିଛି ଜିନିଷ ଥିଲେ ସନ୍ଧାନ କରିବ । ଆବଶ୍ୟକ ସ୍କାନିଂ ପରେ ଏଏସଆଇ ମରାମତି କାର୍ଯ୍ୟ କରିବ । ମରାମତି କାମ ସରିବା ପରେ ଏଏସଆଇ ରତ୍ନଭଣ୍ଡାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ । ତା’ପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁ ବାହାର ଓ ଭିତର ରତ୍ନଭଣ୍ଡରକୁ ସ୍ଥାନାନ୍ତର ହେବ । ଏହା ପରେ ସେଠାରେ ଗଣତି ଓ ମଣତି କରାଯିବ ବୋଲି ଜଣାପଡ଼ିଛି ।

Comments are closed.