Latest Odisha News

BREAKING NEWS

ଖୋଲିଲା ବଡ଼ଦେଉଳ: ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ

ପୁରୀ: ଦୀର୍ଘ ୪ ମାସ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । କେବଳ ପୁରୀ ସହର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ କରିଥିବା ଟୋକନ୍ ବ୍ୟବସ୍ଥା ଅନୁସାରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଓ୍ୱାର୍ଡଓ୍ୱାରୀ ମହାପ୍ରଭୁଙ୍କ ଦର୍ଶନ । କୋଭିଡ୍ କଟକଣା ଭିତରେ ଆବଶ୍ୟକ ଫଟୋ ଥିବା ପରିଚୟ ପ୍ରମାଣପତ୍ର ଦେଖାଇ ପୁରୀ ବାସିନ୍ଦା ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ କରିଛି ବ୍ୟାରିକେଡ୍ ବ୍ୟବସ୍ଥା । ୮ଟି କିଓସ୍କି କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବି ହୋଇଛି । ତିନିଟି ପର୍ଯ୍ୟାୟରେ ସକାଳ ୭ଟାରୁ ଦିନ ସାଢ଼େ ୧୦ଟା, ଦିନ ୧୧ଟାରୁ ସାଢ଼େ ୨ଟା ଓ ଶେଷରେ ଅପରାହ୍ଣ ସାଢ଼େ ୩ଟାରୁ ସଂଧ୍ୟା ୭ଟା ଯାଏ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ତିନିଟି ରଙ୍ଗର ଟୋକନ୍ ବଣ୍ଟାଯାଇଛି ।

ଯେଉଁମାନେ ଟୋକନ୍ ପାଇ ନାହାନ୍ତି ସେମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଥିବା ଅସ୍ଥାୟୀ କାଉଣ୍ଟରରୁ ଟୋକନ୍ ସଂଗ୍ରହ କରିପାରିବେ । ଭଡ଼ାଟିଆଙ୍କ ପାଇଁ ଅଲଗା ଟୋକନ୍ ବ୍ୟବସ୍ଥା କରିଛି ପୁରୀ ପ୍ରଶାସନ । ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବେ । ଦର୍ଶନ ପରେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି ।
ଆଜିଠୁ ପାଞ୍ଚ ଦିନ ମହାପ୍ରଭୁଙ୍କୁ ଦର୍ଶ କରିବାର ସୁଯୋଗ ପାଇବେ ପୁରୀ ସହରବାସୀ । ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ପ୍ରତି ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ୍ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି । ୮ ପ୍ଲାଟୁନ୍ ଫୋର୍ସ ସହ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.