Latest Odisha News

BREAKING NEWS

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଭିତର ବେଢ଼ା ଫଟୋ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ବେଢ଼ା ଫଟୋ । ଏତେ ସୁରକ୍ଷା ମଧ୍ୟରେ କିପରି ମନ୍ଦିର ଭିତରକୁ ମୋବାଇଲେ ଗଲା ଆଉ ଫଟୋ ଉଠାଇବା ବେଳେ ମଧ୍ୟ କାହାରି ଦୃଷ୍ଟି ଗୋଚର ହୋଇପାରିଲା ନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ସେବାୟତ ଓ ଭକ୍ତ ମହଲରେ ନିନ୍ଦା କରାଯାଇଛି ।

ଖବର ମୁତାବକ, ଭାଇରାଲ ହୋଇଥିବା ଫଟୋ ସତ୍ୟନାରାୟଣ ମନ୍ଦିର ନିକଟର ବୋଲି ଜଣାପଡିଛି । ଫଟୋରେ ସତ୍ୟନାରାୟଣ ମନ୍ଦିରଠାରୁ ଭିତର ବେଢ଼ା ଏବଂ ବଟବୃକ୍ଷ ସହିତ ଅନ୍ୟ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏହି ଫଟୋ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ପୋଷ୍ଟ କରିଥିବା ଯୁବକ ଜଣକଙ୍କ ପରିଚୟ ଜନି ଦତ୍ତ ବୋଲି ଜଣାପଡିଛି ।

ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ନେଇ କଟକଣା ଜାରି ହୋଇଥିବାବେଳେ, ଏନେଇ ମନ୍ଦିର ବାହାରେ ମୋବାଇଲ ଷ୍ଟାଣ୍ଡ ମଧ୍ୟ ରହିଛି । ଖାଲି ସେତିକି ନୁହେଁ କୌଣସି କାରଣ ବଶତଃ ହେଉ କିମ୍ବା ଭୁଲରେ କେହି ଯେପରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନନିଅନ୍ତୁ ସେନେଇ ଯାଞ୍ଚ ପାଇଁ ପୋଲିସକର୍ମୀ ମାନେ ନିଯୁକ୍ତ ମଧ୍ୟ ହୋଇଛନ୍ତି । ଏହା ସତ୍ତ୍ବେ କିପରି ଏଭଳି ଘଟଣା ଘଟୁଛି?

ତେବେ ଏଥିରୁ ସ୍ପଷ୍ଟ ଯେ, ସୁରକ୍ଷା ବ୍ୟବସ୍ଥାରେ ଢିଲା ରହୁଛି । ବାରମ୍ବାର ଏଭଳି ଫଟୋ ଭାଇରାଲ୍ ହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୁରନ୍ତ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି ।

Leave A Reply

Your email address will not be published.