Latest Odisha News

BREAKING NEWS

ଆସନ୍ତୁ ଜାଣିବା ଶ୍ରୀମନ୍ଦିରର ନିଆରା ଦୋଳଉତ୍ସବ

ପୁରୀ: ଶ୍ରୀକ୍ଷେତ୍ର ଆଉ ଶ୍ରୀମନ୍ଦିର ଏବେ ଦୋଳଉତ୍ସବ ମୁଖରିତ । ଭକ୍ତଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ବୈଷ୍ଣବ ଧର୍ମୀମାନେ ଶ୍ରୀକୃଷ୍ଣ ଅବତାରୀ ଭାବେ ଗ୍ରହଣ କରିଥାନ୍ତି । ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ କିପରି ଭାବେ ଦୋଳ ଉତ୍ସବ ପାଳନ କରାଯାଏ ।
ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ ଶେଷ ହୁଏ । ଦଶମୀଠାରୁ ଚତୁର୍ଦ୍ଦଶୀ ମଧ୍ୟରେ ତିଥିକ୍ଷୟ ଥିଲେ ଫାଲଗୁନ ଶୁକ୍ଳ ନବମୀଠାରୁ ପାଳନ କରାଯାଏ । ସର୍ବତ୍ର ରାଧାକୃଷ୍ଣଙ୍କର ଦୋଳଯାତ୍ରାର ପ୍ରସିଦ୍ଧି ଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରୀଦେବୀ ଓ ଭୂଦେବୀଙ୍କ ସହିତ ଦୋଳଗୋବିନ୍ଦଙ୍କ ଦୋଳଯାତ୍ରା ଏହାକୁ କିଛି ମାତ୍ରାରେ ପୃଥକ କରିଥାଏ । ଦଶମୀ ଦିନ ଶ୍ରୀଜୀଉମାନଙ୍କର  ଚାଚେରୀ ବେଶ ନିମନ୍ତେ ଶ୍ରୀଦେବୀ ଓ ଭୂଦେବୀ ସିଂହାସନରୁ ଦକ୍ଷିଣ ଘରଠାକୁ ବିଜେ ହୁଅନ୍ତି । ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ ହୁଅନ୍ତି। ସେଠାରେ ଭୋଗ ଓ ଜଉଡାବ ଖେଳ ପରେ ବାହୁଡା ବିଜେ କରନ୍ତି। ଏକାଦଶୀ ଦିନ ଜୟବିଜୟ ଦ୍ଵାରଠାରେ ଭୋଗ ବନ୍ଦାପନା (ଦୋଳଗୋବିନ୍ଦଙ୍କ) ସରିବା ପରେ ଦୁଇ ଦେବୀ ଭିତରକୁ ବିଜେ କରି ଆସି ଜୟବିଜୟ ଦ୍ଵାରଠାକୁ ଆସନ୍ତି। ତିନିଦିଅଁ ବିମାନରେ ଜଗନ୍ନାଥବଲ୍ଲଭ ମଠକୁ ବିଜେ କରନ୍ତି। ଅନ୍ୟାନ୍ୟ ନୀତି ଫଗୁ ଦଶମୀ ପରି ହୁଏ। ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ହୁଏ।  ଦୁଇ ଠାକୁରାଣୀ ଚାଚେରୀ ବେଶ ନିମନ୍ତେ ଦକ୍ଷିଣ ଘରଠାରେ ଖଟଶେଯ ଉପରକୁ ବିଜେ କରନ୍ତି। ଏମାନଙ୍କ ସହିତ ଦୋଳଗୋବିନ୍ଦ ମଧ୍ୟ ବେଶ ହୁଅନ୍ତି । ବେଶ ପରେ ଦକ୍ଷିଣ ଘର ଭୋଗ ହୁଏ । ସେଠାରୁ ଦିଅଁମାନେ ଭିତରକୁ ବିଜେ କରନ୍ତି ।

ମୁଦିରସ୍ତଙ୍କ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ଭୋଗ କରନ୍ତି।  ପଣ୍ଡା, ପତି, ମୁଦିରସ୍ତ ଚନ୍ଦନ ଫଗୁ ବିଜେ କରାଇ ଆଣି ତିନିବାଡ଼ରେ ଶ୍ରୀଅଙ୍ଗରେ ଲାଗି କରାନ୍ତି ଓ ବନ୍ଦାପନା କରନ୍ତି । ପୂଜାପଣ୍ଡା ଆଜ୍ଞାମାଳ ଦେଲାପରେ ମହାଜନମାନେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ହାତରେ ବିଜେ କରାଇନେଇ ଜୟବିଜୟ ଦ୍ଵାର ଓ ମୁକ୍ତିମଣ୍ଡପ ଦେଇ ଲକ୍ଷ୍ମୀଙ୍କ ମନ୍ଦିରଠାରେ ପଲଙ୍କରେ ବିଜେ କରାନ୍ତି । ଏଠାରେ ଫଗୁଖେଳ ହୁଏ । ପରେ ଲକ୍ଷ୍ମୀମନ୍ଦିରଠାରେ ଥିବା ବିମାନରେ ତିନିଦିଅଁ ବିଜେକରି ଦୋଳବେଦୀଠାରେ ଥିବା ଅଗ୍ନିଉତ୍ସବ ଘରକୁ ବିଜେ କରନ୍ତି। ସେଠାରେ ପୂଜାପଣ୍ଡା ହୋମ କରନ୍ତି ।

ହୋମ ପରେ ପ୍ରସାଦ ଲାଗି, ଶୀତଳ ଭୋଗ ମଣୋହି ହୋଇ ଚାମର ଆଲଟ ହୁଏ। ଅଗ୍ନି ଘରେ ନିଆଁ ଲଗାଯାଏ। ବିମାନ ଅଗ୍ନିଘର ଚାରିପଟେ ସାତଘେରା ବୁଲେ। ବାହୁଡ଼ାବିଜେ ପୂର୍ବଦିନମାନଙ୍କ ପରି ହୁଏ। ଏହା ପରେ ଭିତରେ ବଡ଼ସିଂହାର ଭୋଗ ହୋଇ ଅନ୍ୟାନ୍ୟ ନୀତି ହୁଏ।

Leave A Reply

Your email address will not be published.