Latest Odisha News

ସେଂଟ୍ ମାର୍ଟିନ ପାଇଁ ହସିନାଙ୍କୁ ତଡିଲା ଆମେରିକା ?

ନୂଆଦିଲ୍ଲୀ: ବାଂଲାଦେଶର ଏକ ଛୋଟ ଆଇଲାଣ୍ଡ୍ ହେଲା କି ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତର କାରଣ ? ଆଇଲାଣ୍ଡର ସାର୍ବଭୌମତ୍ୱ ନ ମିଳିବାରୁ ହସିନା ସରକାର ବିରୋଧରେ ଷଡଯନ୍ତ୍ର କରିଥିଲା କି ଆମେରିକା ? ବାଂଲାଦେଶର ବିକ୍ଷୋଭ ଓ ପ୍ରତିବାଦ ପଛରେ ଆମେରିକାର ହାତ ନେଇ ପ୍ରଥମ ଥର ପାଇଁ ଇସାରା କରିଛନ୍ତି ଶେଖ୍ ହସିନା । ଆଉ ଏହା ପଛର କାରଣ ହେଉଛି ଏକ ଛୋଟ ଦ୍ୱୀପ । ସାମରିକ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସେଂଟ୍ ମାର୍ଟିନ ଆଇଲାଣ୍ଡ୍‌ରେ ଆମେରିକାର କାର୍ଯ୍ୟକଳାପକୁ ଅନୁମତି ଦେଇନଥିଲା ବାଂଲାଦେଶ । ଏଥିପାଇଁ ଆମେରିକା ତାଙ୍କ ସରକାରଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିଲା ବୋଲି ଖୋଦ୍ ଶେଖ୍ ହସିନା ଅଭିଯୋଗ କରିଛନ୍ତି । ହସିନାଙ୍କ ଅଭିଯୋଗ ପରେ ଚର୍ଚ୍ଚାର ପରିସରକୁ ଆସିଛି ସେଂଟ୍ ମାର୍ଟିନ ଆଇଲାଣ୍ଡ୍ ।

ଛୋଟ ଦ୍ୱୀପ ହେଲେ ବି ସେଂଟ ମାର୍ଟିନର ରଣନୀତିକ ଗୁରୁତ୍ୱ ରହିଛି । ତେଣୁ ଆମେରିକା ଏହି ସେଂଟ ମାର୍ଟିନ ଦ୍ୱୀପ ଉପରେ ଆଖି ପକାଇଥିଲା। ମାତ୍ର ତିନି କିଲୋମିଟର ବ୍ୟାପୀ ଭୂଖଣ୍ଡ ଉପରେ ସାର୍ବଭୌମତ୍ୱ ଛାଡିବା ପାଇଁ ହସିନା ସରକାର ରୋକଠୋକ୍ ମନା କରିଥିଲେ । ଏଥିପାଇଁ ବାଂଲାଦେଶରେ ଆମେରିକା ଅସ୍ଥିରତା ସୃଷ୍ଟି କରିଥିଲା ବୋଲି ହସିନା ଏକ ଇଂରାଜୀ ଖବରକାଗଜକୁ ଲେଖିଥିବା ଚିଠିରେ ଅଭିଯୋଗ କରିଛନ୍ତି । ଯଦି ସେ ସେଂଟ ମାର୍ଟିନ ଦ୍ୱୀପକୁ ଆମେରିକାକୁ ଛାଡି ଦେଇଥାଆନ୍ତେ, ତାହା ହେଲେ କ୍ଷମତାରେ ଏବେ ବି ରହିଥାଆନ୍ତେ ବୋଲି ହସିନା କହିଛନ୍ତି।

ସେଂଟ ମାର୍ଟିନ ଆଇଲାଣ୍ଡର କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? କାହିଁକି ଏହି ଦ୍ୱୀପ ପ୍ରତି ରୁଚି ଦେଖାଇଥିଲା ଆମେରିକା ? ବଙ୍ଗୋପସାଗରର ଉତ୍ତରପୂର୍ବ ଅଂଚଳରେ ରହିଛି ସେଂଟ୍ ମାର୍ଟିନ ଦ୍ୱୀପ । ଭାରତ ଓ ଚୀନର ନିକଟବର୍ତ୍ତୀ ଅଂଚଳରେ ରହିଛି ସେଂଟ୍ ମାର୍ଟିନ୍ । ଆମେରିକା ଏହି ଦ୍ୱୀପରେ ସାମରିକ ଘାଟି ପ୍ରତିଷ୍ଠା କରି ଭାରତ ଓ ଚୀନର କାର୍ଯ୍ୟକଳାପ ଉପରେ ସହଜରେ ନଜର ରଖିପାରିବ । ବିଶେଷକରି ଚୀନର ସଂପ୍ରସାରଣବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବା ପାଇଁ ଆମେରିକା ବୋଧହୁଏ ସେଂଟ ମାର୍ଟିନ ଉପରେ ଅଧିକାର ଚାହୁଁଥିଲା । ସେଂଟ ମାର୍ଟିନରେ ଆମେରିକା ଏକ ଏୟାର ବେସ୍ ପ୍ରତିଷ୍ଠା କରିବାକୁ ଚାହୁଁଛି । ଏହାଦ୍ୱାରା ବଙ୍ଗୋପସାଗର ଓ ଭାରତ ମହାସାଗର ଅଂଚଳରେ ନିଜର ଉପସ୍ଥିତି ଜାହିର କରିପାରିବ ଆମେରିକା । ଜୈବ ବିବିଧତା, ପରିବେଶ, ପର୍ଯ୍ୟଟନ ସମେତ ଆହୁରି ଅନେକ କାରଣରୁ ମଧ୍ୟ ସେଂଟ ମାର୍ଟିନ ଆଇଲାଣ୍ଡର ଗୁରୁତ୍ୱ ରହିଛି ।

ବାଂଲାଦେଶରେ ସେଂଟ ମାର୍ଟିନ ଆଇଲାଣ୍ଡକୁ ନାରିକେଲ ଜିନଜିରା କୁହାଯାଏ । ଏଠାରେ ନଡିଆ ଗଛ ଅଧିକ ଥିବାରୁ ଦ୍ୱୀପର ସ୍ଥାନୀୟ ନାମକରଣ ଏପରି ହୋଇଛି । କେହି କେହି ସେଂଟ ମାର୍ଟିନକୁ ଦାରୁଚିନି ଦ୍ୱୀପ ବୋଲି ମଧ୍ୟ କହନ୍ତି । ସେଂଟ ମାର୍ଟିନ ବାଂଲାଦେଶର ଏକମାତ୍ର କୋରାଲ ଆଇଲାଣ୍ଡ୍ । ଏଠାରେ ପ୍ରାୟ ୪ ହଜାର ଲୋକ ବସବାସ କରନ୍ତି । ଅଧିକାଂଶ ଲୋକ ମତ୍ସ୍ୟଜୀବୀ । ଧାନ ଚାଷ ଓ ନଡିଆ ଚାଷ ବି ଏହି ଦ୍ୱୀପରେ ହୁଏ ।

ଭାରତ ବିଭାଜନ ପରେ ସେଂଟ୍ ମାର୍ଟିନ ଆଇଲାଣ୍ଡ ପ୍ରଥମେ ପାକିସ୍ତାନ ନିୟନ୍ତ୍ରଣକୁ ଯାଇଥିଲା। ୧୯୭୧ରେ ମୁକ୍ତି ସଂଗ୍ରାମ ପରେ ବାଂଲାଦେଶ ଅଧୀନକୁ ଆସିଥିଲା ସେଂଟ ମାର୍ଟିନ । ମିଆଁମାରଠାରୁ ମାତ୍ର ୮ କିଲୋମିଟର ଦୂରରେ ରହିଛି ସେଂଟ ମାର୍ଟିନ ଦ୍ୱୀପ । ଏହା ଉପରେ ମିଆଁମାର ମଧ୍ୟ ଅଧିକାର ସାବ୍ୟସ୍ତ ପାଇଁ ଚେଷ୍ଟା କରିଛି। ବାଂଲାଦେଶର ବିରୋଧୀ ବିଏନପି ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖଲିଦା ଜିଆ ଦ୍ୱୀପକୁ ଆମେରିକାକୁ ବିକ୍ରି କରିବାକୁ ଚାହିଁଥିଲେ ବୋଲି ଅଭିଯୋଗ ଉଠିଛି । ରାଜନୈତିକ ସମର୍ଥନ ବଦଳରେ ଜିଆ ସେଂଟ୍ ମାର୍ଟିନକୁ ଆମେରିକା ହାତରେ ଟେକିଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି ।

Comments are closed.