Latest Odisha News

BREAKING NEWS

ବେଆଇନ ଅର୍ଥ ଶୋଷଣ କରୁଛି ସେଣ୍ଟ ଜାଭିୟର୍ସ ସ୍କୁଲ; ବିନା ରସିଦରେ ଦେୟ ପୈଠ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ

ଯାଜପୁର: ଅବିଭାବକଙ୍କୁ ଆର୍ଥିକ ଶୋଷଣ କରୁଛି ଘରୋଇ ଶିକ୍ଷାନୁଷ୍ଠାନ। ରି-ଆଡ଼ମିସନ ଓ ଫର୍ମ ଫିଲପ ନାମରେ ବେଆଇନ ଅର୍ଥ ଆଦାୟ କରୁଛି ସେଣ୍ଟ ଜାଭିୟର୍ସ ସ୍କୁଲ । ଏଥିସହ ସରକାରୀ ନିଦ୍ଦେର୍ଶ ଓ ନିୟମକୁ ମଧ୍ୟ ଉଲଘଂନ ମଧ୍ୟ କରାଯାଉଛି। ଏପରି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ନାମରେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ୍ ଅବିଭାବକ ସଂଘ ଏଭଳି ଅଭିଯୋଗ ଆଣିଛି।

ଅଭିଯୋଗ ମୁତାବକ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଧାରିତ ଗାଇଡ଼ଲାଇନ କୁ ଅବମାନନା କରୁଛନ୍ତି ସ୍କୁଲ କତ୍ତୃପକ୍ଷ । CBSE ର ଗାଇଡ଼ଲାଇନରେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଫର୍ମ ଫିଲପ ବାବଦକୁ ୧୮୦୦ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ସ୍କୁଲ ନେଉଛି ୨୬୦୦ ଟଙ୍କା । ସେ ବି ବିନା ରସିଦରେ ।

ଏହାସହ ସ୍କୁଲ ଭିତରେ ବହି, ଖାତା, ୟୁନିଫର୍ମ ଓ ଜୋତା ବିକ୍ରି କରିବାକୁ ନିର୍ଦ୍ଦେଶ ଥିବା ବେଳେ ସେଣ୍ଟ ଜାଭିୟର୍ସ ସ୍କୁଲ ଏହାକୁ ମଧ୍ୟ ଅବମାନନା କରି ସ୍କୁଲ୍ ଭିତରେ ଏସବୁ ବିକ୍ରି କରୁଛି। ଏବଂ ଏସବୁ ବାବଦରେ ବଜାର ଦର ଠାରୁ ଅଧିକ ଦାମ ନେଉଛି ସ୍କୁଲ। କୋଭିଡର ଏହି ସଙ୍କଟ ସମୟରେ ଅନେକ ପରିବାର ଅଭାବ ଅନଟନରେ କାଳାତିପାତ କରୁଥିବା ବେଳେ ରି-ଆଡ଼ମିସନ ଫି ଏବଂ ମାସିକ ଦରମା ବାବଦରେ ମନମୁଖୀ ଦେୟ ଅର୍ଥ ବୃଦ୍ଧି କରାଯାଉଛି ।

ଖାଲି ସେତିକି ନୁହେଁ ସରକାରଙ୍କ କୋଭିଡ ଗାଇଡ଼ଲାଇନକୁ ଉଲଂଘନ କରି ଅବିଭାବକ ମାନଙ୍କୁ ସ୍କୁଲକୁ ଡକାଇ ନଗଦ ଟଙ୍କା ପୈଠ କରିବାକୁ ସ୍କୁଲ ତରଫରୁ ବାଧ୍ୟ କରାଯାଉଥିବା ଅବିଭାବକ ମାନେ ଅଭିଯୋଗ ଆଣିଛନ୍ତି।

ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଏଭଳି ବେଆଇନ ଅର୍ଥ ଶୋଷଣ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେଇ ସ୍କୁଲ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବାକୁ ଅବିଭାବକମାନେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିଛନ୍ତି।

Comments are closed.