Latest Odisha News

ମହାରାଷ୍ଟ୍ର ମହାସମର, କିଏ ଜିତିବ ବାଜି?

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ଓ ମହାୟୁତି ମଧ୍ୟରେ କାଣ୍ଟେ କି ଟକ୍କର । ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୩ଟି ସରକାର, ୩ମୁଖ୍ୟମନ୍ତ୍ରୀ ଓ ୪ଜଣ ଡେପୁଟି ସିଏମଙ୍କୁ ଦେଖିବାକୁ ମିଳିଛି । ଶିବସେନା ଓ ଏନସିପିରେ ବିଭାଜନ ରାଜ୍ୟ ରାଜନୈତିକ ସମୀକରଣକୁ ଏପଟ ସେପଟ କରିଦେଇଛି । ଚମକାଇବା ଭଳି ମେଣ୍ଟ ହୋଇଛି । ଗତ ୬ଟି ବିଧାନସଭା ନିର୍ବାଚନରେ କୌଣସି ଗୋଟିଏ ଦଳକୁ ବହୁମତ ମିଳିନି। ଏଥର ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାଓ୍ବାରଙ୍କ ଏନସିପି ମହାୟୁତି ମେଣ୍ଟରେ ରହିଛନ୍ତି । ସେପଟେ ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାଓ୍ବାରଙ୍କ ଏନସିପି ଓ କଂଗ୍ରେସ ଏମଭିଏରେ ରହିଛନ୍ତି । ଉଭୟ ମେଣ୍ଟ ମଧ୍ୟରେ କେବଳ କ୍ଷମତା ନୁହେଁ ଅସ୍ତିତ୍ବର ଲଢେଇ ବି ହେଉଛି । ତେବେ ସେସବୁ କାରଣ କଣ ଯାହା ମହାରାଷ୍ଟ୍ରରେ ହାର ଜିତ୍ ନିର୍ଣ୍ଣୟ କରିବ?

କାହିଁକି ଜିତିପାରେ ଏମଭିଏ?

୨୦୧୯ରେ ବିଚାରଗତ ମତଭେଦ ମଧ୍ୟରେ ଗଠନ ହୋଇଥିଲା ଏମଭିଏ । ସେତେବେଳେ ବିଜେପିଠୁ ସଂପର୍କ ଛିନ୍ନ କରିଥିଲେ ଉଦ୍ଧବ ଠାକରେ। ତେବେ ୨୦୨୨ରେ ଏକନାଥ ସିନ୍ଦେଙ୍କ ଦଳବଦଳ ପାଇଁ ଉଦ୍ଧବଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା । ଏଥର ବିଧାନସଭା ନିର୍ବାଚନ ଜିତିବା ପାଇଁ ଏମଭିଏ ସପକ୍ଷରେ ଯାଇପାରେ ୩ଟି ବଡ଼ କାରଣ ।

ଲୋକସଭା ବିଜୟ ପରେ ବଢିଛି ଜୋଶ୍

ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ଏମଭିଏର ଜୋଶ ହାଇ ରହିଛି । ମହାରାଷ୍ଟ୍ରର ମୋଟ୍ ୪୮ରୁ ମେଣ୍ଟ ୩୧ଟି ସିଟରେ ଜିତିଥିଲା ବେଳେ ବିଜେପି ସଂଖ୍ୟା ୨୩ରୁ କମି ୯ ହୋଇଯାଇଥିଲା । ଜିତିଥିବା ଲୋକସଭା ସିଟକୁ ହିସାବକୁ ନେଲେ ପ୍ରାୟ ୧୬୦ ବିଧାନସଭା ସିଟରେ ଆଗେଇଥିଲା ଏମଭିଏ, ଯାହା ରାଜ୍ୟର ମ୍ୟାଜିକ ନମ୍ବର ୧୪୫ଠାରୁ ଅଧିକ ।

ଉଦ୍ଧବ ଓ ଶରଦଙ୍କ ପାଇଁ ସହାନୁଭୁତି

ଶିବସେନା ଓ ଏନସିପିର ବିଭାଜନ ପଛରେ ବିଜେପିର ଭୂମିକା ଓ ପରେ ନିର୍ବାଚନ କମିଶନ ଚିହ୍ନ ଓ ମାନ୍ୟତା ଛଡାଇନେବା ଘଟଣାକୁ ନେଇ ଉଭୟ ଉଦ୍ଧବ ଠାକରେ ଓ ଶରଦ ପାଓ୍ବାରଙ୍କ ପ୍ରତି ଲୋକଙ୍କ ସହାନୁଭୁତି ରହିଛି । ଲୋକସଭା ନିର୍ବାଚନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏଥର ବି ସମାନ ସମର୍ଥନ ଦେଖିବାକୁ ମିଳିପାରେ । ଦୁଇ ଦଳର ବିଭାଜନକୁ କ୍ଷମତା ଭୋକରେ ବିଜେପିର ଷଡଯନ୍ତ୍ର ରୂପେ ଜନତାଙ୍କ ଆଗରେ ଦର୍ଶାଯାଇଛି ।

ମରାଠା, ମୁସଲିମ, ଦଳିତ ଏକାଠି

୨୦୨୪ ଲୋକସଭା ନିର୍ବାଚନରେ ଏମଭିଏ ପ୍ରତି ମରାଠା, ମୁସଲିମ ଓ ଦଳିତ ମିଳିତ ସମର୍ଥନ ଦେଖାଇଥିଲେ । ମରାଠାଓ୍ବାଡାରେ ମହାୟୁତିକୁ ୮ରୁ ମାତ୍ର ଗୋଟିଏ ସିଟ୍ ମିଳିଥିଲା । ମୁସଲିମ ଓ ଦଳିତ ମଧ୍ୟ ଏମଭିଏ ସପକ୍ଷରେ ଭୋଟ୍ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଅନ୍ୟ ବିଜେପି ନେତା ଏହାକୁ ଭୋଟ୍ ଜିହାଦ ବି କହିଥିଲେ ।

କାହିଁକି ଜିତିପାରେ ମହାୟୁତି?

୨୦୨୨ରେ ଶିବସେନା ନେତୃତ୍ବ ବିରୋଧରେ ଏକନାଥ ସିନ୍ଦେ ଓ ୨୦୨୩ରେ ଅଜିତ ପାଓ୍ବାର ଏନସିପିରୁ ଅଲଗା ହେବା ପରେ ମହାୟୁତି ଏକ ଜଟିଳ ନିର୍ବାଚନୀ ଲଢେଇର ସାମନା କରୁଛି । ତେବେ ମେଣ୍ଟ ନିଜ ସ୍ଥିତି ମଜବୁତ କରିବା ସହ ଏମଭିଏକୁ କଡା ଟକ୍କର ଦେଉଛି ।

ସିଏମ୍ ପଦ ପାଇଁ ଅନେକ ଚେହେରା

ମହାୟୁତିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ଜଣ ପ୍ରମୁଖ ଦାବେଦାର ରହିଛନ୍ତି । ଜନକଲ୍ୟାଣକାରୀ ଯୋଜନା ଓ ଆକ୍ରାମକ ଛବି ପାଇଁ ଜଣାଶୁଣା ଏକନାଥ ସିନ୍ଦେ, ପ୍ରଶାସନିକ କୌଶଳ ପାଇଁ ପରିଚିତ ଅଜିତ ପାଓ୍ବାର ଓ ପୂର୍ବରୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିବା ଦେବେନ୍ଦ୍ର ଫଡନାବିସ ରେସରେ ରହିଛନ୍ତି । ଦକ୍ଷ ନେତାଙ୍କ ନେତୃତ୍ବ ଜନତାଙ୍କୁ ଭଲ ସନ୍ଦେଶ ଦେଇପାରେ ।

ଜନକଲ୍ୟାଣକାରୀ ଯୋଜନା

ମହାୟୁତି ପକ୍ଷରୁ ନିଜ ସରକାରର ଜନକଲ୍ୟାଣକାରୀ ଯୋଜନା ଗୁଡିକର ଜୋରଦାର ପ୍ରଚାର କରାଯାଇଛି। ଛାତ୍ରଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବିଭିନ୍ନ ବର୍ଗ ପାଇଁ ଥିବା ଏସବୁ ଯୋଜନା ସରକାର ବଦଳିଲେ ବନ୍ଦ ହେବା ନେଇ ଆଶଙ୍କା ରହିଥିବା କୁହାଯାଇଛି । ଯାହାର ଲାଭ ମହାୟୁତିକୁ ମିଳିପାରେ । ବିଶେଷ କରି ଲାଡଲି ବହନା ଯୋଜନାକୁ ଫୋକସ୍ କରାଯାଇଛି ।

ବିରୋଧୀଙ୍କୁ ଜୋରଦାର ହମଲା

ନିର୍ବାଚନ ମାହୋଲରେ ବିରୋଧୀଙ୍କୁ ଜୋରଦାର ହମଲା କରିଛନ୍ତି ମହାୟୁତି ନେତା। ବିରୋଧୀଙ୍କର ବିପଦରେ ସମ୍ବିଧାନ ଭଳି ଦାବିରେ ଆଧାର ନଥିବା ଦର୍ଶାଯାଇଛି । ହରିୟାଣା ବିଧାନସଭା ନିର୍ବାଚନ ବିଜୟ ପରେ ମହାୟୁତିର ମନୋବଳ ବଢିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ ସିଏମ୍ ଯୋଗୀ, ବିରୋଧୀଙ୍କୁ କଡା ଟାର୍ଗେଟ୍ କରିଛନ୍ତି । ଯାହା ଜନତାଙ୍କ ମଧ୍ୟରେ ମହାୟୁତି ପ୍ରତି ସମର୍ଥନ ବଢାଇପାରେ ।

Leave A Reply

Your email address will not be published.