Latest Odisha News

BREAKING NEWS

Year Ender 2025: ଚଳିତବର୍ଷ ସମଗ୍ର ଦେଶକୁ ସ୍ତବ୍ଧ କରିଦେଲା ଏହି ପାଞ୍ଚ ବଡ ଘଟଣା… ଚାଲିଗଲା ଶହଶହ ଜୀବନ

ନୂଆଦିଲ୍ଲୀ:ଆଉ ମାତ୍ର କିଛି ଦିନ ପରେ ବର୍ଷ ଶେଷ ହେବ କିନ୍ତୁ ଏହି ୨୦୨୫ ମସିହାରେ ଏପରି କିଛି ଦୁର୍ଘଟଣା ଓ ଅଘଟଣ ଘଟିଛି ​​ଯାହାକୁ ମନେ ପକାଇଲେ ଏବେ ବି ଛାତିଥରି ଉଠେ । ଜାତୀୟ ରାଜଧାନୀ ଦିଲ୍ଲୀରୁ କାଶ୍ମୀର ପର୍ଯ୍ୟନ୍ତ ଏପରି ଘଟଣା ଘଟିଛି ଯାହା ସମଗ୍ର ଦେଶକୁ ଥରାଇ ଦେଇଛି। ଅହମ୍ମଦାବାଦ ବିମାନ ଦୁର୍ଘଟଣା ହେଉ ଅବା ପହଲଗାମ ଆତଙ୍କବାଦୀ ଆକ୍ରମଣ,ସେହିପରି ବର୍ଷ ଶେଷ ଆଡ଼କୁ ଦିଲ୍ଲୀରେ ଆତଙ୍କବାଦୀଙ୍କ କାର୍ ବୋମା ବିସ୍ଫୋରଣ ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ।

ଆସନ୍ତୁ ନଜର ପକାଇବା ୨୦୨୫ର ପାଞ୍ଚଟି ପ୍ରମୁଖ ଘଟଣା ଉପରେ ଯାହା ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଥିଲା…

୧.ମହାକୁମ୍ଭ ମେଳାରେ ଦଳାଚକଟା ଘଟଣା: ବର୍ଷ ଆରମ୍ଭରେ ଜାନୁଆରୀ ମାସରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ବଡ଼ ଧରଣର ଅଘଟଣ ଘଟିଥିଲା । ଜାନୁଆରୀ ୨୯ ତାରିଖରେ ମୌନୀ ଅମାବାସ୍ୟା ପାଇଁ ଅନେକ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଇଥିବାବେଳେ ଦଳାଚକଟା ଘଟିଥିଲା । ମହାକୁମ୍ଭ ମେଳାରେ ହଠାତ୍ ବ୍ୟାରିକେଡ୍ ଭାଙ୍ଗି ଯାଇଥିଲା ଓ ଅସମ୍ଭାଳ ଭିଡ଼ ହୋଇଥିବାରୁ ଦଳାଚକଟା ପରସ୍ଥିତି ଉପୁଜିଥିଲା।ଏହି ଅଘଟଣରେ ୩୦ ରୁ ୩୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ ରୁ ଅଧିକ ଆହତ ହୋଇଥିଲେ।

ସେହିପରି ଫେବୃଆରୀ ୧୫ ତାରିଖରେ ମହାକୁମ୍ଭମେଳାକୁ ଯାଉଥିବା ତୀର୍ଥଯାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ପ୍ଲାଟଫର୍ମରେ ଟ୍ରେନ୍ ପାଇଁ ଅପେକ୍ଷା କରିଥିବା ଭିଡ଼ ଅନିୟନ୍ତ୍ରିତ ହୋଇଯାଇଥିଲା। ଏହି ଘଟଣାରେ ୧୮ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫ ରୁ ଅଧିକ ଆହତ ହୋଇଥିଲେ।

୨.ପହଲଗାମ ଆତଙ୍କବାଦୀ ଆକ୍ରମଣ:୨୨ ଏପ୍ରିଲରେ କାଶ୍ମୀରର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପହଲଗାମର ସୁନ୍ଦର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ। ଆତଙ୍କବାଦୀମାନେ ପ୍ରଥମେ ଧର୍ମ ପଚାରି ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା ଓ ୨୦ ରୁ ଅଧିକ ଆହତ ହୋଇଥିଲେ। । ଏହି ଆତଙ୍କବାଦ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା ।

ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପାକିସ୍ତାନରୁ ଆକ୍ରମଣର ଷଡ଼୍‌ଯନ୍ତ୍ର ରଚାଯାଇଥିଲା । ଏହି ଆକ୍ରମଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇ ଦେଇଥିଲା। ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପାଇଁ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା ।

.ବେଙ୍ଗାଲୁରୁ ଦଳାଚକଟା: ଗତ ଜୁନ୍‌ ୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରିଥିଲା । ଏହି ସମୟରେ ଷ୍ଟାଡିୟମ ବାହାରେ ଲକ୍ଷ ଲକ୍ଷ ପ୍ରଶଂସକ ଏକାଠି ହୋଇଥିଲେ। ହଠାତ୍, ଭିଡ଼ ଅନିୟନ୍ତ୍ରିତ ହୋଇଗଲା ଏବଂ ଦଳାଚକଟା ସ୍ଥିତି ଉପୁଜି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ଉତ୍ସବର ପରିବେଶ ଶୋକର ପରିବେଶରେ ପରିଣତ ହୋଇଗଲା।

୪.ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ବର୍ଷର ସବୁଠାରୁ ଭୟଙ୍କର ଦୁର୍ଘଟଣା ଅହମ୍ମଦାବାଦରେ ଘଟିଥିଲା । ଜୁନ ୧୨, ୨୦୨୫ରେ ଗୁଜରାଟର ଅହମ୍ମଦାବାଦରେ ଏୟାରଇଣ୍ଡିଆର ଫ୍ଲାଇଟ୍ AI171( ବୋଇଁ ୭୮୭ ଡ୍ରିମଲାଇନର) ଉଡାଣ ଆରମ୍ଭ କରିବାର କେବଳ ୩୨ ସେକେଣ୍ଡ ପରେ ଦୁର୍ଘଟଣାର ଶିକାର ହୋଇଥିଲା । ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କର ଜୀବନ ବଞ୍ଚିଯାଇଥିଲେ । ବିମାନଟି ମେଡିକାଲ କଲେଜ ଉପରେ ଖସିପଡିବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

ତଦନ୍ତରୁ ଇଞ୍ଜିନରେ ଇନ୍ଧନ ସଙ୍କଟ ଏବଂ ଏକ ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଥିଲା। ଏହାକୁ ଭାରତର ଇତିହାସରେ ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ବୋଲି ବିବେଚନା କରାଯାଏ। ବିମାନ ଦୁର୍ଘଟଣାକୁ ମନେ ପକାଇଲେ ଲୋକମାନେ ଏବେ ବି ଥରି ଉଠନ୍ତି।

୫.ଲାଲକିଲ୍ଲା ନିକଟରେ ବିସ୍ଫୋରଣ: ବର୍ଷ ଶେଷ ହେବାକୁ ବସିଥିବା ବେଳେ, ଜାତୀୟ ରାଜଧାନୀ ଦିଲ୍ଲୀରେ ଅତଙ୍କି ବିସ୍ଫୋରଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୨୦୧୧ ପରେ ଦେଶର ରାଜଧାନୀ ଦିଲ୍ଲୀ ପୁଣି ଥରେ ବୋମା ବିସ୍ଫୋରଣରେ କମ୍ପି ଉଠିଛି। ୧୦ ନଭେମ୍ବର ୨୦୨୫ରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ବୋମା ବିସ୍ଫୋରଣ ହେବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ଏକ ଆତଙ୍କବାଦୀ ଷଡଯନ୍ତ୍ର ଥିଲା ।

ରାଜଧାନୀର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ମଧ୍ୟରୁ ଗୋଟିଏ ପୁରୁଣା ଦିଲ୍ଲୀ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ଘଟାଇଥିବା ବ୍ୟକ୍ତି କାଶ୍ମୀରର ଜଣେ ଡାକ୍ତର ଉମର ଉନ ନବି ଥିଲେ। ସେ କୌଣସି ସାଧାରଣ ବ୍ୟକ୍ତି ନଥିଲା ବରଂ ଜଣେ ନାମୀ ଦାମୀ ଡାକ୍ତର ଏବଂ ପ୍ରଫେସର ଥିଲା। ଆଉ ସେ ମଧ୍ୟ ନିଜ ଡାକ୍ତର ସାଥିଙ୍କୁ ବାଛିଥିଲା ଏହି ଷଡ଼ଯନ୍ତ୍ର ରଚିବାକୁ। ଦେଶବ୍ୟାପି ଚଢାଉ କରାଯାଇ ଅନେକଙ୍କୁ ଗିରଫ କରାଯାଉଛି ।

 

Leave A Reply

Your email address will not be published.