ନୂଆଦିଲ୍ଲୀ: ଭାରତର ମହାନ ବ୍ୟାଡମିଂଟନ ଖେଳାଳି ତଥା ଅଲିମ୍ପିକ ପଦକ ବିଜେତା ସାଇନା ନେହ୍ୱାଲ ଅବସର ଘୋଷଣା କରିଛନ୍ତି । ଦୀର୍ଘ ଦିନ ହେବ ଏହି ଷ୍ଟାର ମହିଳା ଖେଳାଳି ଆଂଠୁ ସମସ୍ୟାରେ ପଡିଥିଲେ । ବର୍ତମାନ ଶରୀର ମୋତେ ଆଉ ସହଯୋଗ କରୁନି । ଅବସର ନେବା ପାଇଁ ମୁଁ ବାଧ୍ୟ ହୋଇଛି ବୋଲି ସେ କହିଛନ୍ତି । କିଛି ଦିନ ତଳେ ସେ ଏକ ସାକ୍ଷାତକାରରେ ଅବସର ନେବା ନେଇ ସୂଚନା ପ୍ରଦାନ କରିଥିଲେ । ୨ ବର୍ଷ ହେବ ମୁଁ ଖେଳିବା ବନ୍ଦ କରିଦେଇଥିଲି, କେବଳ ଔପଚାରିକ ଘୋଷଣା ବାକି ରହିଥିଲା । ସାଇନା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।
୨୦୨୪ରେ ସେ ତାଙ୍କ ଆଘାତ ସମସ୍ୟା ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ସେ ସମୟରେ କହିଥିଲେ, ମୋ ଆଂଠୁର କାର୍ଟିଲେଜ ନଷ୍ଟ ହେବା ଆରମ୍ଭ ହୋଇଛି । ଆଉ ଆନ୍ତର୍ଜାତୀୟସ୍ତରର ମୁକାବିଲା ଖେଳିବା ସମ୍ଭବପର ନୁହେଁ ବୋଲି ମଧ୍ୟ କହିଥିଲେ । ୨୦୧୬ ରିଓ ଅଲିମ୍ପିକ୍ସ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଅବଶ୍ୟ ସେ କଠିନ ପରିଶ୍ରମକରି ଆନ୍ତର୍ଜାତୀୟ ମୁକାବିଲାକୁ ସଫଳତାର ସହ ପ୍ରତ୍ୟାବର୍ତନ କରିଥିଲେ । ୨୦୧୭ ବିଶ୍ୱ ଚାମ୍ପିୟନଶିପରେ ସେ ବ୍ରୋଞ୍ଜ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଆନ୍ତର୍ଜାତୀୟସ୍ତରରେ ସାଇନାଙ୍କ ପ୍ରଦର୍ଶନ ଅନେକ ଯୁବ ଖେଳାଳିଙ୍କୁ ବ୍ୟାଡମିଂଟନ ପ୍ରତି ଆକୃଷ୍ଟ କରିଥିଲା ।