କଟକ/ଭୁବନେଶ୍ୱର: ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିଛି ପରିବହନ ବିଭାଗ। ବେଆଇନ ହର୍ଣ୍ଣ ବିରୋଧରେ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ଆୟୁକ୍ତ ଅମିତାଭ ଠାକୁର । ମୋଟର ଯାନରେ ବିକଟାଳ ଶବ୍ଦଯୁକ୍ତ ପ୍ରେସର ହର୍ଣ୍ଣ ଓ ମଲ୍ଟିଟୋନ୍ ହର୍ଣ୍ଣ ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛି ରାଜ୍ୟ ପରିବହନ ପ୍ରାଧିକରଣ । ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ଅତିରିକ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟିମ୍ ଗଠନ କରାଯାଇ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଚାଲାଣ କଟୁଥିବା ବେଳେ ଗାଡ଼ିରୁ ବେଆଇନ ହର୍ଣ୍ଣକୁ ମଧ୍ୟ ବାହାର କରି ଦିଆଯାଉଛି।
ସୂଚନା ଅନୁସାରେ, ବାଲେଶ୍ୱରରେ ୪୮ ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ୪୮ ବେଆଇନ ହର୍ଣ୍ଣ ବାହାର କରାଯାଇଛି । ଚଣ୍ଡିଖୋଲରେ ୨୦ ଗାଡ଼ି, ସୋନପୁରରେ ୧୯ , ନୟାଗଡ଼ରେ ୧୯ , ରାଉରକେଲାରେ ୧୪ , ବଲାଙ୍ଗିରରେ ୧୨, ଦେବଗଡ଼ରେ ୨, ଗଞ୍ଜାମରେ ୧୬ ଭଳି ଭଞ୍ଜନଗର, ବରଗଡ଼ରେ, ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ଅନୁଗୁଳ, ଭଦ୍ରକ, ମାଲକାନଗିରି, ଫୁଲବାଣୀ, ନୂଆପଡ଼ା, ଗଜପତି, କୋରାପୁଟ, ତାଳଚେର, ରାଇରଙ୍ଗପୁର, ବଡ଼ବିଲ, କଳାହାଣ୍ଡି, ନବରଙ୍ଗପୁର, ବୌଦ୍ଧ, ଜଗତସିଂହପୁର ଆଦି ସ୍ଥାନରେ ଚାଲାଣ କଟିବା ସହ ପରିବହନ ବିଭାଗ ବେଆଇନ ହର୍ଣ୍ଣ ବାହାର କରିଛି। ଆଗକୁ ଏହି ଯାଞ୍ଚ ଆହୁରି ବ୍ୟାପକ କରାଯିବ ବୋଲି ପରିବହନ ଆୟୁକ୍ତ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ବେଆଇନ ହର୍ଣ୍ଣ ଦ୍ୱାରା ଶବ୍ଦ ପ୍ରଦୂଷଣ ସହ ଅନ୍ୟ ସଡ଼କ ବ୍ୟବହାରକାରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମୋଟର ଯାନ ଆଇନରେ ଏଭଳି ବିକଟାଳ, ଉଚ୍ଚସ୍ୱର ଯୁକ୍ତ ପ୍ରେସର ହର୍ଣ୍ଣ, ମଲ୍ଟିଟୋନ୍ ହର୍ଣ୍ଣ ବିରୋଧରେ କାର୍ଯ୍ୟାନୁଷ୍ଠାନର ନିୟମ ରହିଛି । ସେହି ଆଧାରରେ ସମସ୍ତ ଆରଟିଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।