Latest Odisha News

କାଶୀପୁର ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ଦେଖାଇଛି: ମୋହନ ମାଝୀ

ଭୁବନେଶ୍ୱର: ରାୟଗଡ଼ା କାଶୀପୁରରେ ବ୍ୟାପିଥିବା ହଇଜା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଏଥିପାଇଁ ସରକାର ହିଁ ଦାୟୀ। ରାୟଗଡା କାଶୀପୁରରେ ବ୍ୟାପିଥିବା ଝାଡାବାନ୍ତି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ଏପରି କିଛି କହି ବର୍ଷିଛନ୍ତି ବିରୋଧୀ ଦଳର ବିଧାୟକ ମୋହନ ମାଝୀ। କାଶୀପୁରରେ ୧୪ ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ଘଟିଛି। କିନ୍ତୁ ସରକାର ଏହାକୁ ୯ ଜଣ ବୋଲି କହୁଛନ୍ତି। ବାକି ୫ ଜଣଙ୍କର ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି ବୋଲି ସରକାର କହିଛନ୍ତି। ୨୪ ତାରିଖରେ ବିଜେପି ବିଧାୟକ ଟିମ ରାୟଗଡ଼ା କାଶୀପୁର ଗସ୍ତ କରିଥିଲେ। ଏହାପରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ବର୍ଷିଛି।

ମୋହନ ମାଝୀ ଦାବି କରିଛନ୍ତି, ଯଦି ସେହି ୫ ଜଣଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇନି ତା’ହେଲେ ସେମାନଙ୍କର ଶବ ବ୍ୟବଚ୍ଛେଦ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ଆଉ ଯଦି ହୋଇଛି ତା’ର ରିପୋର୍ଟକୁ ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରନ୍ତୁୁ ବୋଲି ସେ ଦାବି କରିଛନ୍ତି।

ସେ ଦାବି କରିଛନ୍ତି ଯେ ସେଠାରେ ଡ୍ରେନ ନାହିଁ କି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଯେଉଁ ଷ୍ଟାଣ୍ଡ ପୋଷ୍ଟରେ ପାଣି ଆସୁଛି ସେହି ପାଇବ ମାଟିକୁ ସଂଯୋଗ କରୁଛି। ତେଣୁ ମଇଳା ପାଣି ଲୋକଙ୍କ ପେଟକୁ ଯାଉଛି। ସେହିପରି ପାଣି ପାଇବ ନାଳ ଭିତରେ ଆସିଥିବାରୁ ପାଣି ଦୂଷିତ ହେଉଛି ବୋଲି ବିଧାୟକ ମୋହନ ମାଝୀ କହିଛନ୍ତି।

ସରକାର ରାଜ୍ୟରେ ବିକାଶ ହୋଇଛି ବୋଲି କହୁଛନ୍ତି। କିନ୍ତୁ ଅସଲରେ କଣ ବିକାଶ ହୋଇଛି ତାହା ଏଥିରୁ ଜଣାପଡୁଛି। ଏ ସବୁ ଦୃଶ୍ୟ ଉପହାସ ସଦୃଶ ବୋଲି ସେ କହିଛନ୍ତି। ବିକାଶର ବାସ୍ତବତା କେବଳ କାଗଜ କଲମରେ ସୀମିତ ବୋଲି ସେ କହିଛନ୍ତି। ୨୦୧୮ରେ ୨୯୮ କୋଟି ଟଙ୍କା ବ୍ୟୟରେ କାଶୀପୁର ଅଞ୍ଚଳରେ ମେଗା ପ୍ରକଳ୍ପ ଆରମ୍ଭ କରିଥିଲେ ସରକାର। କିନ୍ତୁ ୫ ବର୍ଷ ଭିତରେ ଶେଷ ହୋଇପାରିବନାହିଁ । ୬ ମାସ ହେବ କାମ ଆରମ୍ଭ ହୋଇଛି। ୨୦୦୨, ୨୦୦୬, ୨୦୦୭ରେ ଝାଡା ବାନ୍ତି ହୋଇଥିଲା। ଲୋକଙ୍କର ଝାଡା ବାନ୍ତି ହୋଇ ମୃତ୍ୟୁ ହୋଇଥିଲା। ସେତେବେଳେ ମଧ୍ୟ ଏହା ମହାମାରୀର ରୂପ ନେଇଥିଲା ।

ତେବେ ହଇଜା ବ୍ୟାପିବା ପଛରେ ଅଖାଦ୍ୟ ବୋଲି ମଧ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ଦାବି କରିଛନ୍ତି। ଲୋକଙ୍କୁ ରାସନ କାର୍ଡ ମିଳିନାହିଁ । ତେଣୁ ସେମାନେ ବିଭିନ୍ନ ସମୟରେ ଆମ୍ବ ଟାକୁଆ ଭଳି ଅଖାଦ୍ୟା ଖାଉଛନ୍ତି। ତେଣୁ ଏପରି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.