ଭୁବନେଶ୍ବର: ସରିଲା ସର୍ବଦଳୀୟ ବୈଠକ। ମଙ୍ଗଳବାରଠ ବିଧାନସଭା ବଜେଟ୍ ଅଧିବେଶନ ୨୦୨୬ ଆରମ୍ଭl ୨୯ ଦିନ ଧରି ଚାଲିବ ଏହି ବଜେଟ୍ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୦ ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ସେପଟେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସଙ୍ଗ ଧରି ପ୍ରସ୍ତୁତ ହୋଇରହିଛନ୍ତି।
ଏଥର ବଜେଟ୍ ଅଧିବେଶନରେ ବହିବ ଧାନ ମଣ୍ଡି ଝଡ଼। ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏ ନେଇ ମାଳମାଳ ଅଭିଯୋଗ ଆସୁଛି। ଅନେକ ସ୍ଥାନରେ ଚାଷୀ ଆନ୍ଦୋଳନ ଚାଲିଛି। ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ରାଜରାସ୍ତାରେ ଗର୍ଜନ କରୁଛନ୍ତି। ସରକାର ବି ଜଣେ ଚାଷୀଙ୍କଠାରୁ ୧୫୦ କ୍ବିଣ୍ଟାଲ୍ରୁ ଅଧିକ ଧାନ ନ କିଣିବାକୁ ନିୟମ କରିଥିବାରୁ ପଶ୍ଚିମ ଓଡ଼ିଶାର ବିଧାୟକମାନେ ଖପ୍ପା ଅଛନ୍ତି। ଏହି ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହୋଇପାରେ।
ସେହିପରି ଗୃହରେ ଉଛୁଳିବ ମହାନଦୀ ଜଳ। ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶା ଲଗାତାର କ୍ଷତି ସହି ଚାଲିଛି। ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନ ପ୍ରକ୍ରିୟା ଆଗେଇ ପାରୁନାହିଁ। ମନ୍ତ୍ରୀସ୍ତରୀୟ କମିଟିର ଛତିଶଗଡ଼ ଗସ୍ତ ହୋଇପାରୁନି। ଛତିଶଗଡ଼ ସରକାର ଅସହଯୋଗ କରୁଥିବା ଜଣାପଡ଼ିଛି। ଓଡ଼ିଶା ସରକାର ଏବେ କେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ କୌଣସି ଉତ୍ସାହଜନକ ପ୍ରତିକ୍ରିୟା ସେପଟୁ ମିଳିନାହିଁ। ମହାନଦୀ ପ୍ରସଙ୍ଗରେ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ଚରମ ସ୍ଥିତିରେ ପହଞ୍ଚିଛି। ବିଧାନସଭାରେ ଦୁଇ ଦଳ ଏହି ପ୍ରସଙ୍ଗରେ ମୁହାଁମୁହିଁ ହେବା ଥୟ। କଂଗ୍ରେସ ଉଭୟଙ୍କୁ ଦାୟୀ କରି ଆକ୍ରମଣ କରିବ। ର
ମୋଟରଯାନ ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି) କଟକଣାରୁ ନେଇ ଆଇନଶୃଙ୍ଖଳା ଓ ଏସଆଇଆର୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଂଗରେ ସରକାରଙ୍କୁ ହରଡ଼ ଘଣାରେ ପକାଇବାକୁ ପ୍ରୟାସ କରିବେ ବିରେଧୀ ବିଜେଡି ଓ କଂଗ୍ରେସ। ଗୋଟି ଗୋଟି କରି ଜବାବ ମାଗି ଘେରିବେ । ସେପଟେ ବିରୋଧୀଙ୍କୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ଶାସକ ବିଜେପି। ଏହାଛଡ଼ା ବଜେଟ୍ ଅଧିବେଶନକୁ ସୁରୁଖୁରୁ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ମିଟିଂରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । ସେହିପରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସାମିଲ ହୋଇଥିଲେ । ଗୃହ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ଏହା ଉପରେ ଆଲୋଚନା କରିଛନ୍ତି ବିଧାନସଭା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଅନ୍ୟପଟେ ବଜେଟ୍ ଅଧିବେଶନ ପୂର୍ବରୁ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଧାନସଭା ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବl ଡଗ୍ ସ୍କ୍ୱାର୍ଡ, ବମ୍ ସ୍କ୍ୱାର୍ଡ, ସ୍ନେକ୍ ହେଲ୍ପଲାଇନ, ଅଗ୍ନିଶମ ବିଭାଗ ବିଧାନସଭା ଭିତରେ ଓ ବାହାରେ ନିୟୋଜିତ କରାଯିବ। ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ବିଧାନସଭା ଚତୁଃପାର୍ଶ୍ଵକୁ ଘେରି ରହିବେ। ସିସିଟିଭି କ୍ୟାମେରା ସର୍ଭିଲାନ୍ସରେ ରହିବ ପୂରା ଅଞ୍ଚଳ। ଏନେଇ ବିଧାନସଭା ସାମ୍ନାରେ ୫ଟି ଅସ୍ଥାୟୀ ସୁଲିସ କ୍ୟାମ୍ପ୍ ହାଉସ୍ ନିର୍ମାଣ କରାଯାଇଛି l ବଜେଟ୍ ଅଧିବେଶନ ପାଇଁ ଗୋଟିଏ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ ତିଆରି କରାଯାଇଛି।
ସେହିଭଳି ବିଧାନସଭା ଚାଲିବା ସମୟରେ ଯେଉଁ ସଂଗଠନ ଧାରଣା ସ୍ଥଳକୁ ଆସିବେ ସେଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। ଗାନ୍ଧୀମାର୍ଗକୁ ଏଆଇ କ୍ୟାମେରା ସର୍ଭଲାନ୍ସରେ ରଖାଯାଇଛି। ଗୁଇନ୍ଦା ବିଭାଗ ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବେ। ଆଇନଶୃଙ୍ଖଳା ବ୍ୟବସ୍ଥାର ମଙ୍ଗ ଧରିବେ ଭୁବନେଶ୍ବର ଡିସିପି।