Latest Odisha News

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ତାଲିକା ଅସିଦ୍ଧ ଘୋଷଣା: ହେବ ସାନି ତାଲିକା

ଭୁବନେଶ୍ୱର : ଘୋଷଣା ହେବ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’  । ମନୋନୟନ ତାଲିକାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ପୁଣି ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ପାଇଁ ମନୋନୟନ କରାଯିବ  । ଏନେଇ ଓଡ଼ିଆ‌ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇଛି।

୨୦୧୯ ମସିହା ପାଇଁ ଘୋଷଣା ହୋଇଥିବା ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ର ମନୋନୟନ ତାଲିକାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ  । ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇଥିବା ବେଳେ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ପାଇଁ ନିୟୋଜିତ ହୋଇଥିବା ବିଚାରକଙ୍କ ଉପରେ ହାଇକୋର୍ଟ କୌଣସି ଆପତ୍ତି ଉଠାଇ ନଥିଲେ। ତେବେ ଏହି ବିଚାରକ ମଣ୍ଡଳୀକୁ ନେଇ ସାନି ତାଲିକା ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଇନ ବିଭାଗ ମଧ୍ୟ ସମ୍ମତି ଜଣାଇଛନ୍ତି । କିପରି  ସାନି ମନୋନୟନ ତାଲିକା ପ୍ରସ୍ତୁତ କରାଯିବ ସେନେଇ ସଂସ୍କୃତି ବିଭାଗ ବିଚାରକ ମଣ୍ଡଳୀର ସଦସ୍ୟକୁ ଡାକି ପ୍ରାରମ୍ଭିକ ଆଲୋଚନା କରିଛନ୍ତି।

ଏଥି ପାଇଁ ସଂସ୍କୃତି ବିଭାଗ ପ୍ରଥମତଃ ଆଗରୁ ମନୋନୀତ ପୁରସ୍କାର ତାଲିକାକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରି ଦିଆଯାଇ ପୁଣି ଥରେ ବିଚାରକମାନେ ଚଳଚ୍ଚିତ୍ର ଦେଖି ମୂଲ୍ୟାୟନ କରିବେ। ଦ୍ବିତୀୟତଃ କେବଳ ନକଲ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲ୍‌ମାଲ୍ ଲଭ୍‌’ ପାଉଥିବା ବର୍ଗର ପୁରସ୍କାରକୁ ରଦ୍ଦ କରି ପୁଣି ସେହି ସବୁ ବର୍ଗ ପାଇଁ ନୂଆ ତାଲିକା ପ୍ରସ୍ତୁତ କରାଯିବ। ଏ ସମ୍ପର୍କରେ ଆଲୋଚନା ଓ ମତାମତ ସଂଗ୍ରହ କରାଯାଇଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରି ପାରିନାହିଁ। ଖୁବ୍‌ଶୀଘ୍ର ସଂସ୍କୃତି ବିଭାଗ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଯେହେତୁ ସାନି ତାଲିକା ପାଇଁ ହାଇକୋର୍ଟ ଏକ ମାସ ସମୟସୀମା ଦେଇଛନ୍ତି, ତେଣୁ ତାହାରି ଭିତରେ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

ସୂଚନା ଅନୁଯାୟୀ, ‘ଖୁସି’ ଚଳଚ୍ଚିତ୍ର ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସମ୍ପାଦନା ଓ ଶ୍ରେଷ୍ଠ ଶିଶୁ କଳାକାର ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ‘ଗୋଲ୍‌ମାଲ୍‌ ଲଭ୍‌’ ଶ୍ରେଷ୍ଠ ହାସ୍ୟ କଳାକାର ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ଏନେଇ ଏହି ଦୁଇଟି ଚଳଚ୍ଚିତ୍ର ଅନ୍ୟ ଭାଷାର ଚଳଚ୍ଚିତ୍ରର ନକଲ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ବର୍ତ୍ତମାନ ଏକ ମାସ ମଧ୍ୟରେ ସାନି ତାଲିକା ପ୍ରସ୍ତୁତ ନେଇ ବଡ଼ ଆହ୍ୱାନ ବୋଲି କୁହାଯାଉଛି  ।

 

Leave A Reply

Your email address will not be published.