Latest Odisha News

BREAKING NEWS

ଭୋଟ୍ ସର୍ବସ୍ୱ ନହୋଇ ସମ୍ବେଦନଶୀଳ ହୁଅନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ଭୁବନେଶ୍ୱର : ବନ୍ୟା ଅଞ୍ଚଳରେ ‘ଜିରୋ କାଜୁଆଲିଟି’ ଭଳି ଅନେକ ଭେଳିକି ଶବ୍ଦର ବ୍ୟବହାର କରି ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଚଳିତ ବର୍ଷର ବନ୍ୟା, ପ୍ରଚାର ସର୍ବସ୍ୱ ରାଜ୍ୟ ସରକାରଙ୍କର ଅସଲ ମୁଖା ଖୋଲି ଦେଇଛି  ବୋଲି ବିଜେପି ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି ।

ବନ୍ୟା ପ୍ରଭାବିତ ମୟୁରଭଂଜ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ମହାନ୍ତି  ଉଦଳା, କପ୍ତିପଦାର ବିଭିନ୍ନ ଅଂଚଳ ସମେତ ବାରିପଦା ସହର ବୁଲି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିବା ସହିତ ଅଂଚଳବାସୀଙ୍କ ସହ ଆଲୋଚନା କରିଥିଲେ ।

 

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉଦଳା ନିର୍ବାଚନ ମଣ୍ଡଳୀ କପ୍ତିପଦା ବ୍ଲକ ମଝିଗାଡିଆ ପଂଚାୟତର ଭେଜିଡିହା ଗାଁ ରେ ବର୍ଷାରେ କାନ୍ଥ ଭୁଶୁଡି ପ୍ରାଣହାନି ହୋଇଥିବା ପରିବାର ସଦସ୍ୟ ଓ ମା ଛେଉଣ୍ଡ ଛୋଟ ଛୋଟ କୁନି ଛୁଆଙ୍କୁ ଭେଟିଥିଲେ । ଉଦଳା ରାଇଡାହିଠାରେ କାନ୍ଥ ପଡି ମୃତ୍ୟୁ କରିଥିବା ପରିବାରକୁ ଭେଟି ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ସଭାପତି ।  ଏହା ପରେ ବାରିପଦା ସହରର ୨୨ ନମ୍ବର ଓ୍ବାର୍ଡକୁ ଯାଇ ମୃତକ ପରିବାର ସଦସ୍ୟଙ୍କୁ ଭେଟିଥିଲେ ଶ୍ରୀ ମହାନ୍ତି ।


ସୁବର୍ଣ୍ଣରେଖା ଏବଂ ବୈତରଣୀ ବେସିନରେ ଲଗାଣ ବର୍ଷା କାରଣରୁ ବନ୍ୟା ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ତରଫରୁ ସୁଚନା ଦିଆଯାଇଥିଲା ।  ସ୍ୱାଧୀନତା ୭୫ ବର୍ଷ ପୁର୍ତି ଅବସରରେ ଦେଶବାସୀ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅବହେଳା ଓ ଅସମ୍ବେଦନଶୀଳତା କାରଣରୁ କାନ୍ଥ ପଡି ଜିଲ୍ଲାରେ ୭-୭ ଜଣଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଏହି ପ୍ରତିନିଧି ଦଳରେ ବିଧାୟକ ଭାସ୍କର ମଢେଇ, ପ୍ରକାଶ ସୋରେନ, ଡ.ବୁଧନ ମୁର୍ମୁ, ସନାତନ ବିଜୁଳି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ, ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ୍ ଥିଲେ ।

Comments are closed.