ଭୁବନେଶ୍ୱର: ଚତୁର୍ଥ ଦିନରେ ବିଧାନସଭା ସାମ୍ନାରେ ବିଜେପିର ସତ୍ୟାଗ୍ରହ। ମିଥ୍ୟା ପ୍ରତିଶ୍ରୁତି ପେଡି ଖୋଲିବା ଓ ନିଜର କୁକର୍ମର ଗାରିମା ଲୁଚାଇବା ବନ୍ଦ କରୁ ବିଜେଡି କହିଲେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର।
ସେ କହିଛନ୍ତି, ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜୁ ଜନତା ଦଳ ଓଡିଶାରେ ଅନ୍ନଦାତାଙ୍କୁ ପ୍ରତାରଣା ଓ ଅବହେଳା କରିଆସୁଛି । ଓଡିଶାରେ ୭୦% ଲୋକ ଚାଷ ଉପରେ ନିର୍ଭର କରୁଥିଲେ ବି ପ୍ରାକୃତିକ ଦୁର୍ବିପାକ, ବିହନ କିମ୍ବା ସାରର କୌଣସି ସହାୟତା କରନ୍ତି ନାହିଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ। ୨୨ବର୍ଷ ଧରି ଚାଷୀମାନଙ୍କୁ ପୋଷ୍ୟ ପୁତ୍ରଭଳି ଆଚରଣ କରୁଛି ଶାସକ ଦଳ।
ସେହିପରି କେନ୍ଦ୍ର ସରକାର ଓଡ଼ିଶାର ଚାଷୀଙ୍କ ଲାଗି ମାଳ ମାଳ ଯୋଜନା କରୁଥିଲେ ବି ଚାଷୀ ସେଥିରୁ ବଂଚିତ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ତାଙ୍କ ଜୀବନକାଳ ଓଡ଼ିଶାର ରାଜନୀତିରେ କଟାଇଥିଲେ ବି କୃଷି ଓ କୃଷକ କଲ୍ୟାଣ ପାଇଁ କୈାଣସି ଦୀର୍ଘମିଆଦି ଯୋଜନାକୁ ସଫଳ ଭାବେ କାର୍ଯ୍ୟାନ୍ୱୟନ କରିନାହାନ୍ତି । ଚାଷ ଜମିକୁ ଜଳ, ଫସଲବୀମା, ଶୀତଳ ଭଣ୍ଡାର, ବ୍ୟବସ୍ଥିତ ଟୋକନ ଏବଂ ଧାନ ମଣ୍ଡି, କେନ୍ଦ୍ର ଦେଉଥିବା କ୍ୱିଟାଂଲ ପିଛା ଏମଏସପି ୨୦୪୦ଟଙ୍କା ଚାଷୀଙ୍କୁ ଦେବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଥିବା ୧୦୦ଟଙ୍କା ବୋନସକୁ ମଧ୍ୟ କାର୍ଯ୍ୟାନ୍ୱୟନ କରିନାହାନ୍ତି ।
ସେହିପରି କାଳିଆ ଯୋଜନାରେ ଘୋଷଣା କରିଥିବା ଚାଷୀଙ୍କୁ ୧୦ହଜାର ଟଙ୍କା ଦେବାର କୌଣସି ବ୍ୟବସ୍ଥା ମଧ୍ୟ କରିନାହାନ୍ତି । ନିର୍ବାଚନ ଓ କ୍ଷମତା ପଛରେ ଦୌଡି ଦୌଡି ଚାଷୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନରୁ ବଂଚିତ କରିବା କିପ୍ରକାର ନ୍ୟାୟ ବୋଲି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାର କ୍ଷମତା ଆଳରେ ଚାଷୀଙ୍କ ପ୍ରତି ଅବିଚାର ନକରନ୍ତୁ । ଓଡ଼ିଶାର ଚାଷୀ କିଭଳି ଆଗାମୀ ଦିନରେ ସ୍ୱଚ୍ଛଳ ଓ ସ୍ୱାବଲମ୍ବୀ ହେବ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରନ୍ତୁ । ଯଦି ରାଜ୍ୟ ସରକାର ଚାଷୀଙ୍କ ଦାବି ପୂରଣ ନକରନ୍ତି ଭାରତୀୟ ଜନତା ପାର୍ଟି ଜିଲ୍ଲାସ୍ତରରେ ତୀବ୍ର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ମିଶ୍ର ।
ବିଧାନସଭା ସମ୍ମୁଖରେ ଆଜିକୁ ଚାରିଦିନ ହେବ ଚାଷୀଙ୍କୁ ନ୍ୟାୟ ଦେବା ଲାଗି ବିଜେପି ସତ୍ୟାଗ୍ରହ କରିଥିଲେ ବି ବିଜୁ ଜନତା ଦଳ ସରକାର ହୀନ ରାଜନୀତି କରି ମୁହଁ ଲୁଚାଉଛି । ନିର୍ବାଚନ ସମୟରେ ବିଜେଡିର ସମସ୍ତ ମିଥ୍ୟା ପ୍ରତିଶ୍ରୁତି ପେଡି ଖୋଲିବା ଓ ନିଜର କୁକର୍ମର ଗାରିମା ଲୁଚାଇ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଭଳି ଖଳ ମନ୍ତବ୍ୟକୁ ଓଡ଼ିଶାର ଲୋକେ ବୁଝିଗଲେଣି ବୋଲି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଯୋଗ ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Comments are closed.