Latest Odisha News

BREAKING NEWS

ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି ଡିଏମଏଫ ଟଙ୍କା; ଟ୍ରଷ୍ଟ ସ୍ଥିର କରିବ କେଉଁଠି ହେବ ଖର୍ଚ୍ଚ

ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି । ରାଜ୍ୟ ସରକାରଙ୍କ ଅନୁମୋଦିତ କୌଣସି ପ୍ରକଳ୍ପ ରେ ଏହି ଟଙ୍କା ଖର୍ଚ୍ଚ ହୋଇପାରିବନି । ଡିଏମଫ ଟ୍ରଷ୍ଟ ବୋର୍ଡ ଅନୁମୋଦିତ ପ୍ରକଳ୍ପରେ ହିଁ ଏହି ଟଙ୍କା ଖର୍ଚ୍ଚ ହୋଇପାରିବ । ଏନେଇ କେନ୍ଦ୍ର ସରକାରଙ୍କ ଖଣିଜ ମନ୍ତ୍ରାଳୟ ନିର୍ଦ୍ଦେଶ ଜାରି କରିଛି । ଏପରିକି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ମଧ୍ୟ ଏହି ଟଙ୍କା ଯାଇପାରିବନି ।

କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଜିଲ୍ଲାପାଳ ଓ ବିଭାଗଗୁଡିକୁ ଅନୁରୂପ ନିର୍ଦ୍ଦେଶ ଜାରି କରିଛନ୍ତି । ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ର ଖଣି ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ କୌଣସି ସ୍ଥିତିରେ ଜିଲ୍ଲା ଖଣିଜ ପାଣ୍ଠିରୁ ରାଜ୍ୟ ରାଜକୋଷ କିମ୍ବା ରାଜ୍ୟ ସ୍ତରୀୟ ସଂସ୍ଥାକୁ ଅର୍ଥ ପଠାଯାଇ ପାରିବନାହିଁ ।

ରାଜ୍ୟ ସରକାରଙ୍କ କୌଣସି ଏଜେନ୍ସି ଦ୍ୱାରା ଡିଏମ୍‍ଏଫ୍‍ ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ମିଳିବନାହିଁ । କେନ୍ଦ୍ର ସରକାର ଉପରୋକ୍ତ ନିର୍ଦ୍ଦେଶନାମା ଅନୁପାଳନ ସହିତ ଡିଏମ୍‍ଏଫ୍‍ ଟ୍ରଷ୍ଟବୋର୍ଡ ଦ୍ୱାରା ଅନୁମୋଦିତ ପ୍ରକଳ୍ପ ହିଁ ସମ୍ପୃକ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହା ଓଡିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ରୁଲ୍ସ ୨୦୧୫ ଏବଂ ପ୍ରଧାନ ମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର ନିୟମାବଳୀ ଅନୁଯାୟୀ ବିଭାଗ ଓ ଏଜେନ୍ସିମାନେ କାର୍ଯ୍ୟ କରିବେ ବୋଲି ଉନ୍ନୟନ କମିଶନ ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି ।

ତେବେ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ କେଉଁ ନିର୍ଦ୍ଦିଷ୍ଟ ପ୍ରକଳ୍ପ କାର୍ଯ୍ୟ କରାଯିବା ଦରକାର ଏବଂ ତାହା ଖଣିଜ ପାଣ୍ଠି ଟ୍ରଷ୍ଟ ବୋର୍ଡ ପରିସରଭୁକ୍ତ କି ନୁହେଁ ତାହା ଅନୁଧ୍ୟାନ କରି ଜିଲ୍ଲା ସ୍ତରରୁ ପ୍ରଶାସନିକ ବିଭାଗକୁ ପ୍ରସ୍ତାବ ପଠାଯିବା ଆବଶ୍ୟକ । ଯଦି ଏହି ପ୍ରସ୍ତାବ ଗ୍ରହଣଯୋଗ୍ୟ ହୁଏ ତେବେ ଆବଶ୍ୟକୀୟ ମଞ୍ଜୁରୀ ପରେ ସମ୍ପୃକ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଇ ପାରିବ । ଏ ପ୍ରସଙ୍ଗରେ ଉନ୍ନୟନ କମିଶନର ବରିଷ୍ଠ ଅଧିକାରୀମାନଙ୍କୁ ନିୟମାବଳୀ ଅନୁଯାୟୀ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ସୁପାରିଶ୍‍ ଆସିଛି କି ନାହିଁ ଓ ତାହା ଅନୁମୋଦନ ହେଉଛି କି ନାହିଁ ସେ ସଂକ୍ରାନ୍ତରେ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଏ ବର୍ଷ ଜାନୁୟାରୀ ସୁଦ୍ଧା ଓଡିଶାରେ ଜିଲ୍ଲା ଖଣିଜ ପାଣ୍ଠି ଲାଗି ୧୬,୯୫୨କୋଟି ୬୪ଲକ୍ଷ ଟଙ୍କା ସଂଗୃହୀତ ହୋଇଛି । ସେଥିରୁ ୮୫୧୫କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସମଗ୍ର ଦେଶରେ ଏ ବାବଦରେ ଯେତେ ଅର୍ଥ ସଂଗ୍ରହ କରାଯାଇଛି କେବଳ ଓଡିଶାରେ ତାହାର ୨୮.୭ ପ୍ରତିଶତ ସଂଗୃହୀତ ହୋଇଛି ।

Leave A Reply

Your email address will not be published.