Latest Odisha News

BREAKING NEWS

ସମ୍ବଲପୁର ଏବଂ ବଲାଙ୍ଗୀରେ ଖୋଲିବ ଆଉ ଦୁଇଟି ଆଇଟିଆଇ

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ଆଉ ଦୁଇଟି ଆଇଟିଆଇ । ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବା ଉଦ୍ଦେଶ୍ୟ ରଖି ଏହି ଆଇଟି ଦ୍ୱୟ ଖୋଲାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

କୁଚିଣ୍ଡାରେ ନୂଆ ସରକାରୀ ଆଇଟିଆଇ  ପ୍ରତିଷ୍ଠା ଦ୍ୱରା କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ଯୁବସମାଜ ଉପକୃତ ହେବେ । ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ଥିବା ଚାରିଗୋଟି ଟ୍ରେଡରେ ଏଠାରେ ୨୪୦ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯିବ। ସମ୍ବଲପୁର ଆଖପାଖରେ ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠୁଥିବାରୁ ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିପୁଳ ଓ ଆତ୍ମନିଯୁକ୍ତି ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିବ।

ସେହିପରି ବଲାଙ୍ଗୀରର ପାଟଣାଗଡ ଠାରେ ପ୍ରତିଷ୍ଠିତ ଆଇଟିଆଇରେ ମଧ୍ୟ ୪ ଗୋଟି ଟ୍ରେଡରେ ୨୪୦ ଜଣ ପିଲା ଶିଳ୍ପ ତାଲିମ ପାଇପାରିବେ । ବୃତ୍ତିଗତ ତାଲିମ ବ୍ୟବସ୍ଥା ଦ୍ୱାରା ବ୍ଲକ୍‌ର ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସୂଚନାଯୋଗ୍ୟ ଯେ ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୨୫୧ଟି ବ୍ଲକ୍‌ର ସରକାରୀ/ବେସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ରହିଛି । ସେହିପରି ୫୮ଟି ସବ୍‌ଡିଭିଜନ ମଧ୍ୟରୁ ୪୮ଟିରେ ଆଇଟିଆଇ ରହିଛି । ପାଟଣାଗଡ ଓ କୁଚିଣ୍ଡାରେ  ଆଇଟିଆଇ  ପ୍ରତିଷ୍ଠା ହେବା ପରେ ଏହି ସଂଖ୍ୟା ୫୦କୁ ବୃଦ୍ଧି ପାଇବ।

Leave A Reply

Your email address will not be published.