Latest Odisha News

BREAKING NEWS

ରାଜ୍ୟ ଅତିଥି ଭବନର ପ୍ରଥମ ମହଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ

ଭୁବନେଶ୍ବର: ୨୪ ବର୍ଷ ପରେ ରାଜ୍ୟ ରାଜନୀତିର ଆଉ ଏକ ଫର୍ଦ୍ଦ ଓଲଟିସାରିଛି । ଆରମ୍ଭ ହୋଇଯାଇଛି ମୋହନ ମାଝୀଙ୍କ ଯୁଗ । ବୁଧବାର ଜନତା ମଇଦାନରେ ଓଡିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିଜେପିର ଟାଣୁଆ ନେତା ତଥା ବର୍ତ୍ତମାନର କେନ୍ଦୁଝରର ନବନିର୍ବାଚିତ ବିଧାୟକ ମୋହନ ଚରଣ ମାଝୀ ।

ଜୁନ୍ ୪ରେ ଚଳିତ ନିର୍ବାଚନର ଫଳାଫଳ ବାହାରିବା ପରେ ଆରମ୍ଭ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ଖୋଜା । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଉପଯୁକ୍ତ ସ୍ଥାନ ସାମ୍ନାକୁ ଆସିପାରିନାହିଁ । ହେଲେ ଏହାରି ଭିତରେ ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଭାବେ ଘୋଷଣା କରାଯାଇଛି । ପୁରୀରୁ ଫେରିବା ପରେ ଆଜି ରାଜ୍ୟ ଅତିଥି ଭବନର ପ୍ରଥମ ମହାଲରେ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ମୋହନ ମାଝୀ । ଏହା ସହିତ ବିଭିନ୍ନ ନେତା, ମନ୍ତ୍ରୀ ଓ ନଗର ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଭେଟି ତାଙ୍କ ସହ ରାଜ୍ୟ ଅତିଥି ଭବନରେ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଲୋକସଭା ଭବନର ତୃତୀୟ ମହଲାରେ ପ୍ରଥମ କ୍ୟାବିନେଟ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହା ପରେ ଚର୍ଚ୍ଚା ହେଉଥିଲା କି ଲୋକସଭା ଭବନରେ ନୂଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଇପାରେ । ହେଲେ ଆଜି ରାଜ୍ୟ ଅତିଥି ଭବନର ପ୍ରଥମ ମହଲାକୁ ନିଜର କାର୍ଯ୍ୟଳୟ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହା ଅସ୍ଥାୟୀ ଅଟେ । ପରବର୍ତ୍ତୀ ସମୟରେ ଏହା ଲୋକସଭା ଭବନର ତୃତୀୟ ମହଲାକୁ ସ୍ଥାନାନ୍ତରିତ ହୋଇପାରେ  କିମ୍ବା ଅନ୍ୟସ୍ଥାନକୁ ସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କରାଯାଇପାରେ ।

ସୂଚନାଯୋଗ୍ୟ, ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ବଙ୍ଗଳା ପ୍ରଦାନ କରାଯାଇନାହିଁ । ପୂର୍ବରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଭାବରେ ୨୪ ବର୍ଷ କାର୍ଯ୍ୟକାଳରେ ନବୀନ ପଟ୍ଟନାୟକ ତାଙ୍କ ବ୍ୟକ୍ତିଗତ ଘର ନବୀନ ନିବାସରୁ କାର୍ଯ୍ୟ କରିଥିଲେ, ଯେହେତୁ ସେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ସେଠି ହିଁ କାର୍ଯ୍ୟ କରିଥିଲେ ତ ତାକୁ ହିଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭାବରେ ଜଣା ଯାଉଥିଲା।

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ନବୀନ, ଦିଆଯାଇଥିବା  ସରକାରୀ ଆବାସକୁ ଯିବା ପରିବର୍ତ୍ତେ ନିଜ ବାସଭବନରୁ କାମ କରିବାକୁ ପସନ୍ଦ କରିଥିଲେ। ଏହି ନିଷ୍ପତ୍ତି ରାଜ୍ୟର ରାଜନେତିକ ଇତିହାସରେ ଏକ ନିଆରା ଉଦାହରଣ ସୃଷ୍ଟି କରିଥିଲା । ପ୍ରାୟ ଏକ ଚତୁର୍ଥାଂଶ ଶତାବ୍ଦୀ ପାଇଁ, ସମସ୍ତ ସରକାରୀ ଏବଂ ପ୍ରଶାସନିକ କାର୍ଯ୍ୟ ନବୀନ ନିବାସରୁ ହିଁ କାର୍ଯ୍ୟକାରୀ ହୋଇଆସୁଥିଲା । ଯାହା ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏକ ଘର |

Comments are closed.