Latest Odisha News

BREAKING NEWS

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଏହାକୁ ଉଦଘାଟନ କରିବା ସହ ଲୋକକଳାର ପରମ୍ପରା ଏବେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି ବୋଲି କହିଥିଲେ ।

ଓଡ଼ିଶାର ଭାଷା,ସାହିତ୍ୟ ସଂସ୍କୃତି ଓ ପରମ୍ପରା ସହ ରାଜ୍ୟର ଲୋକକଳା ଓତଃପ୍ରୋତ ଭାବେ ଜଡିତ। ଏହାର ଲୋକପ୍ରିୟତା ବଜାୟ ରଖିବାର ସମୟ ଆସିଛି । ସେହିଭଳି ଗଣପର୍ବ ରଜ ମଧ୍ୟ ମୌଳିକତା ହରେଇ ନଥିବା ମନ୍ତ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଲେ ଯେ ଆଧୁନିକତାର ଚାକଚକ୍ୟରେ ଲୋକକଳା ଏହାର ମୌଳିକତା ଅକ୍ଷୁର୍ଣ୍ଣ ରଖିବାରେ ସଫଳ ହୋଇଛି । ଲୋକକଳାର ସୁରକ୍ଷା ଓ ଏହାକୁ ଲୋକାଭିମୁଖୀ କରିବା ପାଇଁ ଭବିଷ୍ୟତ ପିଢି ପ୍ରୟାସୀ ହେବା ଆବଶ୍ୟକତା ରହିଛି । କଳାକାର ମାନଙ୍କ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳ ଓ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଲୋକକଳା ଦିବସ ପାଳନ ନିମନ୍ତେ ପ୍ରୋତ୍ସାହିତ କରିବାରେ ସଂସ୍କୃତି ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ ।

ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବିଭାଗର ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ । କଳାକାର ମାନଙ୍କ ସ୍ବାର୍ଥ ରକ୍ଷାକରିବା ନିମନ୍ତେ ବିଭାଗ କାର୍ଯ୍ୟ କରୁଥିବା ସେ ମତବ୍ୟକ୍ତ କରିଥିଲେ । ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ନିଜର ମତାମତ ପ୍ରଦାନ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଲୁପ୍ତପ୍ରାୟ ଲୋକକଳାକୁ ପୁନଃ ଉଜ୍ବୀବିତ କରିବା ସହ ସଂପୃକ୍ତ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୧୯ ମସିହାରୁ ଆଜିର ଦିନକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ଦିବସ ଭାବେ ପାଳନ କରାଯାଉଛି ।

ସଂସ୍କୃତି ଭବନ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ରଜ ଉପଲକ୍ଷେ ବିଭିନ୍ନ ପାରମ୍ପରିକ ଓଡିଆ ଖାଦ୍ୟ ସାମଗ୍ରୀ ଓ ବିଭିନ୍ନ ହସ୍ତତନ୍ତ ସାମଗ୍ରୀ ଗ୍ରାହକ ମାନଙ୍କ ନିମନ୍ତେ ଉପଲବ୍ଧ ରହିଛି ।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରର ଲହରୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ, କଟକର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଦ୍ବାରା ଘୋଡାନାଚ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଭାଗୀୟ ବରିଷ୍ଠ ଅଧିକାରୀ, ପ୍ରମୁଖ ଅଧିକାରୀ, ବୁଦ୍ଧିଜିବୀ ପ୍ରମୁଖ ଉପସ୍ଥିତ ଥିଲେ । ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.