Latest Odisha News

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତି୍ୟକ ଉତ୍ସବ ଉଦଯାପିତ 

ମା’ରାମଦେବୀଙ୍କ ପରି ନାରୀମାନେ ସବୁବେଳେ ଜାତିକୁ ବାଟ ଦେଖାଇଛନ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ଉଦଯାପିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଓ କୁଳପତି ଅପରାଜିତା ଚୌଧୁରୀ, କୁଳସଚିବ ଶ୍ୟାମଳୀ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗ ଦେଇଥିଲେ ।

ସାହିତ୍ୟ ଭିତ୍ତିକ କାର୍ଯ୍ୟ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ଅଭିନବ ଯୋଜନା ଏବଂ ଛାତ୍ରବୃତ୍ତି ପ୍ରଣୟନ କରିଛନ୍ତି । ଭିତ୍ତିଭୂମି ଉନ୍ନୟନ, ଉପଲବ୍ଧ ସୁବିଧାଗୁଡ଼ିକର ଆଧୁନିକୀକରଣ ଏବଂ ସମସାମୟିକ ଶିକ୍ଷା ବ୍ୟବସ୍ଥା ସହିତ ଗତି କରିବା ପାଇଁ ଉନ୍ନତ ପାଠ୍ୟକ୍ରମ ପ୍ରଚାଳନ ପାଇଁ ଅର୍ଥ ବିନିଯୋଗ କରାଯାଇଛି । ଶିକ୍ଷାଦାନରେ ଉତ୍କର୍ଷ ଓ ନବସୃଜନର ସଂସ୍କୃତି ପ୍ରତିପାଦନ କରି ଓଡ଼ିଶା ସରକାର କେବଳ ଏହି ସମ୍ମାନଜନକ ଅନୁଷ୍ଠାନଗୁଡ଼ିକର ଐତିହ୍ୟ, ସଂସ୍କୃତିକୁ ସରଂକ୍ଷଣ କରୁନାହାନ୍ତି ବରଂ ଏକବିଂଶ ଶତାବ୍ଦୀରେ ଶିକ୍ଷା ପାଇଁ ଗତିଶୀଳ କେନ୍ଦ୍ର ଭାବରେ ସ୍ଥାନିତ କରିଛନ୍ତି । ଯୁବପିଢି ଆମ ଓଡ଼ିଶାର ଇତିହାସ ଓ ମହାପୁରୁଷଙ୍କୁ ଜାଣିବା ଦରକାର ଏବଂ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ।

ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ଜେନା କହିଥିଲେ ଯେ ବିଶ୍ୱବିଦ୍ୟାଳୟ ହେଉଛି ଉଚ୍ଚଶିକ୍ଷା ଏବଂ ଗବେଷଣାର ଏକ ଅନୁଷ୍ଠାନ । ଏବଂ ଏହି ଅନୁଷ୍ଠାନଗୁଡିକ ଏକ ଉନ୍ନତ ତଥା ପ୍ରଗତିଶୀଳ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ସହିତ ସେମାନଙ୍କ ଜୀବନର ମାନବୀୟ ମୂଲ୍ୟବୋଧକୁ ପରିପୁଷ୍ଟ କରାଇଥାଏ ।

ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କ ମଧ୍ୟରେ ଗବେଷଣା, ନୂତନତ୍ୱ ଓ ଜିଜ୍ଞାସା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ଓ ବ୍ୟବସ୍ଥା ସୃଷ୍ଟି କରାଯାଉଛି । ସେହିସବୁ ସୁବିଧା ସୁଯୋଗର ଭରପୂର ଉପଯୋଗ କରିଲେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ନୂତନ ଇତିହାସ ରଚି ପାରିବ ବୋଲି କୁଳପତି ଶ୍ରୀମତୀ ଚୌଧୁରୀ କହିଥିଲେ।

ଏହି ଉତ୍ସବ ପାଇଁ ଦୁଇଦିନ ଧରି ଚାଲିଥିବା ପ୍ରତିଯୋଗିତାରେ ରାଜ୍ୟର ୧୮ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଓଡ଼ିଆ ଭାଷା ସାହିତ୍ୟ, ଜଗନ୍ନାଥ ସଂସ୍କୃତି ଉପରେ ବହୁଭାଷୀ ପ୍ରବନ୍ଧ ଲିଖନ, ବହୁଭାଷୀ ତର୍କ, ଡ୍ରାମା, କବିତା ପାଠ, ଡ୍ୟାନ୍ସ, ସଙ୍ଗୀତ, କୁଇଜ, ଚିତ୍ରାଙ୍କନ, କମେଡ଼ି, କ୍ଷୁଦ୍ର ଚଳଚ୍ଚିତ୍ର, ହାସ୍ୟରସାତ୍ମକ କଥା ପ୍ରଭୃତି ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ଶେଷରେ ମନ୍ତ୍ରୀ ଶ୍ରୀ ନାୟକ ପୁରସ୍କୃତ କରିଥିଲେ ।

 

Comments are closed.