Latest Odisha News

ଆସନ୍ତା ଫେବୃଆରୀ ୪ ଓ ୫ରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ କବି ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କିଟ୍‍ର ମିଳିତ ଆନୁକୂଲ୍ୟରେ ଆସନ୍ତା ଫେବୃଆରୀ ୪ ଓ ୫ ତାରିଖ ଦୁଇଦିନ ଧରି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ କବି ସମ୍ମିଳନୀ ଅନୁଷ୍ଠିତ ହେବ।

କବି ସମ୍ମିଳନୀର ପ୍ରଥମ ଦିନରେ ‘ସାମ୍ପ୍ରତିକ ସମୟରେ ଓଡ଼ିଆ କବିତାର ସ୍ଥିତି, ଗତି, ପ୍ରକୃତି ତଥା ପ୍ରଭାବ’ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ପରେ ପଲ୍ଲୀ କବିତା, ଆଧୁନିକ କବିତା, ପ୍ରାଚୀନ କବିତା, ଗୀତି କବିତା ଓ ଦେଶାତ୍ମବୋଧକ କବିତା ଆଦି ଶୀର୍ଷକ ଉପରେ କବିମାନେ ସେମାନଙ୍କ ସ୍ୱରଚିତ କବିତା ଆବୃତି କରିବେ। ଏଥି ସହ ଚିତ୍ରକଳା, ବାଲୁକା କଳା, ନୃତ୍ୟ ଓ ସଂଗୀତ ମଧ୍ୟରେ କବିତାର ଆତ୍ମିକ ପରିବେଶ ସୃଷ୍ଟି କରାଯିବ। ଦ୍ୱିତୀୟ ଦିନରେ ଅନୁବାଦ ଅଧିବେଶନରେ ‘ଭାଷା, ସଂସ୍କୃତି, ଭାବଗତ ବିକାଶ ନିମନ୍ତେ କବିତାର ଅନୁବାଦଗତ ପ୍ରାସଙ୍ଗିକତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହା ସହ ଆମନ୍ତ୍ରିତ କବିମାନଙ୍କ କବିତା ସଙ୍କଳନର ଲୋକାର୍ପଣ କରାଯିବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୪ଶହ କବି ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ବକ୍ତୃତା ପ୍ରଦାନର କାର୍ଯ୍ୟକ୍ରମ ରହିଛି।

ଏହି ସମ୍ମିଳନୀର ଆୟୋଜନ ପାଇଁ ରାଜ୍ୟ ସରକାର କିଟ୍‍କୁ ସୁଯୋଗ ଦେଇଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା କବିମାନଙ୍କର ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ଯତ୍ନବାନ ରହିବାକୁ କିଟ୍‍ କର୍ତ୍ତୃପକ୍ଷଙ୍କୁ ଶ୍ରୀ ସାମନ୍ତ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.