Latest Odisha News

ରାଜ୍ୟର ବିଶିଷ୍ଟ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ୨୬୦ ଜଣ ସ୍ବେଚ୍ଛାସେବୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟ ଏନ. ଏସ. ଏସ ଶାଖା ପକ୍ଷରୁ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ-୨୦୨୬ ଆରମ୍ଭ ହୋଇଛି। ଏହି ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ ଜାନୁଆରୀ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟର ପ୍ରାୟ ୨୬୦ ଜଣ ଏନ. ଏସ.ଏସ ସ୍ବେଚ୍ଛାସେବୀମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ମନ୍ଦିର, ବେଳାଭୂମି, ଐତିହାସିକ ସ୍ଥାନ ବୁଲି ଦେଖିବା ସହିତ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଆଦି ମଧ୍ୟ ପରିଭ୍ରମଣ କରିବେ। ଏଥିପାଇଁ ସ୍ବେଚ୍ଛାସେବୀମାନେ ଆଜି ନିଜର ଯାତ୍ରା ଆରମ୍ଭ କରିଛନ୍ତି।

ଆଜି ରେଡ଼କ୍ରସ ଭବନ, ଭୁବନେଶ୍ୱର ଠାରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ଓ ଏନ. ଏସ. ଏସ ଆଞ୍ଚଳିକ ନିର୍ଦ୍ଦେଶାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ପରିଭ୍ରମଣରେ ଯାଉଥିବା ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ସମାଜସେବା କାର୍ଯ୍ୟରେ ସର୍ବଦା ନିଜର ଯୋଗଦାନ ଜାରି ରଖିବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ।

ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ରାଜ୍ୟର ଯୁବପିଢ଼ିମାନେ ଓଡ଼ିଶାର ଗୌରବମୟ ଇତିହାସ, କଳା, ଭାସ୍କର୍ଯ୍ୟ,ଐତିହ୍ୟ ଓ ସଂସ୍କୃତି ସମ୍ବନ୍ଧରେ ଅଗବତ ହେବା ସହ ଭାବ ବିନିମୟ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ପରିବେଶ ସମ୍ବନ୍ଧରେ ଅବଗତ ହୋଇପାରିବେ ଯାହାଦ୍ୱାରା ଆଗାମୀ ଦିନରେ ମଧ୍ୟ ସ୍ବେଚ୍ଛାସେବୀମାନେ ନିଜର କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ମତପ୍ରକାଶ କରିଥିଲେ।

Comments are closed.