Latest Odisha News

 କ’ଣ ଏହି ଓଡିଆ ପକ୍ଷ? ଧୁମଧାମରେ ପାଳନ କରିବେ ମୋହନ ସରକାର

ଭୁବନେଶ୍ବର: ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ । ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକାର । ଏନେଇ ଏପ୍ରିଲ ୧ ଓଡିଶା ଦିବସରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ ଯେଉଁଥିରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ କରିବେ ସରକାର ଏବଂ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି ଲେଖାଯାଇଛି  ।

ତେବେ ପ୍ରଥମ ଦିନରେ ଏପ୍ରିଲ ପହିଲାରେ ଓଡିଶା ଦିବସ ପାଳନ ହେବାକୁ ଥିବା ବେଳେ ଏଥିରେ ସୂଚନା ଓ ଲୋକ ସଂପର୍କ ବିଭାଗ ସହ ସମସ୍ତ ଜିଲ୍ଲାପାଳ ସାମିଲ ହେବେ । ସେହିପରି ଏପ୍ରିଲ ୨ ତାରିଖରେ ପାଳିତ ହେବ ଖଡ଼ିଛୁଆଁ ଦିବସ । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ସାମିଲ ହେବେ ।  ଏହି କ୍ରମରେ ଆସନ୍ତା ୧୨ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର ବରପୁତ୍ରମାନଙ୍କ ସଂପର୍କରେ ସାରା ରାଜ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।

ଏହାପରେ ଏପ୍ରିଲ ୧୩ ତାରିଖରେ ପଞ୍ଚାୟତିରାଜ ବିଭାଗ, ସହରାଞ୍ଚଳ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ହେବ ପାରମ୍ପରିକ ଖାଦ୍ୟ ଦିବସ ପାଳନ । ସେହିପରି ଏପ୍ରିଲ ୧୪ରେ ଓଡ଼ିଆ ନବବର୍ଷ ପାଳିତ ହେବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୁଳୁହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ଚିଠିରେ ଉଲ୍ଲେଖ ରହିଛି ।

ତେବେ ସରକାରୀ ପ୍ରେସ୍ ରିଲିଜ୍ ଅନୁଯାୟୀ, ଚଳିତ ବର୍ଷ “ରାଜ୍ୟସ୍ତରୀୟ ଓଡ଼ିଶା ଦିବସ” ଏପ୍ରିଲ ୧ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର ସାଲେପୁରର ସତ୍ୟଭାମାପୁରରେ ମହାସମାରୋହରେ ପାଳନ କରାଯିବ।

ସେହିପରି, ରାଜଧାନୀ ଭୁବନେଶ୍ୱର ସହିତ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ରାଜ୍ୟର ବିଭିନ୍ନ ରାଜସ୍ୱ ବିଭାଗ, ଜିଲ୍ଲା ଏବଂ ଉପ-ବିଭାଗୀୟ ମୁଖ୍ୟାଳୟରେ ଏହି ଦିବସକୁ ଉତ୍ସାହର ସହିତ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ସତ୍ୟଭାମାପୁରରେ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଅନ୍ୟାନ୍ୟ ସ୍ଥାନରେ ମନ୍ତ୍ରୀ, ରାଜସ୍ୱ କମିଶନର ଏବଂ ଜିଲ୍ଲା କଲେକ୍ଟରମାନେ ଅତିଥି ଭାବରେ ଯୋଗଦେବେ ।

Comments are closed.