Latest Odisha News

BREAKING NEWS

ତୁରନ୍ତ ଅପସାରିତ ହେବ ନବକୃଷ୍ଣଙ୍କ ବିକୃତ ପ୍ରତିମୂର୍ତ୍ତି

ଭୁବନେଶ୍ଵର: ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ସର୍ବୋଦୟ ନେତା ସ୍ଵର୍ଗତ ନବକୃଷ୍ଣ ଚୌଧୁରୀ ତ୍ୟାଗ ଓ ସେବାର ପ୍ରତୀକ ବୋଲି ସର୍ବଜନ ବିଦିତ । ଗଡଜାତ ଆନ୍ଦୋଳନକୁ ବ୍ୟାପକ କରିବା ଦୃଷ୍ଟିରୁ ଉଭୟ ନବ ବାବୁ ଓ ମାଳତୀ ଦେବୀ ଅନୁଗୁଳକୁ କର୍ମଭୂମିରୂପେ ଯାହା ବାଛିଥିଲେ, ଜୀବନର ଶେଷଯାଏ ସେହିଠାରେ ରହି ଶେଷନିଃଶ୍ଵାସ ତ୍ୟାଗ କଲେ । ଅନୁଗୁଳରେ ବାଜି ରାଉତ ଛାତ୍ରାବାସ, ଜୀବନ ବିଦ୍ୟାଳୟ ଆଦି ମାଧ୍ୟମରେ ଶିକ୍ଷାର ବିକାଶ, ରାଜ୍ୟବ୍ୟାପୀ ସାଂସ୍କୃତିକ ଭାବ ବିନିମୟ, ଭୁଦାନ ସର୍ବୋଦୟ ଆନ୍ଦୋଳନ ମାଧ୍ୟମରେ ସାମାଜିକ, ରାଜନୈତିକ, ଆର୍ଥିକ ଉନ୍ନତି ଦିଗରେ କାର୍ଯ୍ୟ ଯୋଗୁଁ ଏହି ଦମ୍ପତି ଯୁଗ ଯୁଗ ଧରି ମନେ ରହିବେ ।

ହେଲେ ଗତ ଚାରି ବର୍ଷ ଭିତରେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କୁ ବାରମ୍ବାର ଅପମାନିତ କରିବାକୁ ପ୍ରୟାସ ଚାଲିଛି । ତାହାର ଜ୍ଵଳନ୍ତ ନିଦର୍ଶନ ହେଉଛି ଗତ ଉତ୍କଳ ଦିବସରେ ଅନୁଗୁଳଠାରେ ଉଦଘାଟିତ ହୋଇଥିବା ନବକୃଷ୍ଣ ଚୌଧୁରୀଙ୍କର ଫାଇବର ମୂର୍ତ୍ତିକୁ ପ୍ୟାଣ୍ଟ,ସାର୍ଟ, ଜୋତା ପିନ୍ଧାଇ ବିକୃତ ରୂପେ ଛିଡା କରା ହୋଇଛି । ଆଜୀବନ ଖଦୀ ଧୋତି ଓ ଫତେଇ ପିନ୍ଧୁଥିବା ନବକୃଷ୍ଣଙ୍କୁ ଏପରି ବେଶରେ ଛିଡା କରିବା ଆକସ୍ମିକ ଭୁଲ ବୋଲି ଯେତେ ସଫେଇ ଦେଲେ ବି ଏହା ପଛରେ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କାମ କରୁଛି ବୋଲି ବୁଝା ପଡେ ।

ଅନୁଗୁଳକୁ ମହାତ୍ମା ଗାନ୍ଧୀ ଆସିଥିବାରୁ ତାଙ୍କ ସ୍ମୃତିରେ ଗାନ୍ଧୀ ଭବନ ହେଉ ବୋଲି ଦାବୀ କରି ନବକୃଷ୍ଣ ମାଳତୀ ଦେବୀଙ୍କ କନ୍ୟା କୃଷ୍ଣା ମହାନ୍ତି ସତ୍ୟାଗ୍ରହ କରିବାରୁ ଏହାକୁ ବ୍ୟକ୍ତିଗତ ଭାବରେ ନେଇ ଅନୁଗୁଳ ଜିଲ୍ଲାପାଳ ବାଜି ରାଉତ ଛାତ୍ରାବାସ ପ୍ରତି ଅସୁୟା ମନୋଭାବ ରଖି ଅନେକ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲା ସଂସ୍କୃତି ପରିଷଦ ବୈଠକରେ ନବକୃଷ୍ଣଙ୍କ ପତ୍ନୀ ଜଣେ କଳିହୁଡୀ ମହିଳା ବୋଲି ଆକ୍ଷେପ କରାଗଲା ।

ବାସ ଅନୁପଯୋଗୀ ହୋଇପଡିଥିବା କନ୍ୟାଶ୍ରମ ଘରର ମରାମତି ପାଇଁ ଜିଲ୍ଲାପାଳ ନିଜେ ପୂର୍ତ୍ତ ବିଭାଗ ଦ୍ଵାରା ତନଖି କରି ମରାମତି ପାଇଁ ଆଦେଶ ଦେଇଥିଲେ ବି ଅର୍ଥ ଅଭାବ ଦର୍ଶାଇ ସେଥିରୁ ଓହରି ଗଲେ । ରାଜ୍ୟସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଛାତ୍ରାବାସକୁ ରିହାତି ଦରରେ ଚାଉଳ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କେଉଁ ଫାଇଲ ତଳେ ଚାପି ହୋଇ ରହିଛି, ଯାହା ଫଳରେ ଛାତ୍ରାବାସ ୨୪ ଟଙ୍କା ହିସାବରେ ଚାଉଳ କିଣିବାକୁ ବାଧ୍ୟ ହେଉଛି । ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟର ପ୍ରବେଶ ପଥରେ ଲାଗିଥିବା ନବକୃଷ୍ଣ ମାଳତୀ ଦେବୀଙ୍କ ଫଟୋଚିତ୍ରକୁ ହଟାଇ ଦେଇଥିଲେ । ଏହାର ପ୍ରବଳ ବିରୋଧ ହେବାରୁ ପ୍ରତୀକ୍ଷାଳୟରେ ଲଗାଇଛନ୍ତି ।

ନବକୃଷ୍ଣ ଓ ମାଳତୀ ଦେବୀ ରହୁଥିବା ନୁମା କୁଟୀର ଝାଟିମାଟିରେ ନିର୍ମିତ ଏକ କୁଡିଆ ଘର । ଏହାର ରକ୍ଷଣାବେକ୍ଷଣ ବଦଳରେ ଜିଲ୍ଲା ପ୍ରଶାସନ ଏହା ଉପରେ ଏକ କଳା ପଲିଥିନ ଘୋଡାଇ ଦେଇ କାମ ସାରିଦେଇଛି । ଜିଲ୍ଲାପାଳଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲାରୁ ବଦଳି କରାଯିବା ସହ ଏକ ରାଜ୍ୟସ୍ତରୀୟ କମିଟି ସରକାର ଗଢି ବାଜିରାଉତ ଛାତ୍ରାବାସର ଅଭାବ ଅସୁବିଧା ସବୁକୁ ଅନୁଧ୍ୟାନ କରିବା ସହ ଏହାର ପରିପୂରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ, ଲୋହିଆ ଏକାଡେମୀ, ରାଷ୍ଟ୍ରୀୟ ଯୁବା ସଂଗଠନ ଆଦି ସଂଗଠନ ମାନଙ୍କ ପକ୍ଷରୁ ଆୟୋଜିତ ସତ୍ୟାଗ୍ରହ ସ୍ଥଳରୁ ସର୍ବଶ୍ରୀ ଜୟନ୍ତ କୁମାର ଦାସ, ମିହିର ପ୍ରତାପ ଦାସ, ବିଶ୍ଵପ୍ରିୟ କାନୁନଗୋ, ଜ୍ଞାନରଞ୍ଜନ ସାମନ୍ତରାୟ, ବିଜୟ କୁମାର ମହାନ୍ତି, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡା, ଜୟନ୍ତ ଦାସ, ସତୀଶ ମିଶ୍ର, ସଂଗ୍ରାମ ମଲ୍ଲିକ, ମହମ୍ମଦ ସୁକୃ, ମାନସ ଜେନା, ବୈଦ୍ୟନାଥ ଦାସ, ମାନସ ରଞ୍ଜନ ମିଶ୍ର, ସଙ୍ଘମିତ୍ରା ଜେନା, ପ୍ରମୋଦ କୁମାର ପରିଡା, ମନୋଜ କୁମାର କର, ପ୍ରତ୍ୟୟ ପ୍ରଶାନ୍ତ, ଅଲିଭା ଦାଶ, କୃଷ୍ଣପ୍ରସାଦ ଚମ୍ପତିରାୟ, କରନ ମହାପାତ୍ର, ବିଜୟ କୁମାର ପଣ୍ଡା ଦାବୀ କରିଥିବା କରିଥିବା ବେଳେ ମାନସ ପଟ୍ଟନାୟକ ସତ୍ୟାଗ୍ରହକୁ ସଂଯୋଜନା କରିଥିଲେ ।

ଅନୁଗୁଳ ବାଜିରାଉତ ଛାତ୍ରାବାସର ସଭାପତି ଶୈଳଜ ରବିଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟାଙ୍କୁ ଭେଟିଛନ୍ତି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଓଡ଼ିଶା ଅଧ୍ୟକ୍ଷ ଜଷ୍ଟିସ ମନୋରଂଜନ ମହାନ୍ତି, ସଂପାଦକ ବିରୂପାକ୍ଷ ତ୍ରିପାଠୀ, ଲୋହିଆ ଏକାଡେମୀର ସଂପାଦକ ଦେବ ପ୍ରସାଦ ରାୟ ଓ ରାଜ୍ୟ ଯୁବା ସଂଗଠନର ସଦସ୍ୟ ଡାକ୍ତର ବିଶ୍ବଜିତ ପ୍ରମୁଖ ଭେଟି ଆଲୋଚନା କରିଥିଲେ । ଅନୁଗୁଳରେ ଗାନ୍ଧୀ ଭବନ ନିର୍ମାଣ ଏବଂ ବାଜିରାଉତ ଛାତ୍ରାବାସର ପୁନରୁଦ୍ଧାର ନେଇ ଆଲୋଚନା ହୋଇଥିଲା ।

ଶ୍ରୀ ବାଲକୃଷ୍ଣନ ବିକୃତ ମୂର୍ତ୍ତି ସ୍ଥାପନ ଯୋଗୁଁ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ସେହି ମୂର୍ତ୍ତିକୁ ହଟାଇ ଓଡିଆ କାରିଗରଙ୍କ ଦ୍ଵାରା ନବ ବାବୁଙ୍କ ସୁଦୃଶ୍ୟ ମୂର୍ତ୍ତି ଲଗାଇବାକୁ ପ୍ରତିଶ୍ରୁତି ଦେଲେ । ଏଥିସହ ନୁମା ବାପି କୁଟୀରର ସଂରକ୍ଷଣ, ଛାତ୍ରାବାସର ଗୃହ ସବୁର ପୁନରୁଦ୍ଧାର ଓ ଅନ୍ୟ ସମସ୍ୟା ସବୁର ସମାଧାନ ପାଇଁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ବାଜି ରାଉତ ଛାତ୍ରାବାସକୁ ଖୁବଶୀଘ୍ର ଯିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ବାଜିରାଉତ ଛାତ୍ରାବାସ ଓ ନବ ମାଳତୀଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ ସରକାର ସବୁମନ୍ତେ ସହାୟତା ଯୋଗାଇଦେବେ ବୋଲି ସେ କହିଥିଲେ ।

Leave A Reply

Your email address will not be published.