Latest Odisha News

BREAKING NEWS

୧୯ ବର୍ଷ ପରେ ଓଡ଼ିଶା ଫେରିବ ପସ୍କୋ, ଜେଏସଡବ୍ଲ୍ୟୁ ସହ ବୁଝାମଣା

ଭୁବନେଶ୍ବର: ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ପ୍ରାୟ ୧୯ବର୍ଷ ପରେ ଓଡ଼ିଶା ଫେରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୁଣି ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ପସ୍କୋ । ବିଶ୍ୱର ସପ୍ତମ ବୃହତମ ଇସ୍ପାତ ଉତ୍ପାଦନକାରୀ ପସ୍କୋ ଆଜି ଜେଏସଡବ୍ଲ୍ୟୁ ସହ ଏମଓୟୁ ସ୍ୱାକ୍ଷର କରି ଇସ୍ପାତ, ବ୍ୟାଟେରୀ ସାମଗ୍ରୀ ଓ ଅକ୍ଷୟଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସହମତ ହୋଇଛି । ଓଡ଼ିଶାର ପାରାଦୀପଠାରେ(ପସ୍କୋର ପୁରୁଣା ପ୍ରକଳ୍ପ ସ୍ଥାନ) ଜେଏସଡବ୍ଲ୍ୟୁର ପ୍ରସ୍ତାବିତ ମେଗା ଇସ୍ପାତ ପ୍ରକଳ୍ପରେ ଏକାଠି କାମ କରିବାକୁ ଉଭୟ କମ୍ପାନୀ ମଧ୍ୟରେ ବୁଝାମଣା ହୋଇଛି।

ଦକ୍ଷିଣ କୋରିଆର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମେଗା  ଷ୍ଟିଲ ପ୍ଲାଂଟ ସ୍ଥାପନ ପାଇଁ ଭାରତର ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ପସ୍କୋ ଗ୍ରୁପ୍ ଏମଓୟୁ ସ୍ୱାକ୍ଷର କରିଛି। ଉଭୟ କମ୍ପାନୀ ଓଡ଼ିଶାରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଂଟରେ ବାର୍ଷିକ ୫ନିୟୁତ ଟନ୍ ଉତ୍ପାଦନ କରିବା ସହ ଭବିଷ୍ୟତରେ ଏହାର କ୍ଷମତା ସମ୍ପ୍ରସାରଣ ପାଇଁ ମଧ୍ୟ ସହମତ ହୋଇଛନ୍ତି । ଉଭୟ କମ୍ପାନୀ ୫୦ ପ୍ରତିଶତ(ବିଲିୟନ ଡଲାରରେ) ଲେଖାଏଁ ପୁଞ୍ଜିନିବେଶ କରିବେ।

ଏହି ଏମଓୟୁ ପରେ ପସ୍କୋ ଗ୍ରୁପ୍ ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ୱା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ଜେଏସଡବ୍ଲ୍ୟୁ ଗ୍ରୁପ୍ ସହ ଭାଗିଦାରୀ ଦ୍ୱାରା କୋରିଆ ଓ ଭାରତର ଆର୍ଥିକ ବିକାଶରେ ଯୋଗଦାନ ଦେଇପାରିବୁ ବୋଲି ଆଶା କରୁଛୁ । ପସ୍କୋ ଭବିଷ୍ୟତରେ ନିଜର ବିଦେଶୀ ପୁଞ୍ଜିନିବେଶକୁ ବୃଦ୍ଧି କରିବ । ଗତବର୍ଷ ଭାରତରେ ଇସ୍ପାତ ଚାହିଦା ୧୨୦ ମିଲିୟନ ଟନ୍ ଥିବାବେଳେ ୨୦୪୭ ସୁଦ୍ଧା ଏହା ୪୦୦ ମିଲିୟନ ଟନରେ ପହଞ୍ଚିବା ନେଇ ପସ୍କୋ ପକ୍ଷରୁ ଆକଳନ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଏରସମା ଠାରେ ମେଗା ଇସ୍ପାତ ପ୍ରକଳ୍ପ ନିମନ୍ତେ ପସ୍କୋ ୧୨ ବିଲିୟନ ଡଲାର ପୁଞ୍ଜିନିବେଶ କରିବାକୁ ୨୦୦୫ ମସିହାରେ ତତକାଳୀନ ଓଡ଼ିଶା ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ନମିଳିବାରୁ କମ୍ପାନୀ ୨୦୧୭ରେ ଏହି ପ୍ରକଳ୍ପରୁ ଓହରି ଥିଲା।

Comments are closed.