Latest Odisha News

BREAKING NEWS

ଓଡିଶା ଫେରିବ ପୋସ୍କୋ ଭାୟା ଜେଏସଡବ୍ଲୁ !

ଭୁବନେଶ୍ବର: ୧୯ବର୍ଷ ପରେ ପୁଣି ଓଡିଶା ଫେରିବ କି ଦକ୍ଷିଣ କୋରିଆର ଇସ୍ପାତ କମ୍ପାନୀ ପୋସ୍କୋ? ଦେଶରେ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ସଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲୁ ଗ୍ରୁପ ସହ ପୋସ୍କୋ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି । ବୁଝାମଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରାଥମିକ ଭାବେ ବାର୍ଷିକ ୫ମିଲିୟନ ଟନ ଷ୍ଟିଲ୍ ଉତ୍ପାଦନ କ୍ଷମତା ସଂପନ୍ନ ଇସ୍ପାତ କାରଖାନା ଓଡିଶାରେ ସ୍ଥାପନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କେଉଁଠି ଇସ୍ପାତ କାରଖାନା ହେବ ସେନେଇ ସ୍ପଷ୍ଟ ହୋଇନି । କୋରିଆର ଜୋଙ୍ଗଙ୍ଗ ଡେଲି ଗତ ୨୧ ତାରିଖରେ ଏମଓୟୁ ସ୍ବାକ୍ଷର ହୋଇଥିବା ରିପୋର୍ଟ ପ୍ରକାଶ କରିଛି ।

ଓଡିଶାରୁ ଇସ୍ପାତ ଶିଳ୍ପର ଅଭ୍ୟୁଦୟ !

ପୋସ୍କୋ ସିଇଓ ଚାଙ୍ଗ ଇନ୍ ହଓ୍ବା ଓ ଜେଏସଡବ୍ଲୁ ଗ୍ରୁପ ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ ଏମଓୟୁ ସ୍ବାକ୍ଷର ବେଳେ ଉପସ୍ଥିତ ଥିଲେ । କୋଟି କୋଟି ଡଲାରର ଏହି ଇସ୍ପାତ କାରଖାନା ପାଇଁ ଉଭୟ ଗ୍ରୁପ ଅଧା ଅଧା ନିବେଶ କରିବେ । ଭାରତୀୟ ଇସ୍ପାତ ଶିଳ୍ପର ବିକାଶ ଦିଗରେ ଏହା ଉଲ୍ଲେଖନୀୟ ପଦକ୍ଷେପ ବୋଲି ସଜ୍ଜନ ଜିନ୍ଦଲ କହିଛନ୍ତି । ସେହିପରି ଜେଏସଡବ୍ଲୁ ଗ୍ରୁପ ସହ ପରିବେଶ ଅନୁକୁଳ ଯୁଗକୁ ଆସିବା ସହ ଉଭୟ ଦେଶର ଅର୍ଥନୈତିକ ବିକାଶ ଦିଗରେ ଏହା ସହାୟକ ହେବ ବୋଲି ପୋସ୍କୋ ସିଇଓ କହିଛନ୍ତି । ଷ୍ଟିଲ ପ୍ଲାଣ୍ଟ ଏପର୍ଯ୍ୟନ୍ତ କେଉଁଠି ସ୍ଥାପନ ହେବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଓଡିଶାରୁ ହିଁ ଇସ୍ପାତ ଶିଳ୍ପର ଅଭ୍ୟୁଦୟ ହୋଇପାରେ ବୋଲି ଆକଳନ କରାଯାଉଛି । ପୋସ୍କୋ ଓ ଜେଏସଡବ୍ଲୁ ଗ୍ରୁପ ଷ୍ଟିଲ, ବ୍ୟାଟେରୀ ଉପକରଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । ଉଭୟ କମ୍ପାନୀ ଦେଶର ଅକ୍ଷୟ ଶକ୍ତି ଓ ବ୍ୟାଟେରି ଉପକରଣ କ୍ଷେତ୍ରରେ ନିବେଶ ସୁଯୋଗ ସନ୍ଧାନ କରିବେ ।

କାହିଁକି ଓଡିଶା ଛାଡିଥିଲା ପୋସ୍କୋ?

ପୂର୍ବରୁ ୨୦୦୫ରେ ଓଡିଶା ସରକାର ଓ ପୋସ୍କୋ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। ଏମଓୟୁ ଅନୁସାରେ ରାଜ୍ୟରେ ୧୨ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାର ଥିଲା । ଜଗତସିଂହପୁରରେ ପ୍ଲାଣ୍ଟ ନିର୍ମାଣ ହେବାର ଥିଲା। ଏଥିପାଇଁ ଭୂମିପୂଜନ ବି ହୋଇସାରିଥିଲା। ତେବେ ଲୋକଙ୍କ ଜୋରଦାର ବିରୋଧ ଓ ବିଭିନ୍ନ ମଞ୍ଜୁରୀ ମିଳିବାରେ ବିଳମ୍ବ ଯୋଗୁଁ ପ୍ଲାଣ୍ଟ ହୋଇପାରିନଥିଲା । ଫଳରେ ୨୦୧୩ରେ ଫେରିଯାଇଥିଲା ପୋସ୍କୋ । ପରେ ପୋସ୍କୋ ଅଧିଗ୍ରହଣ କରିଥିବା ୨୯ଶହ ଏକର ଜମିକୁ ରାଜ୍ୟ ସରକାର ଜେଏସଡବ୍ଲୁ ଷ୍ଟିଲକୁ ଏହାର ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ପାଇଁ ଦେଇଥିଲେ । ପର୍ଯ୍ୟାୟକ୍ରମେ ସେଠାରେ ଷ୍ଟିଲ ପ୍ଲାଣ୍ଟ କରିବାକୁ ଯୋଜନା କରୁଛି ଜେଏସଡବ୍ଲୁ ଷ୍ଟିଲ । ତେବେ ସେହି ସମାନ ଜମିରେ ଜେଏସଡବ୍ଲୁ ଓ ପୋସ୍କୋ ଦ୍ବାରା ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ହେବ କି ନାହିଁ ସେନେଇ ସ୍ପଷ୍ଟ ହୋଇନି ।

ପୂର୍ବରୁ ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା କରିବା ନେଇ ପୂର୍ବତନ ବିଜେଡି ସରକାର ଓ ଜେଏସଡବ୍ଲୁ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ତେବେ ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବା ସହ ଓଡିଶା ଶିଳ୍ପ ପ୍ରତିଷ୍ଠା ଆଶା ମଉଳିଥିଲା । ଏଭଳି ସ୍ଥିତିରେ ଯଦି ପୋସ୍କୋ ଓ ଜେଏସଡବ୍ଲୁ ଓଡିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରନ୍ତି ତେବେ ରାଜ୍ୟ ଶିଳ୍ପ କ୍ଷେତ୍ରକୁ ବଡ ବୁଷ୍ଟ ମିଳିବା ସହ ନିଯୁକ୍ତି ସୁଯୋଗ ବଢିବ ।

Leave A Reply

Your email address will not be published.