ନୂଆଦିଲ୍ଲୀ: ଅଧାରେ ସରିଗଲା ଆମେରିକା ସ୍ବପ୍ନ । ଯେଉଁ ଆମେରିକାକୁ ଯିବା ପାଇଁ ଘରବାଡି ବିକିଥିଲେ । ଜମି, ଗହଣା ବନ୍ଧା ପକାଇଥିଲେ । ବିପଜ୍ଜନକ ଡଙ୍କି ରୁଟରେ ଦିନ ଦିନ କଷ୍ଟ ସହି ଚାଲିଥିଲେ । ଏବେ ସେହି ଆମେରିକାରୁ ପୁଣି ଭାରତକୁ ଫେରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୧୧୯ଜଣ ଭାରତୀୟ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଡେରିଏନ୍ ଗ୍ୟାପ ବାଟ ଦେଇ ଆମେରିକାରେ ପହଞ୍ଚିଥିଲେ । ତେବେ ଡେରିଏନ୍ ଗ୍ୟାପ ନାଁ ଶୁଣିଲେ, ଏବେବି ଭୟରେ ଦେହ ଶୀତେଇ ଉଠୁଛି । କଲମ୍ବିଆ ଓ ପାନାମା ମଧ୍ୟରେ ଥିବା ଜଙ୍ଗଲ ରାସ୍ତାର ଯାତ୍ରା ଏବେବି ଦୁଃସ୍ବପ୍ନ ସାଜି ଡରାଉଛି । ତେବେ ପ୍ରଶ୍ନ ଉଠୁଛି, କାହିଁକି ବିପଦର ନାଁ ଡେରିଏନ୍ ଗ୍ୟାପ?
ଡେରିଏନ୍ ଗ୍ୟାପ କ’ଣ?
ଘଞ୍ଚ ଜଙ୍ଗଲ, ଦଲଦଲରେ ପୂର୍ଣ୍ଣ ପଥୁରିଆ ରାସ୍ତା । ପାଦେ ପାଦେ ମୃତ୍ୟୁର ଭୟ । ବିପଜ୍ଜନକ ଡେରିଏନ୍ ଗ୍ୟାପ ହେଉଛି ଉତ୍ତର କଲମ୍ବିଆ ଓ ଦକ୍ଷିଣ ପାନାମାକୁ ଯୋଡୁଥିବା ୯୭କିଲୋମିଟରର ଅଞ୍ଚଳ । ଆମେରିକା ସ୍ବପ୍ନ ସାକାର କରିବାକୁ ଏହି ବାଟ ଦେଇ ଅବୈଧ ଭାବେ ଯାଆନ୍ତି ପ୍ରବାସୀ । ବିଶେଷ କରି ଦକ୍ଷିଣ ଆମେରିକାରୁ ଆମେରିକା ଯିବାକୁ ଏହି ବାଟ ବ୍ୟବହାର କରନ୍ତି । ତେବେ ଡେରିଏନ୍ ଗ୍ୟାପକୁ ପାର୍ କରିବା ସହଜ କଥା ନୁହେଁ । କାରଣ ବର୍ଷା ବନ ଯୋଗୁଁ ଏଠାରେ ବର୍ଷ ସାରା ଦଲଦଲ ଓ କାଦୁଅ ଭରି ରହିଥାଏ । ନଦୀ ସୁଅ ସାଙ୍ଗକୁ ଜୀବଜନ୍ତୁଙ୍କ ସାମନା ବି କରିବାକୁ ପଡେ । ଛୋଟ ଛୋଟ ନଦୀ ପାଣି ହଠାତ୍ ମାଡିଆସେ, ଫଳରେ ରାସ୍ତାରେ ଯାଉଥିବା ଲୋକଙ୍କ ମୃତ୍ୟୁ ହୋଇଥାଏ ।
ମୃତ୍ୟୁର ଉପତ୍ୟକା ଡେରିଏନ୍ ଗ୍ୟାପ
ଆମେରିକାରେ ପହଞ୍ଚିବାକୁ ଅନେକ ପ୍ରବାସୀ ବିପଜ୍ଜନକ ଡେରିଏନ୍ ଗ୍ୟାପ ଦେଇ ଯାତ୍ରା କରନ୍ତି । ତେବେ ଅନେକ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାନ୍ତି । କେବେ ଜୀବଜନ୍ତୁ ତ କେବେ ପଥୁରିଆ ରାସ୍ତା ମୃତ୍ୟୁଦୂତ ସାଜନ୍ତି । ତେବେ ସବୁଠୁ ବଡ ବିପଦ ହେଉଛନ୍ତି ଅପରାଧୀ ସଂଗଠନ । ଡ୍ରଗ୍ କାର୍ଟେଲ, ଲୁଟେରା ଏହି ଅଞ୍ଚଳରେ ବେଶ୍ ସକ୍ରିୟ । ଏହି ରାସ୍ତାରେ ଯାଉଥିବା ପ୍ରବାସୀଙ୍କୁ ଅପରାଧୀ ଶିକାର ବନାନ୍ତି । କେତେବେଳେ ଲୁଟ୍ ତରାଜ ତ କେତେବେଳେ ହିଂସା ଭିଆନ୍ତି । ସେଥିପାଇଁ ଆମେରିକାରେ ପହଞ୍ଚିବାକୁ ବ୍ୟବହାର କରାଯାଉଥିବା ଏହି ରାସ୍ତାକୁ ଡେଥ୍ ରୁଟ୍ ବି କୁହାଯାଏ ।
କାହିଁକି ଜୀବନ ବାଜି ଲଗାନ୍ତି ପ୍ରବାସୀ?
ଆମେରିକାରେ ଅବୈଧ ଭାବେ ପ୍ରବେଶ କରିବାକୁ ଚାହୁଁଥିବା ଭାରତୀୟ ଡଙ୍କି ରୁଟ୍ ଦେଇ ଯାଆନ୍ତି । ଏଥିପାଇଁ ପାନାମା, କୋଷ୍ଟାରିକା, ଅଲ୍ ସାଲଭାଡୋର ଓ ଗୁଏଟମାଲ ଭଳି ସହଜରେ ଭିସା ମିଳୁଥିବା ଦେଶକୁ ପ୍ରଥମେ ଯାତ୍ରା କରନ୍ତି । ସେଠାରୁ ମେକ୍ସିକୋ ଓ ପରେ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ କରନ୍ତି । ଶକ୍ତ ଭିସା ନିୟମ ପାଇଁ ଆମେରିକାକୁ ସିଧା ବିମାନରେ ଯିବା କଷ୍ଟକର ହେଉଥିବାରୁ ଡଙ୍କି ରୁଟ୍ ବେଶୀ ଲୋକପ୍ରିୟ । ଅନେକ ସମୟରେ ତସ୍କର, ମାଫିଆ ଓ ଅପରାଧୀ ପ୍ରବାସୀଙ୍କ ଫାଇଦା ଉଠାଇ ସୁରକ୍ଷିତ ଯାତ୍ରାର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଡଙ୍କି ରୁଟରେ ବିପଜ୍ଜନକ ରାସ୍ତାରେ ଛାଡିଦିଅନ୍ତି ।
ଡେରିଏନ୍ ଗ୍ୟାପରେ ବଢୁଛି ଅନୁପ୍ରବେଶ
ଗତ କିଛି ବର୍ଷ ଧରି ଡେରିଏନ୍ ଗ୍ୟାପ ଦେଇ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଛି । ୨୦୨୩ରେ ୫ଲକ୍ଷ ୨୦ହଜାର ପ୍ରବାସୀ ଏହି ବାଟ ଦେଇ ଯାଇଥିଲେ । ଯାହା ୨୦୨୨ ତୁଳନାରେ ଦୁଇଗୁଣ । ନିୟମ କଡାକଡି ହେବାପରେ ୨୦୨୪ରେ ସଂଖ୍ୟା କମିଛି । ତେବେ ଗତବର୍ଷ ୩ଲକ୍ଷରୁ ଅଧିକ ଲୋକ ଏହି ରାସ୍ତା ଦେଇ ଆମେରିକା ଯାଇଛନ୍ତି । ୧୦ବର୍ଷ ତଳେ ଏହି ରାସ୍ତା ଦେଇ ବର୍ଷକୁ ହଜାରେ ଦୁଇହଜାର ଲୋକ ହିଁ ଯାଉଥିଲେ । ହେଲେ ଏବେ ଏହି ବିପଜ୍ଜନକ ରାସ୍ତା ଦେଇ ଅଧିକରୁ ଅଧିକ ପ୍ରବାସୀ ଯାଉଛନ୍ତି । ୧୫ଦିନ ଧରି ପାଦରେ ଚାଲି ଚାଲି ଏହି ରାସ୍ତା ପାର କରିବାକୁ ପଡେ । ଅନେକ ସମୟରେ ପ୍ରବାସୀ ଖାଦ୍ୟ ଓ ପାଣି ଅଭାବ, ଅସୁସ୍ଥତା, ଅପରାଧୀଙ୍କ ଆକ୍ରମଣରେ ପ୍ରାଣ ହରାନ୍ତି ।
Comments are closed.