Latest Odisha News

BREAKING NEWS

ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ରୋକିବାକୁ ପଦକ୍ଷେପ, ଏନଏସି ସ୍ତରରେ ନିଯୁକ୍ତ ହେବେ ଖାଦ୍ୟ ନିରାପତ୍ତା ଅଧିକାରୀ

ଭୁବନେଶ୍ୱର: ଏଣିକି ଖାଦ୍ୟ ସାମଗ୍ରୀରେ ହେବ ନାହିଁ ଅପମିଶ୍ରଣ। ଏହାକୁ ରୋକିବାକୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟରେ ଖାଦ୍ୟ ସାମଗ୍ରୀ ଅପମିଶ୍ରଣ ହୁ ହୁ ହୋଇ ବଢିଚାଲିଛି। ସହରରୁ ଗାଁ ପର୍ଯ୍ୟନ୍ତ ଅନେକ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କେଉଁଠି ବାସି ଖାଦ୍ୟ ବିକ୍ରି ହେଉଛି ତ ପୁଣି କେଉଁଠି ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକ ଝାଡ଼ାବାନ୍ତି ଭଳି ସ୍ବାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି। ଏସବୁ ରୋକିବା ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ରହିଛି। ବିଭାଗର ମାନବ ସମ୍ବଳ ଅଭାବ ଯୋଗୁଁ ଅପମିଶ୍ରଣ ରୋକିବାରେ ସକ୍ଷମ ହୋଇପାରୁନି।

ତେଣୁ ବିଭାଗ ପକ୍ଷରୁ ଆଗକୁ ୧୧୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ୧୦ଟି ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷା ଲାବ୍‌ (ଏମ୍ଏଫ୍‌ଟିଏଲ) ଯାନ କିଣିବା ପାଇଁ ଯୋଜନା କରିଛି। ରାଜ୍ୟରେ କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭବାନ ଉଦ୍ଦେଶ୍ୟରେ ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ କରି ବଜାରକୁ ଛାଡୁଛନ୍ତି। ଏଥିପାଇଁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ରୋକାଯାଇ ପାରୁ ନାହିଁ। ଏହାବ୍ୟତୀତ ରାସ୍ତାକଡ଼ରେ ବିକ୍ରି ହେଉଥିବା ଫାଷ୍ଟଫୁଡ୍‌, ଚାଟ୍‌, ଗୁପ୍‌ଚୁପ୍‌, ଦୋସା, ମୋମୋ, ଦହିବରା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ଏସବୁ ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ବଚ୍ଛତା ଆପଣା ଯାଉନାହିଁ। ଏବେ ପାଣିଠୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ ଅପମିଶ୍ରଣ ହେଉଛି।

ଏସମ୍ପର୍କରେ ଖାଦ୍ୟ ନିରାପତ୍ତା ବିଭାଗର ନିର୍ଦେଶ ଡା.ଶକ୍ତିପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟରେ ୭୩ ଖାଦ୍ୟ ନିରାପତ୍ତା ଅଧିକାରୀ ପଦ ରହିଛି। ସେଥିରୁ ୬୧ ଅଧିକାରୀ କାର୍ଯ୍ୟ କରୁଛନ୍ତି। ଦୁଇଜଣ ଅଧିକାରୀ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ୫୯ ଅଧିକାରୀଙ୍କୁ ନେଇ ୩୦ଟି ଜିଲା ତଥା ଭିଆଇପି ଡ୍ୟୁଟିରେ କାର୍ଯ୍ୟ କରିବାକୁ ପଡୁଛି। ଆଗକୁ ଖାଦ୍ୟ ଓ ନିରାପତ୍ତା ବିଭାଗକୁ ସଶକ୍ତ କରିବା ପାଇଁ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗଙ୍କୁ ଦୁଇଟି ପର୍ଯ୍ୟାୟରେ ୧୦ ଏବଂ ୭୪ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି ପାଇଁ ଆବେଦନ କରାଯାଇଛି। ପଦପୂରଣ ହେଲେ ୧୧୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରେ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି ଦିଆଯିବ ବୋଲି ସରକାରୀ ସ୍ତରରେ ବିଚାର ବିମର୍ଶ ଚାଲିଛି।

Comments are closed.