ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ କ୍ୟାରିୟରରେ ଅନେକ ଉତଥାନ ପତନ ଆସିଛି। କିନ୍ତୁ କିଛି ଏମିତି ନିଷ୍ପତ୍ତି ଥିଲା ଯାହା କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଥିଲା ୱେଷ୍ଟଇଣ୍ଡିଜ୍ ଅମ୍ପାୟାର ଷ୍ଟିଭ୍ ବକନରଙ୍କ ସେହି ଭୁଲ୍ ନିଷ୍ପତ୍ତି। ଦୀର୍ଘ ୨୨ ବର୍ଷ ପରେ ଶେଷରେ ବକନର ନିଜ ଭୁଲ୍ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି – “ହଁ, ସେଦିନ ମୋ ଦ୍ୱାରା ବଡ଼ ଭୁଲ୍ ହୋଇଥିଲା।”
ସମୟ ଥିଲା ୨୦୦୩-୦୪ ମସିହା। ଅଷ୍ଟ୍ରେଲିଆର ବ୍ରିସବେନ୍ ଗ୍ରାଉଣ୍ଡ। ବୋଲର ଥିଲେ ଜେସନ ଗିଲେସପି। ସଚିନ୍ ତେନ୍ଦୁଲକର ବଲ୍କୁ ଛାଡିବାକୁ ଚେଷ୍ଟା କରୁଥିବା ବେଳେ ବଲ୍ ତାଙ୍କ ପ୍ୟାଡ୍ର ଉପର ଭାଗରେ ବାଜିଥିଲା। ଅଷ୍ଟ୍ରେଲିଆ ଖେଳାଳିଙ୍କ ଜୋରଦାର ଅପିଲ୍ ପରେ ଷ୍ଟିଭ୍ ବକନର ସଚିନ୍ଙ୍କୁ LBW ଆଉଟ୍ ଦେଇଥିଲେ।
କିନ୍ତୁ ରିପ୍ଲେ’ରେ ସ୍ପଷ୍ଟ ଜଣାପଡୁଥିଲା ଯେ ବଲ୍ ଷ୍ଟମ୍ପ୍ର ବହୁତ ଉପର ଦେଇ ଯାଉଥିଲା। ସେଦିନ କମେଣ୍ଟ୍ରି ବକ୍ସରେ ଥିବା ଟୋନି ଗ୍ରେଗ୍ ମଧ୍ୟ ଏହାକୁ ଏକ ‘ଭୟଙ୍କର ନିଷ୍ପତ୍ତି’ ବୋଲି କହିଥିଲେ।
କେବଳ ବ୍ରିସବେନ୍ ନୁହେଁ ୨୦୦୫ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଅବଦୁଲ ରଜାକଙ୍କ ବଲ୍ରେ ସଚିନ୍ଙ୍କୁ ଭୁଲ୍ ଭାବେ କ୍ୟାଚ୍ ଆଉଟ୍ ଦେଇଥିଲେ ବକନର। ସେତେବେଳେ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ବହୁତ ବ୍ୟବଧାନ ଥିଲା।
ନିକଟରେ ବକନର ଏକ ସାକ୍ଷାତକାରରେ କହିଛନ୍ତି ଯେ, ମଣିଷ ମାତ୍ରକେ ଭୁଲ୍ କରନ୍ତି । ସେଦିନ ଗାବା ଗ୍ରାଉଣ୍ଡରେ ମୋ ଦ୍ୱାରା ଭୁଲ୍ ହୋଇଯାଇଥିଲା।”
ତେବେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ କହିବା କଥା ୨୨ ବର୍ଷ ପରେ ପଶ୍ଚାତାପ କରି କିଛି ଲାଭ ନାହିଁ, ଏହି ଭୁଲ ନିଷ୍ପତି ଯୋଗୁଁ ସେତେବେଳେ ସଚିନ୍ଙ୍କ ଶତକ ହାତଛଡ଼ା ହୋଇଥିଲା।
ଷ୍ଟିଭ୍ ବକନର ୧୯୯୨ରୁ ୨୦୦୭ ମଧ୍ୟରେ କ୍ରମାଗତ ୫ଟି ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରିଂ କରିବାର ରେକର୍ଡ କରିଛନ୍ତି। କିନ୍ତୁ ସଚିନ୍ଙ୍କ ବିରୋଧରେ ତାଙ୍କର ଏହି ଭୁଲ୍ ନିଷ୍ପତ୍ତି ଆଜି ବି କ୍ରିକେଟ୍ ଇତିହାସରେ ଏକ କଳା ଦାଗ ହୋଇ ରହିଛି। ଆଜି ବକନରଙ୍କ ଏହି ସ୍ୱୀକାରୋକ୍ତି କ୍ରିକେଟ୍ ଦୁନିଆରେ ପୁଣି ଥରେ ହଇଚଇ ସୃଷ୍ଟି କରିଛି ।
Comments are closed.