Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୀତିରେ ଅଜିତଙ୍କ ପାଓ୍ବାର ପ୍ଲେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସେଇ ଚେହେରା, ନୂଆ ଚେୟାର । ସିନ୍ଦେ, ଫଡନାବିସଙ୍କ ଚଉକି ଅଦଳବଦଳ ହେଲା ତ ଉପମୁଖ୍ୟମନ୍ତ୍ରୀ ପଦରେ ପୁଣି ବସିବେ ଅଜିତ ପାଓ୍ବାର । ହେଲେ ଏକନାଥ ସିନ୍ଦେଙ୍କଠାରୁ ଭଲ ମେଣ୍ଟ ଗଣିତ କଷି ବିଜେପିର ଅଧିକ ଭରସାଯୋଗ୍ୟ ସହଯୋଗୀ ପାଲଟିଛନ୍ତି ଅଜିତ ପାଓ୍ବାର । ବିଧାନସଭାରେ ଜବରଦସ୍ତ ସ୍କୋର ସହ ଜନତା ଅଦାଲତରେ ଅସଲି ଏନସିପିର ଟ୍ୟାଗ ପାଇଥିଲେ ଅଜିତ । ଦାଦା ଶରଦ ପାଓ୍ବାର ନିର୍ବାଚନ ରାଜନୀତିରୁ ସନ୍ୟାସ ନେବା ଚର୍ଚ୍ଚା ମଧ୍ୟରେ ଏବେ ଏନସିପିର ଡ୍ରାଇଭିଂ ସିଟରେ ଅଜିତ ପାଓ୍ବାର । ନିର୍ବାଚନ ଜିତିଲେ, କ୍ଷମତାକୁ ଫେରିଲେ । ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାବିସଙ୍କ ସପକ୍ଷରେ ଆରମ୍ଭରୁ ଠିଆ ହୋଇ ବଡ ଗୋଟି ଚଳାଇଲେ ଅଜିତ ପାଓ୍ବାର । ସିନ୍ଦେଙ୍କ ହଁ ନା ଭିତରେ ବିଜେପିର ବିଶ୍ବାସ ଜିତିବାରେ ସଫଳ ହୋଇଛନ୍ତି ଅଜିତ ପାଓ୍ବାର ।

ଅଜିତଙ୍କ ଗୋଟି ସିନ୍ଦେଙ୍କ କ୍ଷତି !

ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ବିଜୟ ହାସଲ କରିଥିଲା ବିଜେପି ନେତୃତ୍ବାଧୀନ ମହୟୁତି ମେଣ୍ଟ । ୫୫ଟି ସିଟ ଲଢି ୪୧ଟିରେ ଜିତିଥିଲା ଅଜିତ ପାଓ୍ବାରଙ୍କ ଏନସିପି । ଦଳର ଷ୍ଟ୍ରାଇକ୍ ରେଟ୍ ରହିଥିଲା ୭୫ପ୍ରତିଶତ । ଯେବେ କି ଏକନାଥ ସିନ୍ଦେଙ୍କ ଶିବସେନାଙ୍କ ବିଜୟ ହିସାବ ରହିଥିଲା ୬୯ପ୍ରତିଶତ । ନିର୍ବାଚନ ଫଳାଫଳ ଘୋଷଣା ପରଠୁ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପିର ଦେବେନ୍ଦ୍ର ଫଡନାବିସଙ୍କ ସମର୍ଥନରେ ବାହାରିଥିଲେ ଅଜିତ ପାଓ୍ବାର । ମ୍ୟାଜିକ ନମ୍ବରଠାରୁ ମାତ୍ର ୧୩ଟି ସିଟ୍ ଦୂରରେ ଥିବା ବିଜେପି ପାଇଁ ପାଲଟିଥିଲେ ନିର୍ଭୟ ପ୍ରତିଶ୍ରୁତି । ଅଜିତଙ୍କ ସମର୍ଥନ ପରେ ସିନ୍ଦେଙ୍କ ବିନା ବି ସରକାର ଗଠନ ପାଇଁ ସଂଖ୍ୟା ହେଉଥିଲା । ଯାହା ସିନ୍ଦେଙ୍କୁ ବାର୍ଗେନିଂ କରିବାର ସୁଯୋଗ ଦେଲାନି । ସେପଟେ ବିଜେପିର ଆହୁରି ଖାସ୍ ହୋଇଗଲେ ଅଜିତ ପାଓ୍ବାର । ସମର୍ଥନ ଗୋଟି ଚଳାଇ ଗୋଟିଏ ଗୁଳିରେ ଦୁଇଟି ରାଜନୈତିକ ଫାଇଦା ନେଇଗଲେ ଅଜିତ ।

ଅନିଶ୍ଚିତତାରେ ସିନ୍ଦେ ପାଓ୍ବାର ନିଶ୍ଚିତ

ନିର୍ବାଚନରେ ବଡ ବିଜୟ ପରଠୁ ହିଁ ନିଜ ସମର୍ଥନକୁ ନେଇ ବେଶ୍ ନିଶ୍ଚିତ ଥିଲେ ଅଜିତ ପାଓ୍ବାର । ଫଡନାବିସଙ୍କୁ ଖୋଲା ସମର୍ଥନ ଦେଇଥିଲେ । ଯେବେକି ଏକନାଥ ସିନ୍ଦେଙ୍କୁ ନେଇ ଅନିଶ୍ଚିତତା ଦେଖା ଦେଇଥିଲା । ଦୁଇ ଦିନ ଭିତରେ ଦୁଇ ଦୁଇ ଥର ଗାଏବ ହୋଇଯାଇଥିଲେ ସିନ୍ଦେ । ଫଳରେ ମହାୟୁତିର ବୈଠକ ଘୁଞ୍ଚିଥିଲା । ମନ୍ତ୍ରୀ ପଦ ଆଲୋଚନା ମଧ୍ୟରେ ସତାରାରେ ନିଜ ଗାଁକୁ ସରପ୍ରାଇଜ୍ ଭିଜିଟ କରିଥିଲେ ସିନ୍ଦେ। ପୁଣି ରୁଟିନ୍ ଚେକଅପ୍ ପାଇଁ ହସପିଟାଲ ଯାଇଥିଲେ । ଫଳରେ ମହାୟୁତିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ନିଷ୍ପତ୍ତିରେ ବିଳମ୍ବ ହୋଇଥିଲା ।

ସିନ୍ଦେଙ୍କ କ୍ଷତି ପାଓ୍ବାରଙ୍କ ଲାଭ

ଏକନାଥ ସିନ୍ଦେ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଁ ବାର୍ଗେନିଂ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ପଦ ସହ ଗୃହମନ୍ତ୍ରାଳୟ ଦାବି କରିଛନ୍ତି ସିନ୍ଦେ । ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଫଡନାବିସଙ୍କ ପାଖରେ ଥିବା ପଦ ଓ ବିଭାଗ ମାଗିଛନ୍ତି । ତେବେ ବିଜେପି ଏଥିରେ ରାଜି ହୋଇନଥିବା ସୂଚନା ମିଳିଛି। ଯେବେକି ସିନ୍ଦେ ସରକାରରେ ଅଜିତ ପାଓ୍ବାର ଅର୍ଥ ମନ୍ତ୍ରାଳୟ ନିଜ ପାଖରେ ରଖିଥିବା ବେଳେ ଫଡନାବିସ ସରକାରରେ ବି ସମାନ ମନ୍ତ୍ରାଳୟ ପାଇବେ । ଆରମ୍ଭରୁ ଅଜିତ ପାଓ୍ବାରଙ୍କ ରାଜନୈତକ ଗୋଟିରେ ସ୍ପଷ୍ଟତା ଥିବାରୁ ସେ ଲାଭରେ ରହିଥିବା କୁହାଯାଉଛି ।

ମହାରାଷ୍ଟ୍ର ନିର୍ବାଚନରେ ତୃତୀୟ ବଡ ଦଳ ପାଲଟିଛି ଅଜିତ ପାଓ୍ବାରଙ୍କ ଏନସିପି । ଲୋକସଭାରେ ମାତ୍ର ଗୋଟିଏ ସିଟରୁ ବିଧାନସଭାରେ ୪୧ସିଟର ବ୍ୟବଧାନ ଅଜିତଙ୍କ ସଫଳ ରାଜନୈତିକ ରଣନୀତିକୁ ଦର୍ଶାଉଛି । ରାଜ୍ୟ ରାଜନୀତିରେ ନିଜ ସ୍ଥିତି ମଜବୁତ କରିବା ସହ ଜନତାଙ୍କଠାରୁ ଅସଲି ଏନସିପିର ମାନ୍ୟତା ପାଇଛନ୍ତି ଅଜିତ ପାଓ୍ବାର । ଏନସିପି ବନାମ ଏନସିପି ଲଢେଇରେ ଅଜିତ ପାଓ୍ବାର ଡ୍ରାଇଭର ସିଟରେ ବସିଛନ୍ତି । ଏହାସହ ଫଡନାବିସଙ୍କୁ ଆଗୁଆ ସମର୍ଥନ ଦେଖାଇ ମହାୟୁତିରେ ଏକନାଥ ସିନ୍ଦେଙ୍କୁ ବ୍ୟାକସିଟ୍ ଦେଖାଇଛନ୍ତି ।

Comments are closed.