Latest Odisha News

BREAKING NEWS

ସିଏ ମଦାରୀ ତୁମେ ମାଙ୍କଡ଼; ଷ୍ଟକହୋମ୍ ସିନଡ୍ରୋମ୍: ହଜିଯାଏ ସ୍ୱାଧୀନତା, ଲାଗିଯାଏ ପରାଧୀନତାର ବେଡ଼ି…

ଭୁବନେଶ୍ୱର: ନିଜର ସ୍ୱାର୍ଥ ସାଧନ ପାଇଁ ଜଣେ ମଦାରୀ ଜଙ୍ଗଲରୁ ଅସହାୟ ଅବସ୍ଥା ଦେଖି କୌଣସି ଏକ ଶିଶୁ ମାଙ୍କଡ଼ଟିଏ ଅଖାରେ ପୂରାଇ ନେଇ ଆଣେ । ମାଙ୍କଡ଼ଟି ଅତ୍ୟନ୍ତ ଦୁର୍ବଳ ହୋଇନଯିବା ପର୍ଯ୍ୟନ୍ତ ତାକୁ ଅନାହାରରେ ରଖେ । ଶିଶୁ ମାଙ୍କଡ଼ଟି ଅତ୍ୟନ୍ତ କ୍ଷୁଧାର୍ତ୍ତ ହୋଇ ଅତି ବିକଳ ଭାବେ ମଦାରୀ ଆଡ଼କୁ ଚାହିଁ ରହେ । ସେତେବେଳେ ତାକୁ କିଛି ଖାଦ୍ୟ ଖାଇବାକୁ ଦିଆଗଲେ ସେ ମଦାରୀର ଦାସ ହୋଇ ରହିବାକୁ ଆଗ୍ରହ ପ୍ରକାଶ କରେ । ମଦାରୀର ଅନେକ ଅସ୍ୱାଭାବିକ ନିର୍ଦ୍ଦେଶକୁ ମାଙ୍କଡ଼ଟି ମାନି ଚାଲିଥିବା ପର୍ଯ୍ୟନ୍ତ ସେ ତାକୁ ଅଳ୍ପ ଅଳ୍ପ ଖାଇବାକୁ ଦେଉଥାଏ । କିଛି ଦିନ ପରେ ମଦାରୀ ତାକୁ ଚିରାଫଟା, ମଇଳା କନାରେ ତିଆରି ପୋଷାକ ପିନ୍ଧାଇଦିଏ ।

ମଦାରୀ ତାକୁ ନାଚ ଏବଂ ଅନ୍ୟାନ୍ୟ ଖେଳ ଶିଖାଏ । ହାତରେ ଏକ ବାଡ଼ି ଧରି ମାଙ୍କଡ଼ଟିକୁ ଭୟଭୀତ କରାଇ ମଦାରୀ ଏସବୁ କରିଥାଏ । କଥା ନ’ମାନିଲେ ତାକୁ ବାଡ଼ାଏ, ଭୋକ ଉପାସରେ ରଖେ । ତାକୁ ମଇଳା ବାସିରୁଟି, ଦେଖଣାହାରୀଙ୍କ ଠାରୁ ମିଳୁଥିବା ପାଚିଲା କଦଳୀ, ସିଝା ଚଣା, ଢାବାରୁ ପରିତ୍ୟକ୍ତ ପଚାସଢ଼ା ଖାଦ୍ୟ ଏବଂ ଅଳିଆ ଗଦାରେ ପଡ଼ିଥିବା ପରିବା ଚୋପା ଖାଇବାକୁ ଦିଏ । ଯେତେବେଳେ କି ବାସ୍ତବରେ ଜଣେ ମଣିଷ ଅପେକ୍ଷା ମାଙ୍କଡ଼ଟିଏ ଭଲ ଫଳମୂଳ ଖାଇଥାଏ । ସେ ଜଙ୍ଗଲ, ଗଛ ଡାଳରେ ବୁଲିବୁଲି ସତେଜ ଫଳ ଖାଇଥାଏ । ଯେତେବେଳେ କି ମଣିଷ ବଜାରରୁ କିଣି ଖାଉଥିବା ଫଳ, ପନିପରିବା ଆଦି ବାସି ହୋଇଥାଏ ।

Stockholm Syndrome And Monkey Freedom

ମଦାରୀ ମାଙ୍କଡ଼କୁ ଦିନସାରା ମାଇଲ ମାଇଲ ବାଟ ଚଲାଇ ଚଲାଇ ନିଏ । ଜଙ୍ଗଲରେ ଥିଲେ ଏଇ ମାଙ୍କଡ଼ ଛୁଆଟି କେବଳ ଖେଳିବା ସମୟ ବ୍ୟତୀତ ତଳକୁ ଆସିନଥାନ୍ତା । କିନ୍ତୁ, ମଦାରୀ ପାଖରେ ତାକୁ ସେଇ କୋମଳ ପାଦରେ ଯନ୍ତ୍ରଣାକୁ ନେଇ ରାସ୍ତାରେ ବୁଲିବାକୁ ପଡ଼େ । ରାତିରେ ସେ ମଦାରୀର ଖଟିଆରେ ବନ୍ଧା ହୋଇ ଧୂଳି ମଇଳାପୂର୍ଣ୍ଣ ଭୂମି ଉପରେ ଶୁଏ । ବାସ୍ତବରେ, ଏହି ସମୟରେ ଛୁଆ ମାଙ୍କଡ଼ଠାରେ “ଷ୍ଟକହୋମ୍ ସିନଡ୍ରୋମ୍” ନାମକ ଏକ ଲକ୍ଷଣ ଦେଖାଯାଏ । ଯଦି, କୌଣସି ବ୍ୟକ୍ତି ମଦାରୀଠାରୁ ମାଙ୍କଡ଼ଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରେ, ତେବେ ମାଙ୍କଡ଼ଟି ମଦାରୀ କାନ୍ଧକୁ ଡେଇଁ ପଡ଼ି ସେହି ବ୍ୟକ୍ତିକୁ ଖିଙ୍କାରି ହୁଏ । ତା’ର ମାଲିକଙ୍କୁ ଆଉ କେହି ଆଘାତ କରୁ ବୋଲି ସେ ଚାହେଁ ନାହିଁ । ଏଭଳି ଭାବରେ ମାଙ୍କଡ଼ ଛୁଆଟିର ଜୀବନ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ । ମାଙ୍କଡ଼ଟି ଧୀରେ ଧୀରେ ରୁଗ୍ଣ ହୋଇଯିବା ପରେ ମଦାରୀ ତାକୁ ଫିଙ୍ଗିଦେଇ ଆଉ ଏକ ନୂଆ ଶିଶୁ ମାଙ୍କଡ଼ ସନ୍ଧାନରେ ଲାଗିଯାଏ ।

“ଷ୍ଟକହୋମ୍ ସିନଡ୍ରୋମ୍” ହେଉଛି ଏକ ମାନସିକ ପ୍ରତିକ୍ରିୟା। ଯେତେବେଳେ କେହି ଅପହୃତ, ବନ୍ଧକ କିମ୍ବା ଦୁର୍ବ୍ୟବହାର ପୀଡ଼ିତ ଅପହରଣକାରୀ କିମ୍ବା ଦୁର୍ବ୍ୟବହାରକାରୀ ସହିତ ବନ୍ଧନରେ ଆବଦ୍ଧ ହୋଇଯାଆନ୍ତି, ସେତେବେଳେ ଏହା ଘଟିଥାଏ। ଏହି ମାନସିକ ସମ୍ବଦ୍ଧ ଦିନ, ସପ୍ତାହ, ମାସ, କିମ୍ବା ବର୍ଷ ବର୍ଷ ଧରି ପୀଡ଼ିତ ମନରେ ବିକଶିତ ହୋଇଥାଏ। ସେମାନେ ଏତେ ଭୟାଳୁ ଏବଂ ନିସଙ୍ଗ ଅନୁଭବ କରନ୍ତି, ଏତେ ବିଭ୍ରାନ୍ତ ହୋଇଯାଆନ୍ତି, ଯେ ନିଜର ଅପହର୍ତ୍ତା, ଦୁର୍ବ୍ୟବହାରକାରୀକୁ ନିଜର ତ୍ରାଣକର୍ତ୍ତା ବୋଲି ଭାବିନିଅନ୍ତି। ସ୍ୱାଧୀନତା ହଜାଇ ଦେଇଥିବା ସେହି ଅପହର୍ତ୍ତାକୁ ସେମାନେ ଅନ୍ୟମାନଙ୍କ ଅପେକ୍ଷା ନିଜର ଆତ୍ମୀୟ ବୋଲି ମନେକରନ୍ତି।

Stockholm Syndrome And Monkey Freedom

ରାଜନୀତିରେ ଅନେକ ସମୟରେ ନେତା ଏବଂ କର୍ମୀଙ୍କ ଭିତରେ ସଂପର୍କ, ସେହି ମଦାରୀ ଏବଂ ମାଙ୍କଡ଼ ପରି ଅନୁଭବ ହୁଏ। ନିର୍ବାଚନ ସିନା ୫ ବର୍ଷରେ ଥରେ ହୁଏ, କିନ୍ତୁ ନେତା ଚାହେଁ ତା’ କର୍ମୀ ସବୁବେଳେ ତା’ ପାଖରେ ସେହିପରି ପଡ଼ିରହୁ। ନେତା କେବେ ଚାହେଁ ନାହିଁ ତା’ର ଜଣେ କର୍ମୀ ତା’ ଠାରୁ ଦୂରେଇ ଯାଇ କେଉଁଠି କର୍ମ ସଂସ୍ଥାନ ପାଇ ଜୀବନରେ ଉନ୍ନତି କରୁ। ସେ ଚାହେଁ, ଜୀବନ ସାରା ତା’ର କର୍ମୀ ତା’ ପାଖରେ ସେମିତି ପଡ଼ିରହୁ। ତା’ ପାଇଁ ରାଲି କରୁ, ତା’ ପାଇଁ ଗଣ୍ଡଗୋଳ କରୁ, ତା’ ପାଇଁ କେସ୍ ଖାଉ ଏବଂ ତାର ଜୟ ଜୟକାର କରୁ।

ଏଥିପାଇଁ ସେ କର୍ମୀ ଜଣଙ୍କୁ କିଛି କଣ୍ଟ୍ରାକ୍ଟ୍ରି କାମ, କିଛି ଗୋଟେ ସାଙ୍ଗଠନିକ ପଦବୀ, କିଛି ଖର୍ଚ୍ଚବାର୍ଚ୍ଚ ଏବଂ ଅନେକ ଗୁଡ଼ିଏ ମିଥ୍ୟା ପ୍ରତିଶୃତି ଦେଇ, ଲୋଭ ଦେଖାଇ ନିଜର ଅନୁଗତ କରି ରଖିଥାଏ। କର୍ମୀ ମଧ୍ୟ ସେହିପରି। ସେ ତା’ର ନେତା ପାଇଁ ନିଜର ଯୁବାବସ୍ଥା ନଷ୍ଟ କରିଦିଏ। ନିଜ ନେତା ପାଇଁ ନିଜର ବନ୍ଧୁ, ଆତ୍ମୀୟଙ୍କ ଠାରୁ ଦୂରେଇ ଯାଏ। ନେତା ପାଇଁ କର୍ମୀ ଏତେ ଅନୁଗତ ହୋଇଥାଏ ଯେ, ଅନେକ ସମୟରେ ନିଜର ବନ୍ଧୁଙ୍କ ସହ ଗଣ୍ଡଗୋଳ କରିବସେ। ଅନେକ ସମୟରେ ନିଜ ନିଜ ନେତାଙ୍କ ପାଇଁ ଭାଇ ଭାଇ ଭିତରେ ମଧ୍ୟ ଗଣ୍ଡଗୋଳ ହୁଏ, ହତ୍ୟାକାଣ୍ଡ ବି ହୁଏ। ବେଳେବେଳେ କର୍ମୀ ଗୋଟେ କ୍ରୀତଦାସ ପରି ହୋଇଯାଏ। ଏପରି ସ୍ଥଳରେ କର୍ମୀ ଜଣଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଅଗ୍ରସର ହୁଏ।

ଆଉ ସେହି କର୍ମୀ/କାର୍ଯ୍ୟକର୍ତ୍ତା ଜଣଙ୍କ ଯଦି ଜଣେ ମହିଳା, ଜଣେ ନେତ୍ରୀ/କାର୍ଯ୍ୟକର୍ତ୍ତା ହୋଇଥାଆନ୍ତି, ତେବେ ପରିଣତି ଆହୁରୀ ଅଧିକ ଭୟଙ୍କର ହୋଇଥାଏ। ନେତା ଜଣଙ୍କ ତାଙ୍କର କିଛି ଦୁର୍ବଳତାର ସୁଯୋଗ ନେଇ ମିଥ୍ୟା ଆଶ୍ୱାସନା, ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କର ମାନସିକତାକୁ କବଳିତ କରିନିନ୍ତି। ଧୀରେଧୀରେ ତାଙ୍କୁ “ଷ୍ଟକହୋମ୍ ସିନଡ୍ରୋମ୍” ଗ୍ରାସ କରିଯାଏ। ନେତା ଜଣଙ୍କ ଏପରି କିଛି ବ୍ୟବସ୍ଥା କରନ୍ତି ଯେପରି କି ସେ ଆଉ କାହା ସଂପର୍କରେ ରହିପାରିବେ ନାହିଁ। ତାଙ୍କୁ ଅନ୍ୟ ନେତୃତ୍ୱଙ୍କ ଠାରୁ ଦୂରେଇ ରହିବା ପାଇଁ ବାରଣ କରନ୍ତି। ଏକ ପ୍ରକାର ତାଙ୍କୁ ଏକୁଟିଆ କରିଦିଅନ୍ତି। ଦୁନିଆ ଠାରୁ ଦୂରେଇ କେବଳ ନିଜ ଭିତରେ ସୀମିତ କରି ରଖିଦିଅନ୍ତି।

Stockholm Syndrome And Monkey Freedom

ନେତା ହାତ ଖସାଇ ଦେଲେ, ତାଙ୍କର ପତନ ସୁନିଶ୍ଚିତ, ଏପରି ମନୋଭାବ ସୃଷ୍ଟି କରାନ୍ତି। ସେ ମଧ୍ୟ ସେହି ନେତାଙ୍କୁ ସଂପୂର୍ଣ ଦଳ, ସଂପୂର୍ଣ୍ଣ ବ୍ୟବସ୍ଥା ବୋଲି ଭାବି ନିଅନ୍ତି, ତାଙ୍କ ଅଧୀନରେ ରୁହନ୍ତି। କୂପମଣ୍ଡୁକ ହୋଇ ସେ କେବଳ ସେହି ନେତାଙ୍କ ମଧ୍ୟରେ ସୀମିତ ହୋଇ ରହିଯାଆନ୍ତି। ବେଳେବେଳେ ଏଥିପାଇଁ ଖରାପ ସଂପର୍କର ଅପବାଦ ମଧ୍ୟ ଲାଗିଯାଏ। ଆଉ ଯେତେବେଳେ ସେ ବାସ୍ତବତା ବୁଝିପାରନ୍ତି, ସେଥିରୁ ମୁକୁଳିବାକୁ ଚାହାଁନ୍ତି, ମୁକୁଳି ପାରନ୍ତି ନାହିଁ।

ବେଳେବେଳେ ମଧ୍ୟ ଏପରି ହୁଏ, ସେ ନେତାଙ୍କର ଯଦି କିଛି ଗୋଟେ ହୋଇଯାଏ, କିମ୍ବା ରାଜନୀତିରେ ତାଙ୍କର ପତନ ହୋଇଯାଏ, ତେବେ ତା’ର ସିଧାସଳଖ ଏବଂ ଅତି ଗୁରୁତ୍ୱର ପ୍ରଭାବ ତାଙ୍କ ଭରଷାରେ, ତାଙ୍କ ଆଶ୍ରାରେ ରହିଥିବା ନେତ୍ରୀ ଜଣଙ୍କ ଉପରେ ପଡ଼ିଥାଏ। ସେ ପରିସ୍ଥିତି ଭିତରୁ ଆଉ ସେ ମୁକୁଳି ପାରନ୍ତି ନାହିଁ। ତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯାଏ। ଏହାକୁ ଦୃଷ୍ଟିରେ ରଖି ରାଜନୀତିରେ ଜଣେ ନିଜର ସଂପର୍କ ଏବଂ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଉଚିତ୍। ଏପରି ଘଟଣା କେବଳ ଯେ ରାଜନୈତିକ କ୍ଷେତ୍ରରେ ନୁହେଁ, ସମାଜର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏପରି ଘଟିଥାଏ।

Leave A Reply

Your email address will not be published.