ଲଞ୍ଚ୍ ହେବାର ୪ ଦିନ ପରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାପଥର ମାଡ଼; ଭାଙ୍ଗିଲା ଡୋର୍ କାଚ, ଯାତ୍ରୀ ଭୟଭୀତ
କୋଲକାତା: ଲଞ୍ଚ୍ ହେବାର ୪ ଦିନ ପୂରିଛି କି ନାହିଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାପଥରମାଡ଼ କରାଯାଇଛି। ସୋମବାର ହାଉଡ଼ାରୁ ଫେରିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ର ଝରକା କାଚ ଭାଙ୍ଗିବା ସହ ଟ୍ରେନ୍ ବଗିରେ ପଥରମାଡ଼ର ଦାଗ ରହିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ମାଲଦା କୁମାରଗଞ୍ଜ ଷ୍ଟେସନରେ ଦୁର୍ବୃତ୍ତମାନେ ଟ୍ରେନ୍ ଉପରେ ପଥରମାଡ଼ କରିଥିବା ସୂଚନା ମିଳିଛି। ପଥରମାଡ ହେବା ପରେ ଟ୍ରେନ୍ ଭିତରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। କିଛି ଯାତ୍ରୀ ଝରକା ପାଖରୁ ହଟିଯିବା ସହ ଟ୍ରେନ୍ ମଝିକୁ ଚାଲିଆସିଥିବା ସୂଚନା ମିଳିଛି।
୪ ଦିନ ତଳେ ୩୦ ଡିସେମ୍ବର ୨୦୨୨ରେ ହାଉଡ଼ାରୁ ଭାରତର ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସ୍ ଲଞ୍ଚ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଯୋଗେ ଏହି ଟ୍ରେନ୍ର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହାଉଡ଼ାରୁ ନ୍ୟୁ ଜଲପାଇଗୁଡ଼ି ଜଙ୍ଗସନ ମଧ୍ୟରେ ଚଳାଚଳ କରୁଥିବା ଏହି ଟ୍ରେନ୍ ପଶ୍ଚିମବଙ୍ଗର ଦକ୍ଷିଣରୁ ଉତ୍ତର ଭାଗକୁ ଯୋଡ଼ୁଛି।
ତେବେ ଟ୍ରେନ୍ଟି ରାଜ୍ୟରେ ପ୍ରଥମ କରି ବାଣିଜ୍ୟିକ ଯାତ୍ରା ଆରମ୍ଭ କରିଥିବା ବେଳେ ଏଭଳି ଆକ୍ରମଣର ଶିକାର ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପଶ୍ଚିମ ରେଳବାଇ କହିଛି ଛି ଯେ ଜାନୁଆରୀ ୨ ତାରିଖ ୨୦୨୩ ସମୟ ପାଖାପାଖି ୧୭.୫୦ରେ ଟ୍ରେନ୍ର କୋଚ୍ ନମ୍ବର ସି-୧୩ରେ ଆକ୍ରମଣ ହୋଇଥିବା ସୂଚନା ମିଳିଥିଲା। ଟ୍ରେନ୍ଟି ଆଇପିଏଫ୍ ସାମ୍ସୀ ଅଧିନରେ ଆସୁଥିବା କୁମାରଗଞ୍ଜ ଷ୍ଟେସନ ପାର୍ ହେବା ପରେ ଏହି ଆକ୍ରମଣ ହୋଇଥିଲା। ଏଥିରେ ଟ୍ରେନ୍ ଡୋର୍ କାଚ ଭାଙ୍ଗିଯାଇଛି। ତେବେ ସୁରକ୍ଷା ପାଇଁ ଟ୍ରେନ୍ରେ ଡି-ଶିଡ୍ ଏମ୍ଏଲ୍ଡିଟିର ୪ ସୁରକ୍ଷାକର୍ମୀଙ୍କ ସହ ଜଣେ ଏଏସ୍ଆଇ ମଧ୍ୟ ଥିଲେ ବୋଲି ପଶ୍ଚିମ ରେଳବାଇ କହିଛି।
ରିଣ୍ଟୁ ଘୋଷ ନାମକ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସେମାନେ ଟ୍ରେନ୍ ବାହାରୁ ପଥର ମାଡ଼ କରିଥିଲେ। ଏଥିରେ ଟ୍ରେନ୍ କ୍ଷିତଗ୍ରସ୍ତ ହୋଇଥିବା ବେଳେ ଭାଗ୍ୟବଶତଃ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ତେବେ ଘଟଣା ପରେ ଟ୍ରେନ୍ରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ବୋଲି ସେ କହିଛନ୍ତି। ଅନ୍ୟପଟେ ସେମାନେ କିଏ ? କାହିଁକି ଟ୍ରେନ୍ ଉପରେ ପଥର ମାଡ଼ କଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ପୂରା ଘଟଣାର ତଦନ୍ତ ହେବ ବୋଲି ବିଭାଗ ସୂଚନା ଦେଇଛି।
Comments are closed.