Latest Odisha News

BREAKING NEWS

ମତୁଆଲା ହେଲା ସହର, ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯କୋଟି ଟଙ୍କାର ମଦ

ଲକ୍ଷ୍ନୌ: ନୂଆ ବର୍ଷରେ ମତୁଆଲା ହେଲା ସହର। ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯ କୋଟି ଟଙ୍କାର ମଦ। ଉତ୍ତର ପ୍ରଦେଶର ନୋଏଡ଼ା ସହରରେ ନୂଆ ବର୍ଷ ପାଳନ ବେଳେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଯାହା ଗତ ବର୍ଷ ତୁଳନାରେ ୨୩ ଗୁଣା ଅଧିକ। ସେହିପରି ପୂରା ଡିସେମ୍ବର ମାସରେ ନୋଏଡ଼ାରେ ୧୩୯ କୋଟି ଟଙ୍କାର ମଦ ବିକ୍ରି ହୋଇଛି ବୋଲି ବିଭାଗ ସୂଚନା ଦେଇଛି।

ବିକ୍ରି ହୋଇଥିବା ମଦ ଭିତରେ ଦେଶୀ, ବିଦେଶ ମଦ ଓ ବିୟର ସାମିଲ ରହିଛି। ଏଥର ରେକର୍ଡ ବ୍ରେକିଂ ମଦ ବିକ୍ରି ହୋଇଥିବାରୁ ରାଜସ୍ୱ ବୃଦ୍ଧି ପାଇଛି। ତେବେ ଏତେ ପରିମାଣରେ ମଦ ବିକ୍ରି ହେବାର କାରଣ ଦୁଇ ବର୍ଷର କୋଭିଡ ପ୍ରତିବନ୍ଧକ ଥିଲା ବୋଲି ବିଭାଗ କହିଛି।

ଦୁଇ ଲକ୍ଷ ଲିଟରରୁ ଅଧିକ ମଦ ପିଇଲେ ଲୋକେ

ନୂଆ ବର୍ଷ ପାଳନ ଖୁସୀରେ ଡିସେମ୍ବର ୩୧ ତାରିଖ ରାତିରେ ଗୌତମ ବୁଦ୍ଧ ନଗରରେ ରହୁଥିବା ଲୋକେ ୨,୩୦,୦୦୦ ଲିଟର ମଦ ପିଇଛନ୍ତି। ଅବକାରୀ ବିଭାଗର ସୂଚନା ଅନୁସାରେ, ସେହିଦିନ  ସହରର ଲୋକେ ୯ କୋଟିରୁ ଅଧିକ ଟଙ୍କାର ମଦ ପିଇଛନ୍ତି। ଏପଟେ ଜବରଦସ୍ତ ମଦ ବିକ୍ରି ବେଳେ ବେଆଇନ ମଦ କାରବାର ଉପରେ ବି କାର୍ଯ୍ୟାନୁଷ୍ଠାନ କରାଯାଇଛି। ଡିସେମ୍ବର ୨୦୨୨ରେ ଅବକାରୀ ବିଭାଗ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨,୫୧୨ ଲିଟର ମଦ ଜବତ କରିଛି।

ଗୌତମ ବୁଦ୍ଧ ନଗର ଆସିଷ୍ଟାଣ୍ଟ ଅବକାରୀ କମିଶନର ଆର୍‌ବି ସିଂହଙ୍କ ସୂଚନା ଅନୁସାରେ, ସହରରରେ ୯୮ଟି ଲାଇସେନ୍ସ ପ୍ରାପ୍ତ ବାର, ୮୨ ସାମୟିକ ପ୍ରାପ୍ତ ଲାଇସେନ୍ସ(ଅକେଜ୍‌ନାଲ ଲାଇସେନ୍ସ), ୧୪୦ ଫରେନ ଲିକର ଦୋକାନ, ୧୩୮ ବିୟର ଦୋକାନ, ୨୫ ମଡେଲ ଦୋକାନ, ୨୩୧ ଦେଶୀ ମଦ ଦୋକାନ ଏବଂ ୧୫ ପ୍ରିମିୟମ ରିଟେଲ ଭେଣ୍ଡର ଦୋକାନ ରହିଛି। ଏସବୁ ମିଶାଇଲେ ଗୌତମ ନଗରରେ ପାଖାପାଖି ୫୫୦ ମଦ ଦୋକାନ ରହିଛି। ଏହା ବାଦ୍‌ ନିର୍ଦ୍ଦିଷ୍ଟ ସମୟ ପାଇଁ ଲାଇସେନ୍ସ ନେଇ ୮୨ ଅଲଗା ଅଲଗା ସ୍ଥାନରେ ମଦ ବିକ୍ରି ହୋଇଛି। ଫଳରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରାଜସ୍ୱ ବୃଦ୍ଧି ପାଇଛି।

ଅବକାରୀ ବିଭାଗର ପାଖରେ ଥିବା ତଥ୍ୟ ଅନୁସାରେ, ନୂଆ ବର୍ଷକୁ ଆଖି ଆଗରେ ରଖି ମାତ୍ର ୮୨ ଜଣ ୧-୩ ଦିନ ପାଇଁ ସାମୟିକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ବିଭାଗ ପକ୍ଷରୁ ସବୁକିଛି ତଦାରଖ କରିବା ପରେ ଦିନକୁ ୧୧,୦୦୦ ‘ଫି’ ଆଦାୟ କରାଯାଇ ଲାଇସେନ୍ସ ଦିଆଯାଇଥିଲା। ଏଥିପାଇଁ ବିଭାଗ ୧୦ ଲକ୍ଷରୁ ଅଧିକ ରାଜସ୍ୱ ଆଦାୟ କରିଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.