ରାଉରକେଲା: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥରମାଡ ହୋଇଛି । ଝରକା କାଚକୁ କୌଣସି ଅଜ୍ଞାତ ବ୍ୟକ୍ତି ପଥର ମାଡ଼ କରିଥିବା ସୂଚନା ମିଳିଛି । ଫଳରେ ଝରକା କାଚଟି ଭାଙ୍ଗିଯାଇଛି । ରାଉରକେଲାରୁ ହାୱଡା ଯାଉଥିବା ଟ୍ରେନ୍ ସଂଖ୍ୟା ୨୦୮୭୨ ବନ୍ଦେ ଭାରତ ଏକ୍ସପ୍ରେସକୁ ଏହି ପଥରମାଡ କରାଯାଇଛି । ଟ୍ରେନ୍ଟି ରାଉରକେଲା ଷ୍ଟେସନ୍ରୁ ହାୱଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବାର କିଛି ସମୟ ପରେ ଏହି ଘଟଣା ଘଟିଛି ।
ଟ୍ରେନ୍ର କୋଚ୍ ସଂଖ୍ୟା ସି-୧୩ରେ ଥିବା ସିଟ୍ ସଂଖ୍ୟା ୨୩ ନିକଟସ୍ଥ ଝରକା କାଚକୁ କେହି ଦୁର୍ବୁତ୍ତ ପଥରମାଡ କରିଛି । କିନ୍ତୁ କିଏ ପଥର ଫିଙ୍ଗିଛି, ସେନେଇ ଅଭିଯୁକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଝରକା ପାଖରେ ବସି ଥିବା ରେଳଯାତ୍ରୀ ଜଣଙ୍କ ଏ ସଂପର୍କରେ ଟ୍ରେନ୍ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ ଟ୍ରେନ୍ଟି ଟାଟାନଗର ଷ୍ଟେସନ ପହଞ୍ଚିବା ପରେ ଆରପିଏଫ ଏଏସଆଇ ଆର୍. ରାଇ ଏହି ଘଟଣା ସମ୍ପର୍କରେ ରେଳବାଇ ପ୍ରଶାସନକୁ ସୂଚନା ଦେଇଥିଲେ । ରେଳ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଚକ୍ରଧରପୁର ରେଳ ମଣ୍ଡଳରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ବାରମ୍ବାର ପଥରମାଡ଼ ରେଳବାଇର ଚିନ୍ତା ବଢ଼ାଇଛି । ବନ୍ଦେଭାରତ ଏକ୍ସପ୍ରେସ ଉପରେ ଲଗାତାର ଆକ୍ରମଣ ଯୋଗୁ ଯାତ୍ରୀମାନେ ମଧ୍ୟ ଭୟର ବାତାବରଣ ମଧ୍ୟରେ ଯାତ୍ରା କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ।
Comments are closed.