Latest Odisha News

BREAKING NEWS

ବିବିସି ଡକ୍ୟୁମେଣ୍ଟାରୀ ବିବାଦ: ଜେଏନୟୁ କ୍ୟାମ୍ପସରେ ସ୍କ୍ରିନିଂକୁ ନେଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ହଙ୍ଗାମା। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ହୋଇଥିବା ବିବାଦୀୟ ଡକ୍ୟୁମେଣ୍ଟାରୀ ରାତି ୯ଟାରେ ସ୍କ୍ରିନିଂ ହେବାର ଥିଲା। କିନ୍ତୁ ଅଧଘଣ୍ଟାଏ ଆଗରୁ ବିଦ୍ୟୁତ ସେବା ବନ୍ଦ ହୋଇଯାଇଥିଲା। ପାଓ୍ୱାର କଟ୍ ହେବା ଯୋଗୁଁ ବାମପନ୍ଥୀ ଏବଂ ଏବିଭିପି ଛାତ୍ରଙ୍କ ମଧ୍ୟରେ ପଥର ଫିଙ୍ଗିବା ଘଟଣା ଘଟିଛି।

ବିଶ୍ୱବିଦ୍ୟାଳୟ ପ୍ରଶାସନର ପ୍ରତ୍ୟାଖ୍ୟାନ ସତ୍ତ୍ୱେ ଜେଏନୟୁ ସଭାପତି ଦାବି କରିଛନ୍ତି ଯେ କୌଣସି ପରିସ୍ଥିତିରେ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ହେବ। ମଙ୍ଗଳବାର ରାତି ୯ ଟାରେ ଜେଏନୟୁରେ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ଘୋଷଣା କରାଯାଇଥିଲା। ଏହି ସମୟରେ ଜେଏନୟୁ କ୍ୟାମ୍ପସରେ ବିଦ୍ୟୁତ୍ ଏବଂ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଛି।

ଏବେ କ୍ୟାମ୍ପସ ପରିବେଶ ସ୍ବାଭାବିକ ନାହିଁ। କ୍ୟାମ୍ପସରେ ସାଧା ପୋଷାକରେ ବହୁ ସଂଖ୍ୟକ ମହିଳା ଏବଂ ପୁରୁଷ ପୋଲିସ ନିୟୋଜିତ ହୋଇଛନ୍ତି। ସୂଚନାନୁସାରେ, ଯଦି ବିବାଦୀୟ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରାଯାଇଥାଏ ଏବଂ ପୋଲିସ ଅଭିଯୋଗ ଗ୍ରହଣ କରେ, ତେବେ ଏଫ୍ଆଇଆର ରୁଜୁ ହେବ।

ଛାତ୍ର କଂଗ୍ରେସ ସଂଗଠନର ସଭାପତି ନୀରଜ କୁନ୍ଦନ କହିଛନ୍ତି,  ସତ କେବେ ଲୁଚାଯାଇପାରିବ ନାହିଁ। ଯେତେବେଳେ ବିବିସି ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ, ସେତେବେଳେ କଳ୍ପନା କରନ୍ତୁ ଯେ ଭାରତୀୟ ଗଣମାଧ୍ୟମ ସହିତ ସରକାର କ’ଣ କରୁଥିବେ।

ଏହାପୂର୍ବରୁ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟରେ ସ୍କ୍ରିନିଂ ହୋଇସାରିଛି। କେନ୍ଦ୍ର ସରକାର ରୋକ ଲଗାଇବାର ଦିନକ ପୂର୍ବରୁ ସ୍କ୍ରିନିଂ ହୋଇଛି ବୋଲି ବିଶ୍ବବିଦ୍ୟାଳୟ ପ୍ରଶାସନ କହିଛି। ଏହାପରେ ସାରା ଦେଶରେ ଏହାର ସ୍କ୍ରିନିଂ ଉପରେ ରୋକ୍ ଲଗାଇଛି କେନ୍ଦ୍ର।

ଉଲ୍ଲେଖଯୋଗ୍ୟ, ଏହି ଡକ୍ୟୁମେଣ୍ଟାରୀଟି ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକାକୁ ନେଇ ପ୍ରସ୍ତୁତ ହୋଇଛି। ବିବିସି ନିଜର ଏକ ଟିମ୍ ଆଣି ଏହି ରିପୋର୍ଟ ପ୍ରସ୍ତୁତ କରିଛି। କେନ୍ଦ୍ର ସରକାର କହିଛନ୍ତି, ଏହି ମାମଲାରେ ସୁପ୍ରିମକୋର୍ଟ ମୋଦୀଙ୍କୁ କ୍ଲିନଚିଟ୍ ଦେଇସାରିଛନ୍ତି।ଏପରି ସ୍ଥିତିରେ ବିବାଦୀୟ ଢଙ୍ଗରେ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟ ପ୍ରଣୋଦିତ।

 

Leave A Reply

Your email address will not be published.