ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିଯୁକ୍ତିକୁ କଂଗ୍ରେସର ଫୋକସ୍ । ବେକାରୀ ସମସ୍ୟା ନେଇ ଦଳ ଦେଇଛି ଯୁଦ୍ଧଂ ଦେହୀ ଡାକରା । ବିହାରରେ କଂଗ୍ରେସର ପଳାୟନ ରୋକ, ଚାକିରି ଦିଅ ଯାତ୍ରା । ଯୁବ କଂଗ୍ରେସ ଓ ଏନଏସୟୁଆଇ ଦ୍ବାରା ପଦଯାତ୍ରା ଆରମ୍ଭ କରାଯାଇଛି । ଯାତ୍ରାରେ ଫୋକସରେ ରହିଛନ୍ତି କହ୍ନେୟା କୁମାର । କଂଗ୍ରେସର ବିହାର ପ୍ରଭାରୀ କୃଷ୍ଣା ଅଲ୍ଲାବରୁ ଓ ପ୍ରଦେଶ ଅଧ୍ୟକ୍ଷ ଅଖିଳେଶ ପ୍ରସାଦ ସିଂ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ତେବେ ଏହି ଯାତ୍ରା କଂଗ୍ରେସକୁ ମଜବୁତ କରିବ ନା ମହାଗଠବନ୍ଧନକୁ ଦୁର୍ବଳ କରିବ, ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏପରିକି ଯାତ୍ରା ଦ୍ବାରା କଂଗ୍ରେସ ଦିଲ୍ଲୀରେ ଆମ ଆଦମୀ ପାର୍ଟି ପରି ବିହାରରେ ଆରଜେଡିର ଖେଳ ବିଗାଡିବ ବୋଲି ବି କୁହାଯାଉଛି ।
ବିହାରରେ ‘କହ୍ନେୟା’ ବେଟ୍
କହ୍ନେୟା କୁମାରଙ୍କ ଏହି ଯାତ୍ରା କଂଗ୍ରେସ ପାଇଁ ବିହାରରେ ନୂଆ ଆଶା ଆଣିପାରେ । ଯାତ୍ରା ସଫଳ ହେଲେ ସହଯୋଗୀ ଆରଜେଡି ସହ ଅଧିକ ସିଟ୍ ପାଇଁ ବାର୍ଗେନିଂ କରିପାରେ କଂଗ୍ରେସ । ଆଉ ବିଫଳ ହେଲେ କହ୍ନେୟା କୁମାରଙ୍କ କ୍ୟାରିୟର ପାଇଁ ବିପଦର ଘଣ୍ଟି ହୋଇପାରେ । ଯାତ୍ରା ବେଳେ ରାଜ୍ୟର ବେକାରୀ ସମସ୍ୟା ତଥା ପେପରଲିକ୍ ଭଳି ପ୍ରସଙ୍ଗକୁ ଜୋରଦାର ଉଠାଉଛନ୍ତି କହ୍ନେୟା । ନିର୍ବାଚନର ୬, ୭ମାସ ପୂର୍ବରୁ ଏହା ସରକାରଙ୍କ ଉପରେ ଚାପ ପକାଇପାରେ । ଯାତ୍ରା ଦ୍ବାରା ଅଧିକରୁ ଅଧିକ ଯୁବକଙ୍କୁ ଯୋଡି ସେମାନଙ୍କ ସମର୍ଥନକୁ ଭୋଟରେ ପରିଣତ କରିବାକୁ ଉଦ୍ୟମ ହେଉଛି । ତେବେ ଯାତ୍ରାକୁ କଂଗ୍ରେସର ସ୍ଥାନୀୟ ନେତାଙ୍କର କେତେ ସହଯୋଗ ମିଳୁଛି, ସେନେଇ ବି ପ୍ରଶ୍ନ ଉଠୁଛି । କାରଣ ପ୍ରଦେଶ ଅଧ୍ୟକ୍ଷ ଅଖିଳେଶ ପ୍ରସାଦ ସିଂ ଓ କହ୍ନେୟା କୁମାରଙ୍କ ମଧ୍ୟରେ ମତଭେଦ ନେଇ ବି ଚର୍ଚ୍ଚା ହେଉଛି ।
ଲାଲୁ ପରିବାରକୁ ପସନ୍ଦ ନୁହନ୍ତି କହ୍ନେୟା
କଂଗ୍ରେସର ଯାତ୍ରାକୁ ନେଇ ମହାଗଠବନ୍ଧନରେ ମତଭେଦ ହୋଇପାରେ । କାରଣ କହ୍ନେୟା କୁମାରଙ୍କୁ ଲାଲୁ ଯାଦବଙ୍କ ପରିବାର ଆଦୌ ପସନ୍ଦ କରନ୍ତିନି । ତେଜସ୍ବୀ ଓ କହ୍ନେୟାଙ୍କ ମଧ୍ୟରେ ସଂପର୍କ ଭଲ ନୁହେଁ । ତେଣୁ କହ୍ନେୟାଙ୍କୁ ଫୋକସ୍ କରି କଂଗ୍ରେସ ଆରମ୍ଭ କରିଥିବା ଏହି ପଦଯାତ୍ରା ମହାଗଠବନ୍ଧନ ରାସ୍ତାରେ ବାଧା ହୋଇପାରେ । ବିହାରରେ କଂଗ୍ରେସର ନିଜର ସେଭଳି ବେସ୍ ନାହିଁ । ଆରଜେଡି ଭରସାରେ ହିଁ ନିର୍ବାଚନ ଲଢିବାକୁ ଯାଉଛି କଂଗ୍ରେସ । ୨୦୨୦ରେ ମହାଗଠବନ୍ଧନରୁ କଂଗ୍ରେସକୁ ୭୦ଟି ସିଟ୍ ମିଳିଥିବା ବେଳେ ଦଳ ୧୯ଟି ଜିତିଥିଲା। ତେଣୁ କହ୍ନେୟାଙ୍କୁ ପଦଯାତ୍ରାରେ ଗୁରୁତ୍ବ ଦେଇ ଲାଲୁଙ୍କୁ ଅସନ୍ତୁଷ୍ଟ କରିବା କଂଗ୍ରେସକୁ ମହଙ୍ଗା ପଡିପାରେ ବୋଲି କୁହାଯାଉଛି।
ସିଟ୍ ବାର୍ଗେନିଂରେ କାହାର କ୍ଷତି?
ରାଜ୍ୟରେ ସ୍ଥିତି ଦେଖି ଆରଜେଡି ଏଥର କଂଗ୍ରେସକୁ ୪୦ରୁ ୫୦ଟି ସିଟ୍ ଦେବାକୁ ଚିନ୍ତା କରୁଛି । ତେବେ କଂଗ୍ରେସ ପୂର୍ବଥର ଭଳି ୭୦ ସିଟ୍ ନେବା ସହ ନିଜ ପସନ୍ଦର ସିଟ ନେବାକୁ ବି ବାର୍ଗେନିଂ କରିପାରେ । ତେବେ ଯଦି ସିଟ୍ ଗଣିତ ନଛିଣ୍ଡେ ଆଉ କଂଗ୍ରେସ ଏକା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନିଏ, ତେବେ ଦିଲ୍ଲୀରେ ଆପ ଭଳି ଆରଜେଡି ଅଧିକ କ୍ଷତି ସହିବ । କାରଣ ଦିଲ୍ଲୀରେ ଆପ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢିଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା । ତେବେ ପଦଯାତ୍ରାର ସଫଳତା ଉପରେ କଂଗ୍ରସର ସିଟ୍ ବାର୍ଗେନିଂ ନିର୍ଭର କରିପାରେ । ଗ୍ରାଉଣ୍ଡରେ ଯାତ୍ରା ସଫଳ ହେଲେ ଅଧିକ ସିଟ୍ ମାଗିପାରେ ଦଳ ।
ବିହାରରେ ବେକାରୀ ସମସ୍ୟା ସବୁଠୁ ବଡ଼ ପ୍ରସଙ୍ଗ । ନିକଟରେ ହୋଇଥିବା ସର୍ଭେରେ ଏହାକୁ ୪୫ପ୍ରତିଶତ ଲୋକ ବଡ ସମସ୍ୟା କହିଛନ୍ତି । କହ୍ନେୟା କୁମାରଙ୍କ ଯାତ୍ରାରେ କଂଗ୍ରେସ ଏହି ପ୍ରସଙ୍ଗ ନେଇ ନାରେଟିଭ୍ ପ୍ରସ୍ତୁତ କରିବାକୁ ଉଦ୍ୟମ କରୁଛି । ତେବେ କଂଗ୍ରେସର ଦୁର୍ବଳ ସଂଗଠନ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇଛି । କୁହାଯାଉଛି, ସହଯୋଗୀଙ୍କ କାନ୍ଧରେ ଭରା ଦେଇ ନୁହେଁ, ବରଂ ନିଜ ବଳ ବଢାଇବାକୁ ରଣନୀତି କରୁଛି କଂଗ୍ରେସ । ହେଲେ ନିର୍ବାଚନର ମାସ କେଇଟା ପୂର୍ବରୁ ସେ ପ୍ରୟୋଗ ଦ୍ବାରା କଂଗ୍ରେସ ସେତେଟା ଲାଭ ପାଇନପାରେ । ତେବେ ଯଦି ବିହାରରେ କଂଗ୍ରେସ ଏକା ନିର୍ବାଚନ ଲଢେ ଆରଜେଡି ସହ ବିଜେପି ବି କ୍ଷତି ସହିପାରେ । ବିହାରରେ ବିଜେପି ସହ କଂଗ୍ରେସର କୋର୍ ଭୋଟର ସବର୍ଣ୍ଣ । ଏକା ନିର୍ବାଚନ ଲଢିଲେ ବିଜେପିର ଭୋଟ୍ କାଟିପାରେ କଂଗ୍ରେସ । ସେହିପରି ମୁସଲିମ ଓ ଦଳିତ ଭୋଟବ୍ୟାଙ୍କରୁ କଂଗ୍ରେସ ଭାଗ ନେଲେ କ୍ଷତି ସହିପାରେ ଆରଜେଡି।