Latest Odisha News

BREAKING NEWS

ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ୭ ମୃତ, ୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀର ଅନେକ ଅଞ୍ଚଳରେ ବର୍ଷା ପବନରେ ବହୁ ଗଛ ଉପୁଡ଼ି ପଡ଼ିଥିବାବେଳେ, ଅନେକ ରାସ୍ତା ଜଳାର୍ଣ୍ଣବ ହୋଇଛି । ଝଡ଼ ଯୋଗୁଁ ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ଏକ ଘର ଉପରେ ଗଛ ପଡ଼ିଯିବାରୁ ଜଣେ ମହିଳା ଏବଂ ତିନି ଜଣ ପିଲା ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ମହିଳାଙ୍କ ସ୍ୱାମୀ ସାମାନ୍ୟ ଆଘାତ ପାଇଛନ୍ତି । ଏନେଇ ଦିଲ୍ଲୀ ପୋଲିସ ଏହି ଘଟଣା ବିଷୟରେ ସୂଚନା ଦେଇଛି ।

ସେହିପରି ଦ୍ୱାରକା ଛାଓ୍ବଲା ଅଞ୍ଚଳରେ କାନ୍ଥ ପଡ଼ି ୩ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ ଏବଂ ମଥୁରାରେ ରାସ୍ତା ଜଳାର୍ଣ୍ଣବ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫଳରେ ଅନେକ ସମୟ ଧରି ରାସ୍ତାରେ ରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗିରହିଥିଲା ।

ଦିଲ୍ଲୀର ମିଣ୍ଟୋ ବ୍ରିଜ୍‌, ଆଇଟିଓ, ଆର୍‌.କେ.ପୁରମ୍‌ର ମେଜର ସୋମନାଥ ମାର୍ଗ ଏବଂ କାନପୁରରେ ରାସ୍ତାଘାଟ ପାଣିରେ ବୁଡ଼ିରହିଥିବାରୁ ଟ୍ରାଫିକ୍‌ ଜାମ୍‌ ହୋଇଛି। ବର୍ଷା ପବନ ଯୋଗୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ୩ଟି ବିମାନକୁ ଜୟପୁର ଓ ଅହମଦାବାଦ ଏୟାରପୋର୍ଟକୁ ପଠାଯାଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା।

ସେହିପରି, ଉତ୍ତର ପ୍ରଦେଶର ଫିରୋଜାବାଦ ଏବଂ ଏଟାରେ ବଜ୍ରପାତ ପଡି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । କେବଳ ଦିଲ୍ଲୀରେ ୧୦୦ ରୁ ୨୦୦ ଗଛ ଉପୁଡ଼ି ପଡ଼ିଥିବା ପୌର ଅଧିକାରୀମାନେ କହିଛନ୍ତି । ଫରିଦାବାଦରେ, ଲୋକମାନେ ପାଣିରେ ଅଧା ବୁଡ଼ି ରହିଥିବା ଏକ କାରକୁ ବାହାର କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା । ଗାଜିଆବାଦରେ ମଧ୍ୟ ଟ୍ରାଫିକ୍ ଜାମ୍ ପରିସ୍ଥିତି ଜାରି ରହିଥିଲା ​​ଏବଂ ରାସ୍ତାରେ ଯାନବାହାନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।

Comments are closed.