କୋରାପୁଟ: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଭେଣ୍ଡିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମାଆ। ଯେତେ ଡାକିଲେ ବି ଆଉ ଡାକ ଶୁଣୁନି ପୁଅ। ଦିନେ ମୃତ୍ୟୁ ସହ ସଂଘର୍ଷ କରି ସୁସ୍ଥ ହୋଇ ଜୀବନ ଜିତିଥିଲେ। ଶେଷରେ କଟକ ଏସସିବି ନିଆଁ ଆଗରେ ହାରିଗଲେ। ଭୟଙ୍କର ନିଆଁରୁ ବଞ୍ଚି ମଧ୍ୟ ଶେଷରେ ପ୍ରାଣ ତ୍ୟାଗ କଲେ। କନ୍ଦାଇ ଦେଉଛି ପବିତ୍ରଙ୍କ ଏପରି ହୃଦୟ ବିଦାରକ କାହାଣୀ। ଏପରି ଘଟଣା ଘଟିଛି ପବିତ୍ର ଦିସାରୀଙ୍କ କ୍ଷେତ୍ରରେ। ପବିତ୍ର ହେଉଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ପଣ୍ଡସଗୁଡ଼ା ଗ୍ରାମର ୨୦ ବର୍ଷୀୟ ଯୁବକ। ଜୀବନ ଆରମ୍ଭରୁ ହିଁ ଏମିତି ଦୁଃଖଦ ପରୀକ୍ଷାର ସମ୍ମୁଖୀନ ହେଲେ, ଯାହା କୌଣସି ବ୍ୟକ୍ତିଙ୍କ ପାଇଁ ଅସହ୍ୟ।
ପବିତ୍ର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ତାଙ୍କ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ଗରିବ ପରିବାର ଯୋଗୁଁ ନିଜ ସକ୍ଷମ ଅନୁସାରେ ଚିକିତ୍ସା କରିଥିଲେ। ଅସହାୟ ହୋଇ ଯାଇଥିଲେ ମାତାପିତା। ତଥାପି ପୁଅର ଚିକିତ୍ସା କରି ସ୍ବଭାବିକ ଜୀବନକୁ ଆଣିବା ପାଇଁ ଅହରହ ଚେଷ୍ଟା କରିଥିଲେ। ଦୁର୍ଘଟଣା ପରେ ପ୍ରଥମେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଗଲା। ସେଠାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ, ପରେ AIIMS ଭୁବନେଶ୍ୱରରେ ଚିକିତ୍ସା କରାଯାଇଥିଲା।
କିନ୍ତୁ ଦୁର୍ଭାଗ୍ୟର କଥା ତାଙ୍କୁ ସବୁଠୁ ଫେରାଇ ଦିଆଗଲା। ପାବିତ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସୁନଥିବାରୁ ସମସ୍ତ ଆଶା ଶେଷ ହେଉଥିବା ବେଳେ, ଭଗବାନଙ୍କ ଦୂତ ଭଳି ଉଭା ହେଲେ କଟକ ଏସସିବି ମେଡିକାଲ କଲେଜର ଡା. ସୁରେଶ ଝାଙ୍କର। ସେ ସମୟରେ ପବିତ୍ରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ରକ୍ତର ହେମୋଗ୍ଲୋବିନ କେବଳ ୩ ଗ୍ରାମ ଥିଲା। କିନ୍ତୁ ଡା. ସୁରେଶ ଝାଙ୍କର ହାର ମାନିନଥିଲେ, ନିଜେ ଦାୟିତ୍ୱ ନେଇ ରକ୍ତ ବ୍ୟବସ୍ଥା କଲେ। ନିଜେ ଦାୟିତ୍ୱ ନେଇ ଅପରେସନ କରାଇଲେ ଏବଂ ପବିତ୍ରଙ୍କୁ ନୂଆ ଜୀବନ ଦେବା ପାଇଁ କୃତ୍ରିମ ଡାହାଣ ଗୋଡ଼ ପ୍ରତ୍ୟାରୋପଣ କରାଇଲେ।
ଅପରେସନ ସଫଳ ହେଲା। ପବିତ୍ରଙ୍କୁ ICU ରେ ରଖାଗଲା। ହେଲେ ଦୁର୍ଭାଗ୍ୟ ଯେ ସେଇ ରାତିରେ SCB ମେଡିକାଲର ICUରେ ବିଦ୍ୟୁତ୍ ଜନିତ ଭୟାବହ ଅଗ୍ନିକାଣ୍ଡ ଘଟିଗଲା ଯେଉଁଥିରେ କି ବର୍ତ୍ତମାନ ସୁଦ୍ଧା ୧୩ଜଣକ ମୃତ୍ୟୁ ହୋଇଯାଇଛି। ହେଲେ ଏପରି ଭୟାବହ ଅଗ୍ନିକାଣ୍ଡରେ ପବିତ୍ର ନିଜେ ଅସୁସ୍ଥ ଥାଇ ସୁଦ୍ଧା ନିଜ ବାମ ପାଦରେ ICUର କାଚ ଭାଙ୍ଗି ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରି ନିଜକୁ ବଞ୍ଚାଇଲେ। ସେଇ ସମୟରେ ଡା. ସୁରେଶ ଝାଙ୍କର ମଧ୍ୟ ମେଡିକାଲର ଟ୍ରମା-କେୟାର ସେଣ୍ଟର୍ରେ ଥିଲେ, କିନ୍ତୁ ସୌଭାଗ୍ୟବଶତଃ ସେ ତଳ ମହଲାରେ ଥିଲେ।
ଏପରି ଘଟଣା ଶୁଣି ସେ ମଧ୍ୟ ଭୟଭୀତ ଓ ଚିନ୍ତିତ ହୋଇପଡ଼ିଥିଲେ। ପରେ ଘଟଣାଟି ପ୍ରଘଟିତ ହେବା ପରେ ତୁରନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାସ୍ଥଳରେ ପହଞ୍ଚିଲେ। ସର୍ବପ୍ରଥମେ ପବିତ୍ର ହିଁ ସମସ୍ତ ଘଟଣା ବିବରଣୀ ଦେଇଥିଲେ। କିନ୍ତ ସେଇ ଜୀବନ ଯୁଦ୍ଧର ନାୟକ ପରବର୍ତ୍ତୀ ମୁହୂର୍ତ୍ତରେ ମୃତ୍ୟୁ ସମ୍ମୁଖରେ ହାରିଗଲେ। ଏପରି ଘଟଣା ସାଧରଣରେ ନିର୍ବାକ କରିଦେଇଛି।
ମୃତ ପବିତ୍ରଙ୍କ ପାର୍ଥିବ ଶରୀର ଗାଁରେ ଆମ୍ବୁଲାନ୍ସ ଯୋଗେ ପହଂଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ଭେଣ୍ଡିଆ ପୁଅକୁ ହରାଇ ମାଆ ବାହୁନୀ ବାହୁନୀ କାନ୍ଦୁଛି। ଆଉ ଗାଁ ଲୋକେ ମଧ୍ୟ ଏମିତିଆ ଯୁବକକୁ ହରାଇ ହତବାକ ହୋଇଛନ୍ତି।