Latest Odisha News

BREAKING NEWS

ବିଶ୍ୱ ଗଳ୍ପକଥନ ଦିବସରେ ‘ଷ୍ଟୋରୀ ୱିଭର’ ପକ୍ଷରୁ ‘ଗେଟ ଚିଲ୍ଡ୍ରେନ ରିଡ଼’ ଅଭିଯାନର ଆରମ୍ଭ

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୨୦ କୁ ‘ବିଶ୍ୱ ଗଳ୍ପକଥନ ଦିବସ’ ଭାବରେ ପାଳନ କରାଯାଏ। ଏହି  ଅବସରରେ ପିଲାଙ୍କ ମଧ୍ୟରେ ନିୟମିତ ଭାବରେ ପଢ଼ିବାର ଅଭ୍ୟାସକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପାଇଁ ପ୍ରକାଶକ ‘ପ୍ରଥମ ବୁକ୍ସ’ର “ଷ୍ଟୋରି ୱିଭର” ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ୨୦୧୩ ମସିହାର ବିଷୟ ‘ମିଳିତ ଭାବେ ଆମେ ସକ୍ଷମ’ ଅନୁଯାୟୀ , ପିଲାମାନଙ୍କ ମଧ୍ୟରେ ପଢ଼ିବାର ଅଭ୍ୟାସକୁ ବଢାଇବା ପାଇଁ ‘ଗେଟ ଚିଲଡ୍ରେନ ରିଡିଙ୍ଗ’ ଅର୍ଥାତ ପିଲାମାନେ ପଢନ୍ତୁକୁ ଟ୍ୟାଗ ଲାଇନ କରାଯାଇ ଏହି ଅଭିଯାନର ଆରମ୍ଭ ହୋଇଛି । ଆଗାମୀ ସେପ୍ଟେମ୍ବର ୮, ଅନ୍ତର୍ଜାତୀୟ ସାକ୍ଷରତା ଦିବସରେ ଏହି ଅଭିଯାନ ଶେଷ ହେବ।

ଏହି ଅବସରରେ ଷ୍ଟୋରି ୱିଭର ପକ୍ଷରୁ ଭୂବନେଶ୍ୱର ସ୍ଥିତ ଆଶା କିରଣଠାରେ କୁନି କୁନି ପିଲାଙ୍କୁ ନେଇ ଆୟୋଜିତ ଏକ ଗଳ୍ପ କଥନ ଆସରରେ ବିଶିଷ୍ଟ ଗଳ୍ପ ଉପସ୍ଥାପିକା ପ୍ରାଚୀତାରା ‘ପ୍ରଥମ ବୁକସ’ର ଡିଜିଟାଲ ବହି ‘ପୁଚୁକୁ ପାଇଁ ବହିଟିଏ’ ରୁ ଗୋଟିଏ ଗଳ୍ପ ପିଲାମାନଙ୍କୁ ଶୁଣେଇ ଥିଲେ ଏବଂ ପ୍ରାଚୀ ତାରାଙ୍କ ଅଭିନବ ଗଳ୍ପ କଥନ ଶୈଳୀରେ ପିଲାମାନେ ଅତ୍ୟନ୍ତ ଆଗ୍ରହ ହୋଇ ଗପଟିକୁ ଶୁଣିଥଲେ ।କୌଣସି କଥା ଶିଖେଇବା ପାଇଁ ଗପ ହେଉଛି ଶ୍ରେଷ୍ଠ ମାଧ୍ୟମ। ପିଲାମାନଙ୍କୁ ସାଧରଣତଃ ଗପ ଭଲ ଲାଗିଥାଏ ଏବଂ ସହଜ, ସରଳ ଓ ମନରଞ୍ଜନଧର୍ମୀ ଭାବରେ ଗଳ୍ପର ଉପସ୍ଥାପନା କରି ଆମେ ସେମାନଙ୍କୁ ବହି ପଢିବାକୁ ଆଗ୍ରହୀ କରିପାରିବା ବୋଲି ପ୍ରାଚୀତାରା ମତବ୍ୟକ୍ତ କରିଥିଲେ ।

ଏହି ଅଭିଯାନକୁ ଅନେକ ରାଜ୍ୟରୁ ସମର୍ଥନ ମିଳିବ ସହ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ- ଗୋଆ, ସମଗ୍ର ଶିକ୍ଷା ଛତିଶଗଡ଼ ସମେତ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ସାମାଜିକ ସଙ୍ଗଠନ ଯଥା ସେୟାର ଏ ବୁକ୍ ଫାଉଣ୍ଡେସନ୍ ରାଜସ୍ଥାନ, ଆଜାଦ ଇଣ୍ଡିଆ ଫାଉଣ୍ଡେସନ କିଶନଗଞ୍ଜ ବିହାର ଏବଂ ବକୁଳ ଫାଉଣ୍ଡେସନ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏହା ସହ ରାଜସ୍ଥାନ, ବିହାର ଓ ଗୋଆ ଆଦି ରାଜ୍ୟର କେତେକ ବିଦ୍ୟାଳୟରେ ମଧ୍ୟ ପ୍ରାରମ୍ଭିକ ଅଧିବେଶନ ନିଆଯାଇଛି।

ଷ୍ଟୋରୀୱେଭରର ବରିଷ୍ଠ ନିର୍ଦ୍ଦେଶକ ପୂର୍ବୀ ଶାହାଙ୍କ ମତରେ ପିଲାଙ୍କ ବିକାଶ ଓ ଅଭିବୃଦ୍ଧି ପାଇଁ କାହାଣୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ପିଲାମାନଙ୍କୁ ପରିକଳ୍ପନା ସହ ନୂତନ ଶବ୍ଦ ସହ ପରିଚିତ କରାଏ । ଗେଟ୍ ଚିଲ୍ଡ୍ରେନ୍ ରିଡିଂ ପଠନ ଅଭିଯାନ ମାଧ୍ୟମରେ ସମସ୍ତେ ଏକାଠି ହୋଇ କାହାଣୀ ପଢ଼ି ଏକ ପଠନଶୀଳ ଭାରତ ସୃଷ୍ଟି କରିପାରିବାରେ ଆମେ ସମସ୍ତେ ଅଂଶୀଦାର ହୋଇପାରିବା ବୋଲି ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଷ୍ଟୋରିୱେଭର (www.storyweaver.org.in) ହେଉଛି ଭାରତର ପ୍ରଥମ ମାଗଣା ଏବଂ ଓପନ୍ ସୋର୍ସ ପ୍ଲାଟଫର୍ମ । ୩୩୦ + ଭାଷାରେ ୫୨ ହଜାରରୁ ଅଧିକ ପୁସ୍ତକର ଏକ ବିଶ୍ୱସ୍ତରୀୟ ସଙ୍କଳନ ଏଥିରେ ଉପଲବ୍ଧ ଅଛି । ଷ୍ଟୋରିୱେଭରରେ ଉପଭୋକ୍ତାମାନେ ମାଗଣାରେ କାହାଣୀ ପଢିପାରିବେ, ସୃଷ୍ଟି କରିପାରିବେ, ଅନୁବାଦ କରିପାରିବେ, ଡାଉନଲୋଡ୍ କରିପାରିବେ, ପ୍ରିଣ୍ଟ କରିପାରିବେ ଏବଂ ଅଂଶୀଦାର କରିପାରିବେ। ଏକ ସହଯୋଗୀ ଢାଞ୍ଚା ସୃଷ୍ଟି କରି ଯେଉଁଠାରେ ଶିଶୁ ବିଷୟବସ୍ତୁର ନିର୍ମାତା ଏବଂ ଉପଭୋକ୍ତାମାନେ ପରସ୍ପର ସହିତ ଯୋଗାଯୋଗ କରିପାରିବେ, ଷ୍ଟୋରୀୱିଭର ପିଲାମାନଙ୍କ ପାଇଁ ବହିର ଅଭାବକୁ ଦୂର କରିବାକୁ ଚେଷ୍ଟା କରେ । ଏହା ୨୦୧୫ ରେ ୨୪ଟି ଭାଷାରେ ୮୦୦ ପୁସ୍ତକ ସହିତ ଆରମ୍ଭ ହୋଇଥିଲା ।

 

 

Leave A Reply

Your email address will not be published.